ବିବଶ ପରୀକ୍ଷାର୍ଥୀ ; ବିକଳ୍ପର ସର୍ବଶ୍ରେଷ୍ଠ ଉପଯୋଗ ପ୍ରୟାସ
ଧରାଯାଉ ଜଣେ ମଧ୍ୟମ ଧୀଶକ୍ତି ସମ୍ପନ୍ନ(ଅତି ଭଲ ନୁହେଁ କି ଖରାପ ନୁହେଁ) ପରୀକ୍ଷାର୍ଥୀ ଅଭିଭାବକଙ୍କ ପରାମର୍ଶ ଅନୁଯାୟୀ ପରୀକ୍ଷାରେ ସବୁଠାରୁ ଅଧିକ ନମ୍ବର ରଖିବାକୁ ଚେଷ୍ଟା କଲେ। ମୋଟ ୧୦୦ ନମ୍ବର ପାଇଁ ହେଉଥିବା ପରୀକ୍ଷାରେ ୨୦ ନମ୍ବର ବିଶିଷ୍ଟ ୫ଟି ପ୍ରଶ୍ନର ଦୀର୍ଘଉତ୍ତର ୪ ଘଣ୍ଟାରେ ଲେଖିବାକୁ ପଡ଼ିବ। ସର୍ବୋତ୍କୃଷ୍ଟ କରିବା ଚେଷ୍ଟାରେ ଗୋଟିଏ ପ୍ରଶ୍ନର ଉତ୍ତର ଲେଖିବାରେ ପରୀକ୍ଷାର୍ଥୀଙ୍କ ପ୍ରାୟ ୩ ଘଣ୍ଟା ଅତିବାହିତ ହୋଇଗଲା। ଏବେ ଆଉ ମାତ୍ର ୧ ଘଣ୍ଟାରେ ବାକି ୪ଟି ପ୍ରଶ୍ନର ଉତ୍ତରକୁ ପରୀକ୍ଷାର୍ଥୀ ଯେନତେନ ପ୍ରକାରେଣ ସାରିଲେ। ଫଳ ପ୍ରକାଶ ପରେ ଜଣାପଡ଼ିଲା ପ୍ରଥମ ପ୍ରଶ୍ନର ଉତ୍ତର ପାଇଁ ୨୦ରୁ ୧୯(ସର୍ବାଧିକ) ନମ୍ବର ମିଳିଥିବା ବେଳେ ଅନ୍ୟ ଚାରିଟି ଯାକରେ ମିଳିଥିଲା ୧୦ ନମ୍ବର। ଅଗତ୍ୟା ସର୍ବୋତ୍କୃଷ୍ଟ କରିବା ପ୍ରଚେଷ୍ଟାରେ ପରୀକ୍ଷାର୍ଥୀ ଫେଲ୍ ହେବା ସାର ହେଲା। ଦ୍ୱିତୀୟ ଥର ପରୀକ୍ଷା ପୂର୍ବର୍ରୁ ଅଭିଭାବକଙ୍କ ପରାମର୍ଶ ଥିଲା ସବୁ ପ୍ରଶ୍ନ ପାଇଁ ସମାନ ସମୟ ଦେଇ ପରୀକ୍ଷାରେ ଯେମିତି ହେଲେ ପାସ୍ ନମ୍ବର ଆଣିବାକୁ ପଡ଼ିବ। ଏଥର ପରୀକ୍ଷାର୍ଥୀ ଯୋଜନା ମୁତାବକ ପ୍ରତି ପ୍ରଶ୍ନୋତ୍ତର ପାଇଁ ୩୦ ମିନିଟ୍ ଲେଖାଏଁ ସମୟ ଧାର୍ଯ୍ୟ କଲେ ଏବଂ ୫ଟି ପ୍ରଶ୍ନର ଉତ୍ତରକୁ ଅଢ଼େଇ ଘଣ୍ଟା ମଧ୍ୟରେ ସାରିଦେଲେ। ସବୁ ପ୍ରଶ୍ନର ଉତ୍ତର ଲେଖିସାରିବା ପରେ ପରୀକ୍ଷାର୍ଥୀ ଦେଖିଲେ ତାଙ୍କ ହାତରେ ଆହୁରି ଦେଢ଼ ଘଣ୍ଟା ସମୟ ବଳିଛି, କିନ୍ତୁ ସେତେବେଳକୁ ଉତ୍ତରଗୁଡ଼ିକୁ ଆହୁରି ଭଲ କରିବାର ସୁଯୋଗ ହାତଛଡ଼ା ହୋଇସାରିଥିଲା। ଏଥର ପରୀକ୍ଷାର୍ଥୀ ପାସ୍ ନମ୍ବର ତ ଆଣିଲେ, କିନ୍ତୁ ଉତ୍କର୍ଷ ବଜାୟ ରଖିପାରିଲେ ନାହିଁ। ଫେବୃଆରୀ ୧ ତାରିଖରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ନିଜର ଦ୍ୱିତୀୟ ସାଧାରଣ ବଜେଟ୍ ଉପସ୍ଥାପନ କରିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅବସ୍ଥା ଓ ବିବଶତା ଠିକ୍ ଉପରୋକ୍ତ ପରୀକ୍ଷାର୍ଥୀଙ୍କ ଭଳି ହୋଇଛି।
ବିପୁଳ(ରେକର୍ଡ) ଜନାଦେଶ ସହିତ କ୍ରମାଗତ ଦ୍ୱିତୀୟ ଥର ପାଇଁ କେନ୍ଦ୍ରରେ ଶାସନ କ୍ଷମତା ଲାଭ କରିଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି/ଏନ୍ଡିଏ ସରକାର ଆଗରେ ଅନେକ ସୁଯୋଗ ଓ ଆହ୍ୱାନ ରହିଥିଲା। ଏଥିସହିତ କେନ୍ଦ୍ର ସରକାରଙ୍କ ହୃଦୟରେ ଦେଶବାସୀଙ୍କ ପ୍ରତି ଜନାଦେଶ ଜନିତ ବଶମ୍ବଦତା କାରଣରୁ ଉତ୍ସାହ ଓ ଉନ୍ମାଦ ମଧ୍ୟ ଭରି ରହିଥିଲା। ଏହି ମାତ୍ରାଧିକ ଉତ୍ସାହ ପ୍ରତିଫଳିତ ହୋଇଥିଲା ୨୦୧୯-୨୦ ସାଧାରଣ ବଜେଟରେ। ଏହି ଉତ୍ସାହକୁ ରୂପ ଦେବାର ଦାୟିତ୍ୱ ପଡ଼ିଥିଲା ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ହେବାର ଗୌରବ ଓ ସୌଭାଗ୍ୟ ପ୍ରାପ୍ତ କରିଥିବା ନିର୍ମଳା ସୀତାରମଣଙ୍କ ଉପରେ। ଭାରତ ଭଳି ଏକ ବିଶାଳ ଜନସଂଖ୍ୟାବିଶିଷ୍ଟ ଓ ବିବିଧତାପୂର୍ଣ୍ଣ ଭୌଗୋଳିକ ଭୂଖଣ୍ଡର ବିତ୍ତୀୟ ପରିଚାଳନା ଯେ ଏତେ ସହଜ ଓ ସରଳ ନୁହେଁ, ତାହା ସେତେବେଳେ ହୁଏତ ଅନଭିଜ୍ଞ ନିର୍ମଳା ସୀତାରମଣ(ପରୀକ୍ଷାର୍ଥୀ) କିମ୍ବା ନରେନ୍ଦ୍ର ମୋଦୀ(ଅଭିଭାବକ) ଚିନ୍ତା କରିନଥିବେ। ‘ଗାଁ, ଗରିବର ବିକାଶ’ ଆଧାରରେ ୫ ବର୍ଷ ମଧ୍ୟରେ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପରିଣତ କରିବାର ଲକ୍ଷ୍ୟ ନେଇ ସୀତାରମଣ ତାଙ୍କ ପ୍ରଥମ ବଜେଟ୍ରେ ଯେଉଁ ଚିତ୍ର ଆଙ୍କିଥିଲେ ଏବଂ ତଥ୍ୟ ଉପସ୍ଥାପନା କରିଥିଲେ, ତାହାକୁ ନେଇ ଅନେକ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଥିଲା। ଅର୍ଥନୀତିଜ୍ଞ(ଉଭୟ ସରକାରୀ ଓ ବିରୋଧୀ)ମାନେ ସେତେବେଳେ ଯେଉଁ କେତେକ ସମସ୍ୟା ଓ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ ସେଥିପ୍ରତି ପରୀକ୍ଷାର୍ଥୀ କିମ୍ବା ତାଙ୍କ ଅଭିଭାବକ ଆଦୌ ଭ୍ରୂକ୍ଷେପ କରି ନଥିଲେ। ଏହାର ପରିଣାମ ବା ଫଳ ଦେଖିବାକୁ ମିଳିଥିଲା ବର୍ଷ ମଝିରେ। ଗୋଟିଏ କ୍ଷେତ୍ରକୁ ମାତ୍ରାଧିକ ଗୁରୁତ୍ୱ ଦେଇ ଅନ୍ୟ କ୍ଷେତ୍ରଗୁଡ଼ିକୁ ଯଥାର୍ଥ ଗୁରୁତ୍ୱ ଦିଆଗଲା ନାହିଁ। ଗ୍ରାମୀଣ ଓ ଗରିବଙ୍କ ବିକାଶ ପାଇଁ ଧନୀଙ୍କ ଉପରେ ଅର୍ଥମନ୍ତ୍ରୀ ଯେଉଁ ଅତିରିକ୍ତ ସେସ୍(ପିଟୁଣି କର) ବସାଇଥିଲେ ତାହାର ପ୍ରଭାବରେ ବୈଦେଶିକ ପୁଞ୍ଜି ନିବେଶକମାନେ ଭାରତୀୟ ପ୍ରତିଭୂତି ବଜାରରୁ ମୁହଁ ଫେରାଇବା ଆରମ୍ଭ କଲେ। ବିମୁଦ୍ରାକରଣ, ଜିଏସ୍ଟି, ନଗଦ କାରବାରରେ କଟକଣା ଓ ବିଏସ୍୪ ଆଦିର ପ୍ରଭାବ ସେହି ସମୟରେ ଅନୁଭୂତ ହେବା ଆରମ୍ଭ ହୋଇଥିଲା ଏବଂ ଶିଳ୍ପ, ଉତ୍ପାଦନ, ବ୍ୟବସାୟ ଶିଥିଳ ହୋଇ ଆସୁଥିଲା। ଉପରୋକ୍ତ ନୀତିଗତ ଓ ବଜେଟ୍ ଘୋଷଣାର ସାମଗ୍ରିକ ପ୍ରଭାବରେ ଦେଶର ଅର୍ଥନୈତିକ ସ୍ଥିତି ଆହୁରି ବିଗିଡ଼ି ଗଲା। ଗୋଟିଏ ପରେ ଗୋଟିଏ କାରଖାନା(ଉତ୍ପାଦନ) ଓ ବ୍ୟବସାୟ ବନ୍ଦ ହେବା ସହିତ ଛଟେଇ ବଢ଼ିବାରେ ଲାଗିଲା – ଉପଭୋକ୍ତାଙ୍କ କ୍ରୟ ଶକ୍ତି ସଂକୁଚିତ ହେଲା-ଚାହିଦା ହ୍ରାସ ପାଇଲା-ଅର୍ଥନୀତି ସ୍ଥାଣୁ ହୋଇଗଲା। ଅନ୍ୟ ଅର୍ଥରେ କହିଲେ ‘ବିକାଶ’ କରିବାକୁ ଯାଇ ସରକାର ‘ବିଶ୍ବାସ’ ହରାଇବା ଭଳି ପରିସ୍ଥିତି ସୃଷ୍ଟି ହେଲା। ସ୍ଥିତିରେ ସୁଧାର ପାଇଁ ବର୍ଷ ମଝିରେ ଅର୍ଥମନ୍ତ୍ରୀ ଏକାଧିକ ପ୍ୟାକେଜ୍ ବା ମିନି ବଜେଟ୍ ଘୋଷଣା କରି କମ୍ପାନୀ ଓ ନିବେଶକଙ୍କ ଆସ୍ଥା ଓ ବିଶ୍ବାସ ଜିତିବା ପାଇଁ ଚେଷ୍ଟା କଲେ(ବାକି ୧ ଘଣ୍ଟାରେ ୪ଟି ପ୍ରଶ୍ନର ଉତ୍ତର ଦେବା ପ୍ରୟାସ)। ଏହାର ସୁଫଳ କିନ୍ତୁ କେବଳ କମ୍ପାନୀର ଅଂଶୀଦାର(ସେୟାରହୋଲ୍ଡର)ମାନଙ୍କ ମଧ୍ୟରେ ସୀମିତ ରହିଗଲା, ଉପଭୋକ୍ତାଙ୍କ ହାତକୁ ଗଲା ନାହିଁ। ଅଧିକନ୍ତୁ କୋହଳ କମ୍ପାନୀ ଟିକସ ନୀତି ଓ ରିଆତି କାରଣରୁ ସରକାର ରାଜସ୍ୱ ସଂଗ୍ରହ ଲକ୍ଷ୍ୟ ପୂରଣରୁ ବହୁ ପଛରେ ପଡ଼ିଗଲେ।
ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ଏକ ବିଫଳ ବଜେଟ୍(ସରକାରଙ୍କ ମତରେ ଅଭିଯୋଗ ଭିତ୍ତିହୀନ)ର ଅପବାଦ ବହନ କରିଥିବା ନିର୍ମଳା ସୀତାରମଣ ନିଜର ଦ୍ୱିତୀୟ ବଜେଟ୍(ଦ୍ୱିତୀୟ ପରୀକ୍ଷା) ଉପସ୍ଥାପନ କରିଛନ୍ତି। ସାମଗ୍ରିକ ବଜେଟ୍କୁ ଅନୁଶୀଳନ କଲେ, ପରୀକ୍ଷାର୍ଥୀ ଭାବେ ସୀତାରମଣଙ୍କ ଉତ୍କର୍ଷ ଆଶା ଅପେକ୍ଷା ପାସ୍ କରିବାର ମାନସିକତା (ସମତୁଲତା ରକ୍ଷା) ବଜେଟ୍ରେ ଅଧିକ ପରିଦୃଷ୍ଟ ହେଉଛି।
ଗୋଟିଏ ପଟେ କୃଷକଙ୍କ ପାଇଁ କେତେକ ଆଖିଦୃଶିଆ ଘୋଷଣା ହୋଇଥିବା ବେଳେ ରିଆତି ବିଲ୍ରେ କାଣ୍ଟଛାଣ୍ଟ କରାଯାଇଛି। ସଡ଼କ ଭିତ୍ତିଭୂମି ନିର୍ମାଣକୁ ଗୁରୁତ୍ୱ ଦେବାକୁ ଯାଇ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବ୍ୟୟବରାଦକୁ ସଂକୁଚିତ କରାଯାଇଛି। ବଜେଟ୍ରେ କମ୍ପାନୀ ମାଲିକ ଓ ଶିଳ୍ପପତିମାନଙ୍କୁ ତୁଷ୍ଟୀକରଣ ପ୍ରୟାସ କରାଯାଇଥିବାବେଳେ ବେରୋଜଗାରୀ ସମସ୍ୟାର ସମାଧାନ ପାଇଁ ନିର୍ଦିଷ୍ଟ ଯୋଜନାର ଅଭାବ ରହିଛି। ବ୍ୟୟ ଲକ୍ଷ୍ୟ ପୂରଣ ପାଇଁ ଭାରତୀୟ ଜୀବନ ବୀମା ନିଗମ ପରି ସର୍ବାଧିକ ଲାଭଦାୟକ ସଂସ୍ଥାରୁ ସରକାର ପୁଞ୍ଜି ପ୍ରତ୍ୟାହାର କରିବେ। ସେହିପରି ବିତ୍ତୀୟ ନିଅଣ୍ଟକୁ ଆଉ ଧାର୍ଯ୍ୟ ଲକ୍ଷ୍ୟ(ଜିଡିପିର ୩.୩%) ମଧ୍ୟରେ ରଖିବା ସମ୍ଭବ ନୁହେଁ ବୋଲି ସରକାର ପରୋକ୍ଷରେ ସ୍ୱୀକାର କରିଛନ୍ତି। ଆୟକରଦାତାଙ୍କୁ ଏହି ସନ୍ଦେଶ ଦିଆଯାଇଛି ଯେ ଗୋଟିଏ ହାତରେ ନେଲେ ଅନ୍ୟ ହାତରେ ଦେବାକୁ ପଡ଼ିବ। ନବଗଠିତ ଜାମ୍ମୁ-କାଶ୍ମୀର ଓ ଲଦାଖର ବିକାଶ ବୋଝ ଅନ୍ୟ ରାଜ୍ୟମାନଙ୍କୁ ମୁଣ୍ଡାଇବାକୁ ହେବ। ଜିଏସ୍ଟି କ୍ଷତିଭରଣା ବକେୟା ବିବାଦ ସମାଧାନ ହୋଇନଥିବାବେଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ସଂଘୀୟ ବ୍ୟବସ୍ଥାକୁ ଅସ୍ଥିର କରିବାର ଆଶଙ୍କା ରହିଛି। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, ବିଚାର ବିଭାଗ ପରି ସମ୍ବେଦନଶୀଳ କ୍ଷେତ୍ର ପାଇଁ ଆଶାନୁରୂପ ବଜେଟ୍ ବ୍ୟବସ୍ଥା ହୋଇ ନଥିବା ମନେ ହୁଏ।
ଅଭିଭାବକ(ନରେନ୍ଦ୍ର ମୋଦୀ)ଙ୍କ ପରାମର୍ଶ ଅନୁଯାୟୀ ପାସ୍ ହେବା ଲକ୍ଷ୍ୟରେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀ(ସୀତାରମଣ)ଙ୍କ ଉତ୍ତର(ବଜେଟ୍)ରେ କିଛି ପ୍ରଶଂସନୀୟ ଦିଗ ମଧ୍ୟ ରହିଛି। ଅନିଶ୍ଚିତ ଓ ଅସ୍ଥିର ଅର୍ଥନୈତିକ ପରିସ୍ଥିତିରେ ବ୍ୟାଙ୍କ ଜମା ସୁରକ୍ଷାକୁ ନେଇ ଗରିବଙ୍କ ମଧ୍ୟରେ ଯେଉଁ ଆଶଙ୍କା ଓ ସଂଶୟ ସୃଷ୍ଟି ହୋଇଥିଲା ତାହାକୁ ଦୂର କରିବା ଏବଂ ସାମାଜିକ ନିରାପତ୍ତା ପ୍ରତି ବଜେଟ୍ରେ ବିଶେଷ ଧ୍ୟାନ ଦିଆଯାଇଛି। ସମାଲୋଚନାରୁ ଊର୍ଦ୍ଧ୍ବକୁ ଯାଇ ତର୍ଜମା କଲେ ସାମ୍ପ୍ରତିକ ପରିସ୍ଥିତିରେ ବିକାଶ ଓ ବିତ୍ତୀୟ ପରିଚାଳନାର ଆହ୍ୱାନ(ପାସ୍ ହେବା ଓ ଉତ୍କର୍ଷ ବଜାୟ ରଖିବା) ମୁକାବିଲା ଦିଗରେ ସୀତାରମଣ(ପରୀକ୍ଷାର୍ଥୀ) ଯତ୍ପରୋନାସ୍ତି ଉଦ୍ୟମ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ବିକଳ୍ପ ଯେ ନଥିଲା – ଏହା ନିଃସନ୍ଦେହ।
Comments are closed.