OMC 1 banner

ସୈତାନୀ ଶକ୍ତିର ବିନାଶ ପାଇଁ ନିଶା ନିବାରଣ

‘ମଦ୍ୟପାନ ପରେ ମଣିଷ ପଶୁ ପାଲଟିଯାଏ’- ଏ ମନ୍ତବ୍ୟ ହେଉଛି ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କର। ନିଜ ଝିଅକୁ ଯୌନ ନିର୍ଯାତନା ଦେବା ଅପରାଧରେ ଆଇନ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ହୃଦରୋଗ ବିଶେଷଜ୍ଞ ଦଣ୍ଡାଦେଶକୁ ସ୍ଥଗିତ ରଖିବା ପାଇଁ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇ ସୁପ୍ରିମକୋର୍ଟର ମାନ୍ୟବର ବିଚାରପତି ବି.ଭି. ନାଗରତ୍ନା ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଖୋଲା ଅଦାଲତରେ ଗତ ମଇ ମାସରେ ଏହି ବକ୍ତବ୍ୟ ଦେଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି। ଅବିଭକ୍ତ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ ଥାନା ଅନ୍ତର୍ଗତ କଣ୍ଟପାଳ ଗାଁରେ ମଦ ନିଶାରେ ନୃଶଂସ ବାପା ୭ମାସର ଶିଶୁ କନ୍ୟାକୁ ଗାଁ ଦାଣ୍ଡରେ କଚାଡ଼ି ମାରିବା ଏବଂ ମୟୂରଭଞ୍ଜ ଜିଲାର ଉଦଳା ଥାନା ଅନ୍ତର୍ଗତ ବନ୍ଧସାହି ଗାଁରେ ଜଣେ ନିଶାସକ୍ତ ବ୍ୟକ୍ତି ଅଣ୍ଡା ତରକାରି ଦେଲା ନାହିଁ ବୋଲି ସ୍ତ୍ରୀକୁ ବାଡ଼େଇ ମାରିବା ଭଳି ଅଘଟଣ ଘଟିଛି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଅମ୍ବାଦଳା ଅଞ୍ଚଳରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ମଦ୍ୟପାନ କରି ଝଗଡ଼ା କରିବା ପରେ ସ୍ୱାମୀ ମଦ ନିଶାରେ ଚୁର ଥାଇ ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କରିଛି। ପୁରୀ ନିକଟବର୍ତ୍ତୀ ସମଙ୍ଗରା ଗାଁରେ ମଦୁଆ ପୁଅ କୋଦାଳ ଚୋଟରେ ମା’ମୁଣ୍ଡକୁ ଦୁଇଫାଳ କରି ନିର୍ମମ ଭାବେ ମାରିଛି। ମଦ ପାଇଁ ମା’ ଟଙ୍କା ଦେଲାନି ବୋଲି ମଦୁଆ ପୁଅର ଠେଙ୍ଗା ମାଡ଼ରେ ମା’ ଶାନ୍ତିଲତାଙ୍କ ମୃତ୍ୟୁ ଘଟିଛି। ଏହା ହେଉଛି ଅନଗୁଳ ଜିଲା ଜରପଡ଼ା ଥାନା ଅନ୍ତର୍ଗତ ପରା ଗାଁର ଘଟଣା। ଫୁଲବାଣୀର କେନ୍ଦୁପଦର ଅଞ୍ଚଳରେ ମଦୁଆ ବାପା ପୁଅକୁ ମାରି ସିଲିଂ ଫ୍ୟାନ୍‌‌ରେ ଝୁଲାଇ ଦେବା ଭଳି ଅଭାବନୀୟ ଘଟଣା ଘଟିଛି। ସେହିଭଳି ଅନଗୁଳ ଜିଲା ହିନ୍ଦୋଳ ଅଞ୍ଚଳର ଆଉ ଜଣେ ମଦୁଆ ନିଜ ସ୍ତ୍ରୀକୁ ମାଡ଼ମାରି ଘରେ ନିଆଁ ଲଗାଇ ଦେବାରୁ ତା’ର ୧୪ମାସର ଶିଶୁକନ୍ୟା ଜିଅନ୍ତା ପୋଡ଼ି ମରିଛି। ନିକଟରେ ଖୋର୍ଦ୍ଧା ଜିଲାର ଏକ ଅଦାଲତ ରାୟ ଶୁଣାଇ ଝିଅକୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ବାପାକୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌‌ ଦଣ୍ଡ ଦେଇଛନ୍ତି। ମୟୂରଭଞ୍ଜର ଜଣେ ଆଦିବାସୀ ଯୁବକଙ୍କୁ ୯୦ ଦଶକରେ ବ୍ରହ୍ମପୁର ଜେଲ୍‌‌ରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା। ତାଙ୍କର ଅପରାଧ ଥିଲା ସେ ନିଶାସକ୍ତ ଅବସ୍ଥାରେ ବୁଦ୍ଧିବୃତ୍ତି ହରାଇ ନିଜର ୯ବର୍ଷର ଝିଆରୀକୁ ବଳାତ୍କାର ପରେ ହତ୍ୟା କରିବା। ଏଭଳି ଦୁଃଖଦ ଖବର ପ୍ରାୟ ପ୍ରତିଦିନ ପ୍ରକାଶ ପାଉଛି। ପ୍ରକାଶ ପାଉନଥିବା ମଦ ଓ ଅନ୍ୟ ନିଶା ଜନିତ ଅପରାଧର ସଂଖ୍ୟା ଢେର ଅଧିକ।
ଗତ ସାଧାରଣ ନିର୍ବାଚନ ବେଳେ ଅନେକ ସ୍ଥାନରେ ମଦ ବିରୋଧରେ ବହୁ ପ୍ରାଚୀର ପତ୍ର ଲାଗିଥିଲା। ଏଥିରେ ଲେଖାଥିଲା ‘ଆମର ଭୋଟ ପାଇବ ସିଏ, ମଦ ବନ୍ଦ କରିବ ଯିଏ।’ ବିଶେଷକରି ଯେଉଁସବୁ ନିର୍ବାଚନ ମଣ୍ଡଳୀରେ ମଦ ବ୍ୟବସାୟ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ବ୍ୟକ୍ତିମାନେ ପ୍ରାର୍ଥୀ ହୋଇଥିଲେ ସେମାନଙ୍କୁ ହରାଇବା କ୍ଷେତ୍ରରେ ଏହି ପ୍ରଚୀର ପତ୍ର ବେଶ୍‌‌ ସହାୟକ ହୋଇଥିଲା। ନିର୍ବାଚନ ବେଳେ ଓଡ଼ିଶା ଶାଖା ବିଜେପି ପକ୍ଷରୁ ଯେଉଁ ସଂକଳ୍ପପତ୍ର ଜାରି କରାଯାଇଥିଲା ସେଥିରେ ବି ନିଶା ନିବାରଣ କଥା ଉଲ୍ଲେଖ ଥିଲା। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ନିଶା ବିରୋଧରେ କହୁଛନ୍ତି। ନିଶା ଯୋଗୁଁ କେତେ ମହିଳାଙ୍କ ସିନ୍ଥିରୁ ସିନ୍ଦୂର ଲିଭୁଛି, କେତେ ପିଲା ବାପା-ମା’ ଛେଉଣ୍ଡ ହେଉଛନ୍ତି, କେତେ ପରିବାର ଉଜୁଡ଼ୁଛି, ଦୁର୍ଘଟଣା ଓ ଆତ୍ମହତ୍ୟାରେ କେତେ ଜୀବନ ଯାଉଛି, ବଳାତ୍କାର ସମେତ କେତେ ଅପରାଧ ବଢ଼଼ୁଛି; ପୁଲିସ, ଅଦାଲତ ଓ କାରାଗାର ଉପରେ କେତେ ଚାପ ବଢ଼଼ୁଛି, ରୋଗବ୍ୟାଧି ସହ ଦାରିଦ୍ର୍ୟ ଓ ବେରୋଜଗାରୀ କେତେ ବଢ଼଼ୁଛି ଏବଂ ସର୍ବୋପରି ବ୍ୟକ୍ତି, ପରିବାର, ସମାଜ, ରାଜ୍ୟ ଓ ରାଷ୍ଟ୍ରର କେତେ କ୍ଷତି ଘଟୁଛି ତାହାକୁ ଏଡ଼ାଇଦେଇ ବର୍ଷବର୍ଷ ଧରି ଆମ ବ୍ୟବସ୍ଥା ସ୍ୱାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତି ନିଶା ନିବାରଣ ପରିବର୍ତ୍ତେ ନିଶା ପ୍ରସାରଣରେ ମାତିଛି।
ସମ୍ବିଧାନର ୪୭ ଧାରାରେ ନିଶା ନିବାରଣ ପାଇଁ ଉଲ୍ଲେଖ ଅଛି। ବିହାର-ଓଡ଼ିଶା ଅବକାରୀ ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନିଶା ନିବାରଣ ଥିଲା। ୧୯୫୬ ମସିହାର ଓଡ଼ିଶା ନିଶା ନିବାରଣ ଆଇନ ବିଧାନସଭାରେ ପାରିତ ହେବା ପରେ ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ସ୍ୱୀକୃତି ଲାଭ କରିଥିଲା; କିନ୍ତୁ ପାଖାପାଖି ୭୦ବର୍ଷ ଧରି ସରକାର ଏହି ଆଇନକୁ କାର୍ଯ୍ୟକାରୀ କରୁନାହାନ୍ତି। ୨୦୦୮ର ଓଡ଼ିଶା ଅବକାରୀ ଆଇନର ୯୩ ଧାରାରେ ନିଶା ନିବାରଣ କଥା ଉଲ୍ଲେଖ ଅଛି। ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧିର ୨୪ (କ) ଧାରାରେ ସରକାରୀ କର୍ମଚାରୀମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଯେଉଁ ବ୍ୟବସ୍ଥା ରହିଛି ତାହାର ଖୋଲା ଉଲ୍ଲଘଂନ ହେଉଛି। ଅବକାରୀ ଅଧିନିୟମରେ ଯେଉଁସବୁ ସ୍ଥାନରେ ମଦ ଦୋକାନ ନଖୋଲିବା ପାଇଁ ଉଲ୍ଲେଖ ଅଛି ସେଠାରେ ଅଧିକ ମଦ ଦୋକାନ ଖୋଲିଛି। କୋଟ୍‌‌ପା ଆଇନରେ ଥିବା ବ୍ୟବସ୍ଥା ମୁତବାକ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ, ଗୁଟ୍‌‌ଖା ଆଦି ବିକ୍ରିୟ କରାଯାଇପାରିବ ନାହିଁ। ନାବାଳକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ପାଇଁ ଯେଉଁ ଆଇନଗତ ପ୍ରାବଧାନ ରହିଛି ତାହାର ବି ଖୋଲା ଉଲ୍ଲଘଂନ କରାଯାଉଛି। ଯାନବାହନ ଚଳାଇବା ବେଳେ ନିଶାଗ୍ରସ୍ତ ବ୍ୟକ୍ତିଙ୍କ ପ୍ରତି କଡ଼ା ଦଣ୍ଡବିଧାନର ବ୍ୟବସ୍ଥା ଅଛି। ସର୍ବସାଧାରଣ ସ୍ଥାନରେ ନିଶା ସେବନ ମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ। ଏହା ଛଡ଼ା ଚୋରା ନିଶା କାରବାର ବିରୋଧରେ ଅନେକ କଠୋର ଆଇନ ରହିଛି। ଗୁଟ୍‌‌ଖା ଓ ତମାଖୁ ସେବନ, ବିପଣନ, ଉତ୍ପାଦନ ଓ ପରିବହନକୁ ପ୍ରାୟ ୧୨ ବର୍ଷ ତଳେ ସରକାର ନିଷିଦ୍ଧ କରିଥିଲେ ମଧ୍ୟ ଏହା ଖୋଲାଖୋଲି ଭାବେ ଉପଲବ୍ଧ ହେଉଛି। ନିକଟରେ ଖୋଦ୍‌‌ ରାଜଧାନୀରେ ଏକ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ଅବକାରୀ ବିଭାଗ ବିପୁଳ ପରିମାଣର ନକଲି ଓ ଚୋରା ମଦ ଜବତ କରି ସେସବୁକୁ ବୁଲ୍‌‌ଡୋଜର ଲଗାଇ ନଷ୍ଟ କରିଦେଇଥିଲା। ଧରପଗଡ଼ ନାମରେ ଯେତେ ନିଶା ସାମଗ୍ରୀ ଜବତ ହେଉଛି ବାସ୍ତବରେ ତାହାର ଢେର ଅଧିକ ଗୁଣ କଳା ବଜାରରେ ବିକ୍ରି ହେଉଥିବା ସମସ୍ତଙ୍କୁ ଜଣା। ଅବକାରୀ ମାମଲାରେ ଦଣ୍ଡବିଧାନ ହାର ଅତି ନଗଣ୍ୟ ଥିବା ସିଏଜି ରିପୋର୍ଟରେ ଦର୍ଶାଯାଇଛି। ଏମିତି କି ମାତାଲ ଓ ନିଶା ବେପାରୀଙ୍କ ଆକ୍ରମଣରେ ଉଭୟ ପୁଲିସ ଓ ଅବକାରୀ କର୍ମଚାରୀ ଆହତ ହେବା ସମ୍ପର୍କିତ ଖବର ବି ବାରମ୍ବାର ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରୁଛି।
ଓଡ଼ିଶା ରାଜ୍ୟ ଯୁବ ନୀତିରେ ଯୁବ ସମାଜ ନିଶାରେ କବଳିତ ହେଉଥିବା ଘେନି ଉଦ୍‌‌ବେଗ ପ୍ରକାଶ କରାଯାଇ ଅଧିକ ସଂଖ୍ୟକ ନିଶାମୁକ୍ତି କେନ୍ଦ୍ର ପ୍ରତିଷ୍ଠା ଓ ଗାଁଗୁଡ଼ିକୁ ଆଲକହଲମୁକ୍ତ କରିବା ଲାଗି ଘୋଷଣା କରାଯାଇଛି। କିନ୍ତୁ ଗାଁରୁ ସହର ପର୍ଯ୍ୟନ୍ତ ଚାରିଆଡ଼େ ଆଲକହଲ ସମେତ ଅନ୍ୟ ନିଶାର ବନ୍ୟା ଦିନକୁ ଦିନ ବଢ଼଼ି ଚାଲିଛି। ସେହିଭଳି ଓଡ଼ିଶା ସରକାରଙ୍କ ମହିଳା ଓ ବାଳିକା ନୀତିରେ ଦିଆଯାଇଥିବା ତଥ୍ୟ ମୁତାବକ ପ୍ରାୟ ୪୦ ପ୍ରତିଶତ ହିଂସାର ଶିକାର ହେଉଛନ୍ତି। ଏହାଛଡ଼ା ରକ୍ତହୀନତା ଓ ପୁଷ୍ଟିହୀନତାରେ ୬୦ ପ୍ରତିଶତରୁ ଅଧିକ ଘାଣ୍ଟି ହେଉଛନ୍ତି। ଏହା ପଛରେ ବି ନିଶାର ପ୍ରମୁଖ ଭୂମିକା ରହିଛି।
ସରକାର ଦାରିଦ୍ର୍ୟ ଦୂରୀକରଣ, ମହିଳା ସଶକ୍ତୀକରଣ, ସମୃଦ୍ଧ ଓଡ଼ିଶା ଗଠନ ଆଦି ପାଇଁ ବ୍ୟାପକ ଯୋଜନା କରି ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କଣା ମାଠିଆର ପାଣି ବହିଯିବା ଭଳି ଏହି ଯୋଜନାଗୁଡ଼ିକରେ ଖର୍ଚ୍ଚ କରାଯାଉଥିବା ବିପୁଳ ଅର୍ଥରୁ ଯେତେ ଫାଇଦା ମିଳିବା କଥା ତାହା ମିଳିପାରୁନଥିବା ପଛରେ ଯେଉଁ ପ୍ରମୁଖ କାରଣମାନ ରହିଛି ସେଗୁଡ଼ିକ ହେଲା ନିଶା ପ୍ରସାର, ଦୁର୍ନୀତି ଏବଂ ରାଜନୈତିକ ଓ ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ। ସରକାର ପ୍ରତିବର୍ଷ ମଇ ୩୧ ତାରିଖକୁ ତମାଖୁ ବର୍ଜନ ଏବଂ ଜୁନ୍‌‌ ୨୬କୁ ନିଶା ନିବାରଣ ଦିବସ ଭାବେ ପାଳନ କରନ୍ତି। ବର୍ଷର ଅନ୍ୟ ୩୬୩ ଦିନ କିନ୍ତୁ ନିଶା ପ୍ରସାରଣରେ ମାତନ୍ତି। କେବଳ ସେତିକି ନୁହେଁ; ଓଡ଼ିଶାର ୩୦ଟିଯାକ ଜିଲା ସମେତ ଦେଶର ୨୭୨ଟି ଜିଲାରେ ନିଶାମୁକ୍ତ ଭାରତ ଅଭିଯାନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ଖର୍ଚ୍ଚ କରୁଥିବାବେଳେ ନିଶା ନିବାରିତ ହେବା ପରିବର୍ତ୍ତେ ପ୍ରସାରିତ ହେଉଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମହିଳାମାନେ ବର୍ଷବର୍ଷ ଧରି ମଦ ବିରୋଧରେ ସଂଗ୍ରାମ ଚଳାଇ ଧ୍ୱନି ଦିଅନ୍ତି, ‘କାନ ଖୋଲିକରି ଶୁଣ ସରକାର- ମଦ ଆମର ନାହିଁ ଦରକାର।’ ଏମାନଙ୍କୁ ସମର୍ଥନ କରିବା ପରିବର୍ତ୍ତେ ସରକାର ମାମଲା ରୁଜୁ କରୁଥିବା ବେଳେ ମଦ ମାଫିଆମାନେ ବି ଏମାନଙ୍କୁ ଆକ୍ରମଣ ସହ ହତ୍ୟା କରିବାର ଅନେକ ନଜିର ରହିଛି।
ଉଭୟ ଲାଇସେନ୍ସପ୍ରାପ୍ତ ଓ ଚୋରା ମଦ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଏବଂ ବ୍ୟକ୍ତି, ପରିବାର, ସମାଜ ଓ ରାଷ୍ଟ୍ରର ଶତ୍ରୁ। ସରକାରୀ ବ୍ୟବସ୍ଥା ଯଦି ଚୋରା ନିଶା ବେପାରକୁ ସମ୍ପୂର୍ଣ୍ଣ ବନ୍ଦ ନକରି ସେମାନଙ୍କ ନିକଟରେ ଆତ୍ମସମର୍ପଣ କରିବ ତେବେ ଏଥିରୁ ନିସ୍ତାର ମିଳିବ କିପରି? କୁହାଯାଏ ଗୋଟିଏ ଟଙ୍କାର ଅବକାରୀ ରାଜସ୍ୱ ପାଇଁ ସାମଗ୍ରିକ କ୍ଷତିର ପରିମାଣ ୧୦୦ ଟଙ୍କାରୁ ଅଧିକ। ସେହିଭଳି ଜେଲ୍‌‌ଗୁଡ଼ିକରେ ଚଢ଼ଉ ସମୟରେ ବିପୁଳ ନିଶା ସାମଗ୍ରୀ ଜବତ ହେବା ଏକ ସାଧାରଣ ଘଟଣା। ଏହା ପ୍ରମାଣ କରିଦିଏ ନିଶା ସହ ଅପରାଧୀମାନଙ୍କର ଘନିଷ୍ଠ ସମ୍ପର୍କକୁ। ତେଣୁ ନିଶା ନିବାରିତ ହେଲେ ଅପରାଧ, ରୋଗ ବ୍ୟାଧି, ଦୁର୍ଘଟଣା ଆଦି ଯେ ବହୁ ପରିମାଣରେ କମିବ ଏଥିରେ ସନ୍ଦେହ ନାହିଁ। ଓଡ଼ିଶାର ଅବକାରୀ ରାଜସ୍ୱ ୨୦୦୦-୦୧ ବର୍ଷରେ ୧୩୫ କୋଟି ୩୫ଲକ୍ଷ ଟଙ୍କା ଥିବାବେଳେ ୨୦୨୨-୨୩ ବର୍ଷରେ ଏହା ବଢ଼଼ିବଢ଼଼ି ୬୪୫୫ କୋଟି ଟଙ୍କାରେ ପହଞ୍ଚିଥିଲା। ୨୦୨୩-୨୪ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୭୨୧୫ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ବର୍ଷରେ ଏହା ୯୭୫୪ କୋଟି ଟଙ୍କା ହେବ ବୋଲି ରାଜ୍ୟ ସରକାର ଅଟକଳ ରଖିଛନ୍ତି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳରେ ଥିବାବେଳେ ତାଙ୍କର ଏକ ପ୍ରଶ୍ନର ଉତ୍ତରରେ ସେତେବେଳର ଅବକାରୀ ମନ୍ତ୍ରୀ ସ୍ୱୀକାର କରିଥିଲେ ଯେ ୨୦୧୨ରୁ ୨୦୨୨-୨୩ ପର୍ଯ୍ୟନ୍ତ ୧୨ବର୍ଷ ମଧ୍ୟରେ ଓଡ଼ିଶାରେ ଅବକାରୀ ରାଜସ୍ୱ ୩୬୮ ପ୍ରତିଶତ ବୃଦ୍ଧି ପାଇଥିଲା; କିନ୍ତୁ ବର୍ତ୍ତମାନର ତଥ୍ୟ କହୁଛି ୨୦୨୩-୨୪ରୁ ୨୦୨୫-୨୬ ଭିତରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୩୫ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବାକୁ ଯାଉଛି। ସବୁ ନିଶା ଉପରେ ଅଙ୍କୁଶ ଲାଗିବ ବୋଲି ତମାଖୁ ବର୍ଜନ ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବେଳେ ତାଙ୍କ ଦଳର ବିଧାୟକ ବାବୁ ସିଂ ମଦୁଆଙ୍କୁ ରାସ୍ତାରେ ଦେଖିଲେ ମାଡ଼ ଦିଆଯିବ ବୋଲି ନୂଆ ନାରା ଦେଇଛନ୍ତି।
ଭଗବାନ ବୁଦ୍ଧ କହୁଥିଲେ, “ଯେଉଁ ରାଜ୍ୟ ପ୍ରତି ସୁରାଦେବୀ ପ୍ରସନ୍ନ ହୁଅନ୍ତି ସେହି ରାଜ୍ୟ କାଳବେଦିରେ ନଷ୍ଟ ହୋଇଯାଏ।” ନିଶା ଯୋଗୁଁ ଯଦୁ ବଂଶ ଧ୍ୱଂସ ହୋଇଥିଲା। ସମସ୍ତ ପ୍ରମୁଖ ଧର୍ମ ବି ନିଶାର ନିନ୍ଦା କରନ୍ତି। ମଦ ଓ ଅନ୍ୟ ନିଶା ସାମଗ୍ରୀ ସୈତାନର ଦୁଇଟି ହାତ ଏବଂ ମଦ ସମସ୍ତ ଦୁଷ୍କୃତିର ଜନନୀ ବୋଲି ଜାତିର ଜନକ ମହାତ୍ମା ଗାନ୍ଧୀ ସତର୍କ କରାଇ ଯାଇଛନ୍ତି। ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଭଗତ ସିଂହଙ୍କ ସମେତ ବହୁ କ୍ରାନ୍ତିକାରୀ ନେତା ବି ନିଶା ନିବାରଣ ପାଇଁ ବାରମ୍ବାର ଚେତାଇଛନ୍ତି। ଆମେ ଆମ ଧର୍ମ, ସଂସ୍କୃତି ଓ ଅସ୍ମିତାର କଥା କହିବା ସହିତ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଯେଉଁ ନକ୍ସା ଆଙ୍କୁଛେ ତାହାକୁ ସାକାର କରିବା ପାଇଁ ସର୍ବ ପ୍ରଥମେ ନିଶା ନିବାରଣ ହେବା ଚାହି। ଅବାଟରେ ଯାଇ ନିଶା ରାକ୍ଷସ କବଳରେ ପଡ଼ିଥିବା ଲୋକଙ୍କୁ ଉଦ୍ଧାର କରିବା ସହିତ ଯେଉଁମାନେ ନିଶା ସାମ୍ରାଜ୍ୟ ବଢ଼ାଉଛନ୍ତି ସେମାନଙ୍କୁ ବି ସରକାର ଦମନ କରିବା ଉଚିତ୍‌‌। ନହେଲେ ସୈତାନୀ ଶକ୍ତିର କବଳିତ ହେଉଥିବା ଆମ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ।

Comments are closed.