ଆଜିଠାରୁ ଖୋଲିବ ଶିକ୍ଷାନୁଷ୍ଠାନ, ବାଜିବ ଘଣ୍ଟି

ଅଷ୍ଟମ ଓ ତଦୂର୍ଦ୍ଧ୍ବ ଶ୍ରେଣୀ ବିଦ୍ୟାର୍ଥୀଙ୍କର ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ଯୋଗୁଁ ଦୀର୍ଘଦିନ ପରେ  ସୋମବାରଠାରୁ ଖୋଲିବ ବିଦ୍ୟାଳୟ। ଅଷ୍ଟମ ଓ ତଦୂର୍ଦ୍ଧ୍ବ ପାଠପଢା ଆରମ୍ଭ ହେବ। ପ୍ରାୟ ମାସକ ପରେ ବିଦ୍ୟାଳୟରେ ବାଜିବ ଘଣ୍ଟି। ଅଷ୍ଟମରୁ ଦ୍ବାଦଶ (+୨) ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେବ। ଅନୁରୂପ ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନ‌େ‌ର ସବୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ମଧ୍ୟ ପାଠପଢା ହେବ।
ବିଦ୍ୟାଳୟ ଖୋଲିବା ପୂର୍ବରୁ କ୍ୟାମ୍ପସ ପରିସର ସଫା ସରିଥିବାବେଳେ ଏହାକୁ ଅନୁଧ୍ୟାନ କରିଛନ୍ତି ସ୍ଥାନୀୟ ଜିଲା ଓ ବ୍ଲକ ଶିକ୍ଷା ଅଧିକାରୀ। ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ପାଠପଢା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ଣ ୧ଟାରେ ଶେଷ ହେବ। ସେହିପରି ନବମରୁ ଦ୍ବାଦଶ(+୨) ଛାତ୍ରଛାତ୍ରୀଙ୍କ ପାଠପଢା ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବା ସହ ଅପରାହ୍ଣ ୪ଟାରେ ଶେଷ ହେବ।
ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଆସିବାକୁ ଇଚ୍ଛାଧୀନ ରଖାଯାଇଛି। ବିଦ୍ୟାର୍ଥୀ ଅଭିଭାବକଙ୍କ ଅନୁମତି ଆଣି ବିଦ୍ୟାଳୟ ଆସିବେ। ଯେଉଁ ବିଦ୍ୟାର୍ଥୀ ବିଦ୍ୟାଳୟ ନ ଆସିବେ ସେମାନେ ଘରେ ରହି ଅନ୍‌ଲାଇନ୍‌(ସଞ୍ଚାର ଜରିଆ)ରେ ପଢିପାରିବେ।
ଅନ୍ୟପକ୍ଷରେ ବ୍ଲକ ଓ ଜିଲା ସ୍ତରରେ ମଧ୍ୟ ବିଦ୍ୟାଳୟ ସ୍ଥିତି ପରଖିବାକୁ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ଏହି ଦଳ ବିଭିନ୍ନ ବିଦ୍ୟାଳୟ ବୁଲି ସ୍ଥିତି ଯାଞ୍ଚ କରିବ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଆସନ୍ତାକାଲିଠାରୁ ପାଠପଢା ସ୍ବାଭାବିକ ହେବ। ଏହାକୁ ଦୃଷ୍ଟିରେ ରଖି କଟକଣା ପାଳନ କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ବିଦ୍ୟାଳୟ ସଫେଇ କାମ ସରିଛି। କରୋନା କଟକଣାରେ ବିଦ୍ୟାଳୟରେ ପାଠପଢା ଯିବ। ଶିକ୍ଷା ଅଧିକାରୀ ବୁଲି ସ୍ଥିତି ପରଖିବେ। ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସହ ମଧ୍ୟ ଶିକ୍ଷା ଅଧିକାରୀ ସମନ୍ବୟ ରଖିବେ ବୋଲି ସେ କହିଛନ୍ତି।

Comments are closed.