ଆଇଆଇଟି ଦିଲ୍ଲୀ ସମେତ ୬ ଶିକ୍ଷାନୁଷ୍ଠାନକୁ ‘ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ’ ମାନ୍ୟତା

0

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ସୋମବାର ଛଅଟି ବିଶ୍ୱବିଦ୍ୟାଳୟକୁ ଉତ୍କୃଷ୍ଟ ଶିକ୍ଷାଅନୁଷ୍ଠାନର ମାନ୍ୟତା ପ୍ରଦାନ କରାଯାଇଥିବା ଘୋଷଣା କରିଛି। ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଆଇଆଇଟି ଦିଲ୍ଲୀ, ଆଇଆଇଟି ମୁମ୍ବଇ ଆଇଆଇଏସ୍‍ସି ବେଙ୍ଗାଲୁରୁ ଏବଂ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟରେ ମଣିପାଳ ଏକାଡେମୀ ଅଫ ହାୟର ଏଜୁକେସନ, ବ୍ରିଟ୍‍ସ୍‍ ପିଲାନି ଏବଂ ଜିୟୋ ଇନଷ୍ଟିଚ୍ୟୁଟକୁ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନର ମାନ୍ୟତା ପ୍ରଦାନ କରାଯାଇଛି। ଏହି ଅବସରରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦେଶ ପାଇଁ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ବହୁତ ଗୁରୁତ୍ୱପୂର୍ଣ୍ଣ। ଦେଶରେ ୮୦୦ ବିଶ୍ୱବିଦ୍ୟାଳୟ ରହିଛନ୍ତି, କିନ୍ତୁ ଗୋଟିଏ ବି ବିଶ୍ୱବିଦ୍ୟାଳୟ ବିଶ୍ୱର ଶୀର୍ଷ ୧୦୦ କିମ୍ବା ୨୦୦ ଶିକ୍ଷାନୁଷ୍ଠାନ ତାଲିକାରେ ସାମିଲ ହୋଇନାହାନ୍ତି। ବିଶ୍ୱର ଶୀର୍ଷ ଶିକ୍ଷାନୁଷ୍ଠାନ ତାଲିକାରେ ଭାରତୀୟ ଶିକ୍ଷାନୁଷ୍ଠାନକୁ ସାମିଲ କରିବା ପାଇଁ ଏହି ପଦକ୍ଷେପ ସହାୟକ ହେବ ବୋଲି ମନ୍ତ୍ରାଳୟ ଆଶା ବ୍ୟକ୍ତ କରିଛି। ଉକ୍ତ ପଦକ୍ଷେପ ଏହି ଶିକ୍ଷାନୁଷ୍ଠାନର ପାଠ ପଢାସ୍ତର ଏବଂ ଗୁଣାବତ୍ତାକୁ ଉତ୍କୃଷ୍ଟ କରିବାରେ ସହାୟକ ହେବ। ଏହାପରେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‍ କରିଥିଲେ ଯେ ବିଶ୍ୱରେ ଭାରତୀୟ ଶିକ୍ଷାନୁଷ୍ଠାନ ରାକିଂକୁ ଭଲ କରିବା ପାଇଁ ମଜଭୁତ ଯୋଜନା, ପୂର୍ଣ୍ଣ ସ୍ୱାଧୀନତା ଆବଶ୍ୟକ। ମୋଦୀ ସରକାର ଏନେଇ ପ୍ରତିବଦ୍ଧ ଓ ଶିକ୍ଷାନୁଷ୍ଠାନକୁ ନିଜ ଅନୁସାରେ ବଢିବାକୁ ଅନୁମତି ପ୍ରଦାନ କରୁଛି।

Leave A Reply