ଓଡ଼ିଆ ସାହିତ୍ୟର ଜନକ

ଆଦିକବି ସାରଳା ଦାସଙ୍କ ଶ୍ରାଦ୍ଧୋତ୍ସବ ଉପଲକ୍ଷେ

ସାରଳା ଦାସ ଓଡ଼ିଆ ଭାଷା ସାହିତ୍ୟର ଆଦିକବି ଓ ଜନମାନସର କବି। ପଞ୍ଚଦଶ ଶତକରେ ଓଡ଼ିଆ ସାହିତ୍ୟ କହିଲେ ଲୋକସାହିତ୍ୟ ସହିତ ସାନ୍ଧ୍ୟ ଭାଷାରେ ରଚିତ ଚର୍ଯ୍ୟାଗୀତିକା, କଳସା ଚଉତିଶା, ରୁଦ୍ର ସୁଧାନିଧି, ଶିଶୁବେଦ, କେଶବକୋଇଲି ସମେତ ଅଙ୍ଗୁଳିଗଣତି ଶିଳାଲେଖ ଓ ତାମ୍ରଲେଖ ମଧ୍ୟରେ ସୀମିତ ଥିଲା। ଏହିପରି ଏକ ସନ୍ଧିକ୍ଷଣରେ ସିଦ୍ଧେଶ୍ବର ପରିଡ଼ାଙ୍କ ଆବିର୍ଭାବ ଘଟିଥିଲା। ସିଦ୍ଧେଶ୍ବର ପରବର୍ତ୍ତୀ କାଳରେ ଦେବୀ ଶାରଳାଙ୍କ କରୁଣାରୁ ସାରଳା ଦାସ ନାମରେ ପରିଚିତ ହେଲେ ଏବଂ ଓଡ଼ିଆ ସାହିତ୍ୟର ଜନକରୂପେ ନିଜକୁ ପ୍ରତିଷ୍ଠା କରିପାରିଲେ। ସାରଳା ଦାସ ନିଜସ୍ବ ରଚିତ ମହାଭାରତ, ରାମାୟଣ, ଚଣ୍ଡୀପୁରାଣ ମଧ୍ୟରେ ଓଡ଼ିଆ ଜାତିକୁ ଜାତୀୟ ପରିଚିତି ଆଣି ଦେଇଥିଲେ।
ସାରଳାଙ୍କ କୃତି ମଧ୍ୟରେ ‘ମହାଭାରତ’ ସର୍ବୋତ୍ତମ ଓ ସର୍ବଶ୍ରେଷ୍ଠ କୃତି। ସେ ଅପଭ୍ରଂଶ ଭାଷା ସମେତ ସଂସ୍କୃତ ପୁରାଣ ପଣ୍ଡାଙ୍କ ଦୌରାତ୍ମ୍ୟରୁ ଆମ ଭାଷାକୁ ମୁକ୍ତ ରଖି ଲୋକମୁଖର ଭାଷାରେ ରଚନା କରିଥିଲେ ଓଡ଼ିଆ ସାହିତ୍ୟର କାବ୍ୟ କୋଣାର୍କ ‘ମହାଭାରତ’। ଏହି ଗ୍ରନ୍ଥରେ ସାରଳା ନିଜକୁ ଅଜ୍ଞାନ, ଅପଣ୍ଡିତ ଓ ମୂର୍ଖ ବୋଲି କହି ବାଗଦେବୀ ଶାରଳାଙ୍କ ନିର୍ଦେଶରେ ଗ୍ରନ୍ଥ ରଚନା କରିଛନ୍ତି ବୋଲି ବହୁବାର ଉଲ୍ଲେଖ କରିଥିଲେ ମଧ୍ୟ ତାହା ତାଙ୍କ କବିଜନ ସୁଲଭ ବିନମ୍ରତା ବୋଲି ବିବେଚନା କରାଯାଏ।
ବ୍ୟାସକୃତ ସଂସ୍କୃତ ମହାଭାରତ ତତ୍ତ୍ବପୂର୍ଣ୍ଣ ହୋଇଥିବାବେଳେ ସାରଳାଙ୍କ ମହାଭାରତ କଥିତ ଭାଷାରେ ରଚିତ କଥା କାହାଣୀର ଏକ ମନୋଜ୍ଞ ଓ ଅପୂର୍ବ ଗନ୍ତାଘର। ସାରଳା ମହାଭାରତରେ ବର୍ଣ୍ଣିତ ଆଖ୍ୟାନ ଉପାଖ୍ୟାନ ମଧ୍ୟରେ ଝିମିଟି ଖେଳରୁ ମହାଭାରତ, ପ୍ରଥମ ଯୁଦ୍ଧରେ ଭୀମ ହାରେ, ଉଆଁସୀ କନ୍ୟାକୁ ସାହାଡ଼ା ବର, ଦ୍ରୌପଦୀଙ୍କ ବେଣୀ ବନ୍ଧନ, ନବଗୁଞ୍ଜର, ସତ୍ୟାମ୍ବ ଉପାଖ୍ୟାନ, ଶ୍ରୀକୃଷ୍ଣଙ୍କ ଗଧପାଦ ଧାରଣ, କୋକୁଆ ଭୟ, ଦୁ​‌େ​‌ର୍ଯ୍ୟାଧନଙ୍କ ରକ୍ତନଦୀ ସନ୍ତରଣ ଓ ସୁହାଣୀ କନ୍ୟା ପ୍ରଭୃତି ଉଲ୍ଲେଖନୀୟ। କୋକୁଆ, ନବଗୁଞ୍ଜର ପ୍ରଭୃତି ଚରିତ୍ରମାନ ନବରୂପରେ ଚିତ୍ରଣ ହୋଇଛନ୍ତି। ଏହା ସମଗ୍ର ଭାରତୀୟ ସାହିତ୍ୟରେ ଅନନ୍ୟ ଓ ଅନୁପମ।
ବ୍ୟାସ ମହାଭାରତର ଚରିତ୍ରଗୁଡ଼ିକ ଦେବ ବା ଦାନବସୁଲଭ ହୋଇଥିବାବେଳେ ସାରଳା ମହାଭାରତ ଚରିତ୍ରଗୁଡ଼ିକ ମାନବ ସୁଲଭ ହୋଇଛନ୍ତି। ଯୁଧିଷ୍ଠିରଙ୍କଠାରୁ ଆରମ୍ଭ କରି ଧୃତରାଷ୍ଟ୍ର, ଦୁ‌େ‌ର୍ଯ୍ୟାଧନ, ଦୁଃଶାସନ, କୁନ୍ତୀ, ଗାନ୍ଧାରୀ, ଦ୍ରୌପଦୀ ପ୍ରଭୃତି ଚରିତ୍ରମାନଙ୍କୁ କବି ରାଜପରିବାରରୁ ସାଧାରଣ ଜୀବନକୁ ଅବତୀର୍ଣ୍ଣ କରାଇଛନ୍ତି। ସେ ମହାଭାରତର ମହାନାୟକ ଶ୍ରୀକୃଷ୍ଣଙ୍କୁ ଜଣେ କୁଚକ୍ରୀ ଲମ୍ପଟ ପୁରୁଷ ଭାବେ ଚିତ୍ରଣ କରିଛନ୍ତି। ସେ ଭୀମଙ୍କୁ ଜଣେ ଗ୍ରାମୀଣ ହୁଣ୍ଡାଗୁଣ୍ଡା ଓ ପ୍ରତିଶୋଧ ପରାୟଣ ଚରିତ୍ରରୂପେ ବର୍ଣ୍ଣନା କରିଛନ୍ତି। ଯୁଧିଷ୍ଠିରଙ୍କୁ ସେ ଜଣେ ଧାର୍ମିକ ପୁରୁଷ ରୂପେ ଆଖ୍ୟାୟିତ କରିଥିବାବେଳେ ଯାଜପୁରଠାରେ ହରି ସାହୁର କନ୍ୟା ସୁହାଣୀକୁ ବିବାହ କରାଇଛନ୍ତି। ସେହିପରି ମୁଖ୍ୟ ନାୟିକା ଦ୍ରୌପଦୀଙ୍କୁ ଜଣେ ଗାଉଁଲି ନାରୀ ଭୂମିକାରେ ଅବସ୍ଥାପିତ କରାଇ ସପତ୍ନୀ ହିଡ଼ିମ୍ବାଙ୍କ ସହିତ କଳହ କରାଇଛନ୍ତି ଓ ଅଶ୍ବତଥମାଙ୍କ ଦ୍ବାରା ପଞ୍ଚପୁତ୍ରଙ୍କ ନିଧନରେ ବାହୁନି କନ୍ଦାଇଛନ୍ତି। ସାରଳା ଦାସ କୌରବ ଶତଭ୍ରାତା ଓ ଏକମାତ୍ର ଭଗ୍ନୀର ନାମକରଣ ମୂଳ ମହାଭାରତଠାରୁ ଭିନ୍ନଭାବେ କରିଛନ୍ତି। ସାରଳା ମହାଭାରତ ସମଗ୍ର ଭାରତୀୟ ଆଞ୍ଚଳିକ ଭାଷାରେ ପ୍ରଥମ ପୂର୍ଣ୍ଣାଙ୍ଗ ମହାଭାରତ।
ସାରଳା ଦାସଙ୍କ ଚଣ୍ଡୀପୁରାଣ ବାସ୍ତବରେ ଏକ ସମର ପୁରାଣ। କବି ଏହି ଗ୍ରନ୍ଥରେ କାବ୍ୟ ନାୟିକା ଶକ୍ତିସ୍ବରୂପିଣୀ ଦୁର୍ଗାଙ୍କ ଦ୍ବାରା ମହିଷାସୁରକୁ ବଧ କରି ଧରାପୃଷ୍ଠରେ ଶାନ୍ତିର ବିରାଜମାନ କରିଛନ୍ତି। ସାରଳାଙ୍କ ମହାଭାରତ, ରାମାୟଣ ଓ ଚଣ୍ଡୀପୁରାଣ ନିଜସ୍ବ ଚିନ୍ତନ ଓ ମୌଳିକତାରେ ଚିରଭାସ୍ବର। ପଞ୍ଚଦଶ ଶତକରୁ ସାମ୍ପ୍ରତିକ ପର୍ଯ୍ୟନ୍ତ ଆମ ସାହିତ୍ୟରେ ଯେଉଁ ନଭଶ୍ଚୁମ୍ବୀ ହର୍ମ୍ୟ ନିର୍ମାଣ ହୋଇଛି, ସେ ସବୁର ଭିତ୍ତି ହେଉଛି ସାରଳା ଦାସଙ୍କ ଅନବଦ୍ୟ କୃତିରାଜି। ପବିତ୍ର ମାଘସପ୍ତମୀରେ ଓଡ଼ିଆ ସାହିତ୍ୟ ଆଦି କବି ସାରଳା ଦାସ ପରଲୋକ ଗମନ କରିଥିଲେ। ଇଂରାଜୀ ଭାଷା ସାହିତ୍ୟରେ ସେକ୍ସପିୟରଙ୍କ ଆବିର୍ଭାବ ପରେ ଯେପରି ସେହି ସାହିତ୍ୟ ସମୃଦ୍ଧିର ମୂଳଦୁଆ ପଡ଼ିଥିଲା, ଓଡ଼ିଆ ଭାଷାସାହିତ୍ୟ କ୍ଷେତ୍ରରେ ସାରଳା ଦାସଙ୍କ ଆବିର୍ଭାବ ପରେ ଅନୁରୂପ ଅଭିବୃଦ୍ଧି ଓ ସମୃଦ୍ଧି ଘଟିଛି ।

ଇଂ. ପ୍ରଭାକର ସ୍ବାଇଁ
ପ୍ରତିଷ୍ଠାତା ଓ ସଭାପତି ସାରଳା ସାହିତ୍ୟ ସଂସଦ,
ସାରଳା ଭବନ, କଟକ-୮

Comments are closed.