ନୂଆଦିଲ୍ଲୀ: ମହାନ ବୈଜ୍ଞାନିକ ତଥା ନୋବେଲ ପୁରସ୍କାର ବିଜେତା ଅଲବର୍ଟ ଆଇନଷ୍ଟାଇନଙ୍କ ବିଚକ୍ଷଣ ବୁଦ୍ଧିକୁ ଆଜି ମଧ୍ୟ ସାରା ବିଶ୍ବ ସାଲ୍ୟୁଟ୍ କରେ। ସେ ବିଜ୍ଞାନ ଜଗତକୁ ଏପରି ଅନେକ ଉପହାର ଦେଇଛନ୍ତି, ଯାହା କୌଣସି ଚମତ୍କାରଠାରୁ କମ୍ ନୁହେଁ। ସେ ଏହିଭଳି କିଛି ଆବିଷ୍କାର ନିବେଶକମାନଙ୍କ ପାଇଁ ମଧ୍ୟ କରିଥିଲେ, ଯାହାକୁ ବ୍ୟବହାର କରି ଛୋଟ ପୁଞ୍ଜିରୁ ଟଙ୍କାର ପାହାଡ଼ ଠିଆ କରିପାରିବେ। ଏହି ଆବିଷ୍କାର ପୁଞ୍ଜି ବିନିଯୋଗ ଜଗତରେ ଏକ ଚମତ୍କାର ସଦୃଶ ଥିଲା ଏବଂ ଆଇନଷ୍ଟାଇନ ମଧ୍ୟ ଏହାକୁ ଦୁନିଆର ଅଷ୍ଟମ ଆଶ୍ଚର୍ଯ୍ୟ ବୋଲି କହିଥିଲେ।
ଆଇନଷ୍ଟାଇନ୍ ତାଙ୍କ ଆବିଷ୍କାରରେ ଅନେକ ସୂତ୍ର ସହିତ ଚକ୍ରବୃଦ୍ଧି ସୁଧକୁ ମଧ୍ୟ ସାମିଲ କରିଥିଲେ। ସେ କହିଥିଲେ, ଯଦି ଜଣେ ନିବେଶକ ଏହି ସୂତ୍ରର ସଠିକ୍ ଏବଂ ଶୀଘ୍ର ଲାଭ ଉଠାଇବା ଆରମ୍ଭ କରନ୍ତି, ତା’ହେଲେ ତାଙ୍କର ଛୋଟ ବିନିଯୋଗ ମଧ୍ୟ ଟଙ୍କାର ପାହାଡ଼ ଠିଆ କରିପାରିବ। ଏହି ସୂତ୍ରର ଏତେ ଶକ୍ତି ଅଛି ଯେ, ଏହା ବିନିଯୋଗ ହୋଇଥିବା ଅର୍ଥକୁ ଦ୍ୱିଗୁଣିତ କରିପାରେ ଏବଂ ନିବେଶକଙ୍କୁ ସେହି ଟଙ୍କା ଉପରେ ମଧ୍ୟ ଲାଭ ଦେଇଥାଏ, ଯାହା ସେମାନେ ବିନିଯୋଗ କରିନାହାନ୍ତି।
କେମିତି କାମ କରେ ଏହି ସୂତ୍ର:
ଚକ୍ରବୃଦ୍ଧି ସୁଧ ଗଣିତର ସେହି ନୀତି, ଯେଉଁଥିରେ ନିବେଶକଙ୍କୁ ସୁଧ ଉପରେ ମଧ୍ୟ ସୁଧ ଦିଆଯାଏ। ଉଦାହରଣ ସ୍ୱରୂପ, ଗୋଟିଏ ବର୍ଷରେ କୌଣସି ଟଙ୍କା ଉପରେ ଯେଉଁ ସୁଧ ମିଳିଛି, ତା’ର ପରବର୍ତ୍ତୀ ବର୍ଷରେ ମିଳିବାକୁ ଥିବା ସୁଧ ମୂଳଧନ ଏବଂ ପ୍ରଥମ ବର୍ଷରେ ପ୍ରାପ୍ତ ସୁଧକୁ ମିଶାଇ ଦିଆଯାଏ। ସେହିଭଳି ଏହି ପରିମାଣ ବର୍ଷକୁ ବର୍ଷ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ, କାରଣ ଆପଣଙ୍କ ମୂଳ ଧନ ଓ ବିଗତ ବର୍ଷମାନଙ୍କରେ ମିଳିଥିବା ସୁଧକୁ ମିଶାଇ ପ୍ରତ୍ୟେକ ବର୍ଷର ସୁଧ ଗଣନା କରାଯାଇଥାଏ।
କେଉଁ ପ୍ରକାରର ଅର୍ଥ ବିନିଯୋଗ ଉପରେ ପ୍ରାପ୍ତ ହୁଏ ଏହି ସୁଧ:
ବଜାରରେ ଅନେକ ବିନିଯୋଗ ବିକଳ୍ପ ଉପଲବ୍ଧ, କିନ୍ତୁ ବ୍ୟାଙ୍କ ଏଫଡି, ସରକାରୀ ସଞ୍ଚୟ ଯୋଜନା, ପିଏଫ ଏବଂ ପିପିଏଫ ଭଳି ବିକଳ୍ପରେ ସରଳ ସୁଧ ସୂତ୍ର ଲାଗୁ ହେଉଥିବା ବେଳେ ମ୍ୟୁଚୁଆଲ ଫଣ୍ଡ ଭଳି ବିକଳ୍ପରେ ଚକ୍ରବୃଦ୍ଧି ସୁଧର ଲାଭ ମିଳିଥାଏ। ତେଣୁ ବ୍ୟାଙ୍କ ଏଫଡି କିମ୍ବା ସରକାରୀ ସଞ୍ଚୟ ଯୋଜନା ଅପେକ୍ଷା ମ୍ୟୁଚୁଆଲ ଫଣ୍ଡ ଆପଣଙ୍କ ଟଙ୍କା ଶୀଘ୍ର ବଢାଇଥାଏ। କେତେକ ବ୍ୟାଙ୍କ ମଧ୍ୟ ଚକ୍ରବୃଦ୍ଧି ସୁଧ ସହ ଏଫଡି ପ୍ରଦାନ କରନ୍ତି।
ହଜାର ଟଙ୍କାଙ୍କୁ କେମିତି କରିବେ କୋଟିଏ:
ଚକ୍ରବୃଦ୍ଧି ସୁଧର ଶକ୍ତି ବୁଝିବାକୁ ହେଲେ ମ୍ୟୁଚୁଆଲ୍ ଫଣ୍ଡର ସିଷ୍ଟମାଟିକ୍ ଇନ୍ଭେଷ୍ଟମେଣ୍ଟ ପ୍ଲାନ(ସିପ୍) ମାଧ୍ୟମରେ ଆପଣ ଏହାକୁ ବୁଝିପାରିବେ। ଯଦି ଜଣେ ୨୦ ବର୍ଷ ବୟସ୍କ ଯୁବକ ପ୍ରତି ମାସରେ ମାତ୍ର ୧୦୦୦ ଟଙ୍କା ସିପ୍ରେ ବିନିଯୋଗ କରିବା ଆରମ୍ଭ କରନ୍ତି, ତେବେ ତାଙ୍କ ଅବସର ପର୍ଯ୍ୟନ୍ତ ଅର୍ଥାତ୍ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ୪,୮୦,୦୦୦ ଟଙ୍କା ବିନିଯୋଗ କରିବେ। ମ୍ୟୁଚୁଆଲ୍ ଫଣ୍ଡରେ ଦୀର୍ଘକାଳୀନ ଅବଧିରେ ସାଧାରଣତଃ ୧୨ ପ୍ରତିଶତ ରିଟର୍ଣ୍ଣ ମିଳିଥାଏ। ଏହି ହିସାବରେ ୪୦ ବର୍ଷରେ ମୋଟ୍ ସୁଧ ୧,୧୪,୦୨,୪୨୦ ଟଙ୍କା ହେବ ଏବଂ ରିଟର୍ଣ୍ଣ ଆକାରରେ ମୋଟ ୧,୧୮,୮୨,୪୨୦ ଟଙ୍କା ପ୍ରଦାନ କରାଯିବ। ଅର୍ଥାତ୍ ପ୍ରାୟ ୧ ହଜାର ଟଙ୍କାରୁ ଆରମ୍ଭ କରି ମଧ୍ୟ ସେହି ଯୁବକ ଅବସର ବେଳକୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ପାଇପାରିବେ।



