ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ

ପାଟଣା : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଆଜି ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ବେଗୁନାଖମଣ ଠାରେ ନବ ନିର୍ମିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଉଦଘାଟିତ ହୋଇଯାଇଛି । ଝାଡ଼ଖଣ୍ଡରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଦ୍ୟାଳୟକୁ ଆଭାଷି ଜରିଆରେ  ଉଦଘାଟନ କରିଥିବାବେଳେ ବେଗୁନାଖମଣ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ବରେଣ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ, ଉପାଧ୍ୟକ୍ଷା ବୀଣାପାଣି ନାୟକ, ପାଟଣା ବିଡିଓ ଶିବଶଙ୍କର ମୁର୍ମୁ,ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ପ୍ରମୁଖ ଯୋଗ ଦେଇଥିଲେ । ନରୋତ୍ତମ ତନ୍ତି କାର୍ଯକ୍ରମରେ ସଂଯୋଜନା କରିଥିଲେ । ଏକଲବ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ମୁକେଶ କୁମାର ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ଓ ଅତିଥି ଗଣ ଉଦଘାଟନ ପର୍ବ ସହ ଜାତିର ପିତା ମହାତ୍ମାଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଚିତ୍ରରେ ମାଲ୍ୟାପଣ ପୂର୍ବକ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିଦ୍ୟାଳୟ ପରିସରରେ ବଉଳ ଚାରା ରୋପଣ କରିଥିଲେ । ଉଦଘାଟନ ସଭାରେ ମୁଖ୍ୟ ଅତିଥି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଆଦିବାସୀ ଛାତ୍ରଛାତ୍ରୀ ଉଚ୍ଚ ପ୍ରଶାସନିକ ପଦରେ ଅଧିକ ସଂଖ୍ୟାରେ ବସିଲେ ଆଦିବାସୀ ସମାଜ ଉପଯୁକ୍ତ ନ୍ୟାୟ ପାଇ ପାରିବେ ବୋଲି ମତ ପ୍ରକାଶ କରିବା ସହ ଜଣେ ଛାତ୍ରଛାତ୍ରୀଙ୍କ ପିଛା ପ୍ରଧାନମନ୍ତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଥିବା ସୂଚନା ଦେଇଥିଲେ। ଏହାଛଡା ପ୍ରଧାନମନ୍ତ୍ରୀ ଖୁବଶୀଘ୍ର ପି ଏମ ଶ୍ରୀ ବିଦ୍ୟାଳୟ ଯୋଜନା ଆରମ୍ଭ କରୁଥିବା ସୂଚନା ଦେଇଥିଲେ। ସଭା ଶେଷରେ ଶିକ୍ଷା ସୁରୁପରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.