ଏବେ ଶୀତ ଆରମ୍ଭ ହେଉଛି। ପାଣିପାଗ ବିଭାଗର ପୂର୍ବାନୁମାନ ଯେ ଏବର୍ଷ ଜାଡ଼ ଅଧିକ ହେବ। ଅଧିକ ଜାଡ଼ ହେବା ସତ ହୋଇପାରେ ବା ନ ହୋଇପାରେ, କିନ୍ତୁ ପ୍ରକୃତିର ବ୍ୟବସ୍ଥାନୁଯାୟୀ ଗଛମାନେ ଆଗପଛ ହୋଇ ପତ୍ରଝଡ଼ା ଦେବେ। କରଞ୍ଜ ଭଳି ଗଛ ତ ପତ୍ର ଝଡ଼ା ଦେବା ଆରମ୍ଭ କରିଦେଲେଣି। ଜଙ୍ଗଲରେ ପ୍ରାକୃତିକ ବ୍ୟବସ୍ଥା କାର୍ଯ୍ୟକରେ। ପତ୍ର ଗୁଡ଼ିକ ଝଡ଼ିଗଲାପରେ ତଳେ ପଡ଼ି ମାଟିରେ ମିଶିଯାଏ, ଖତ ହୋଇଯାଏ ଓ ଗଛକୁ ତା’ର ସବୁ ଆବଶ୍ୟକ ସାର ଯୋଗାଏ, ଗଛ ବଢ଼େ। ଗଛରୁ ପତ୍ର ଝଡ଼ିବା, ପତ୍ର ଶଢ଼ିବା, ଗଛ ବଢ଼ିବା ଓ ପୁଣି ପତ୍ର ଝଡ଼ିବା କାମଟି ବର୍ଷ ପରେ ବର୍ଷ ଚାଲିଥାଏ। ସେଥିପାଇଁ ଜଙ୍ଗଲରେ ହଜାରହଜାର ବର୍ଷ ଧରି ଗଛମାନେ ବଢ଼ିଥାନ୍ତି ଓ ଅଧିକରୁ ଅଧିକ ଉଚ୍ଚର ହୋଇଥାନ୍ତି। ଅଥଚ ମାଟି ଦୁର୍ବଳ ହୁଏ ନାହିଁ, ବରଂ ମାଟି ଅଧିକରୁ ଅଧିକ ଉର୍ବର ହୋଇଥାଏ। ମାଟି କଳା ଦିଶେ, ସଚ୍ଛିଦ୍ର ହୋଇଥାଏ, ଅଧିକ ପାଣି ଧରି ରଖେ।
ଆମେ କ’ଣ କରୁଛେ? ସହରାଞ୍ଚଳ କଥା ପ୍ରଥମେ ଦେଖିବା। ସକାଳୁସକାଳୁ ସଫେଇ କର୍ମଚାରୀମାନେ ଝଡ଼ିଥିବା ପତ୍ରଗୁଡ଼ିକୁ ଠାଏଠାଏ ଏକାଠିକରି ନିଆଁ ଲଗେଇଦିଅନ୍ତି। ସମୟେସମୟେ ପତ୍ରଗୁଡ଼ିକୁ ଗଛମୂଳରେ ଏକାଠିକରି ଜଳେଇ ଦିଅନ୍ତି। ସେଥିରେ ଖାଲି ଯେ ପତ୍ର ଥାଏ, ତା’ ନୁହେଁ, ଜରି ବା ପଲିଥିନ ଯାହା ସବୁ ଥାଏ ଏକାଠି ଜାଳି ଦିଅନ୍ତି। ସଫା ରଖିବା କାମଟି ଏ ବ୍ୟବସ୍ଥାରେ ସହଜ ହୋଇଯାଏ।
ଏବେ ଏହାର ପରିଣାମ କଥା ଜାଣିବା ଆବଶ୍ୟକ। ପ୍ରଥମ ପଲିଥିନ ଜଳିଲେ ସେଥିରୁ ଡାଇଓକ୍ସିନ ନାମକ ଏକ ଗ୍ୟାସ ନିର୍ଗତ ହୁଏ। ପତ୍ର ପୋଡ଼ାର ଧୂଆଁସହ ଏଇ ଗ୍ୟାସଟି ମଧ୍ୟ ଆକାଶକୁ ଯାଏ। ଡାଇଓକ୍ସିନ୍ ଗ୍ୟାସଟି ଶରୀର ପକ୍ଷେ ଅତ୍ୟନ୍ତ ହାନିକାରକ, ପ୍ରକୃତରେ ତାହା ମାରାତ୍ମକ କ୍ୟାନସର୍ ବା କର୍କଟରୋଗକାରକ। ଶୀତଦିନେ ବାୟୁମଣ୍ଡଳ ଥଣ୍ଡାଥାଏ। ଗରମ ବାୟୁ ଉପରକୁ ଯାଏ, ଥଣ୍ଡାବାୟୁ ତଳକୁ ଆସେ। ତା’ର ଅର୍ଥହେଲା ଅନେକ ସମୟ ଯାଏଁ ଆମ ପ୍ରଶ୍ବାସରେ ଆମର ଶରୀର ଭିତରେ ଏହି ଦୂଷିତ ବାୟୁ ପ୍ରବେଶ କରେ, କାରଣ ଥଣ୍ଡା ଯୋଗୁଁ ଧୂଆଁ ଓ ଡାଇଓକ୍ସିନ ଗ୍ୟାସ ଉପରକୁ ନ ଉଠି ଆମେ ନିଃଶ୍ବାସ ପ୍ରଶ୍ବାସ ନେଉଥିବା ସ୍ତରରେ ରହେ। ଏହା ବାଦ ପତ୍ର ପୋଡ଼ିଲେ ଯେଉଁ ଧୂଆଁ ବାହାରେ ସେଥିରେ ଅଙ୍ଗାରକାମ୍ଳଠୁ ଆରମ୍ଭ କରି, କାର୍ବନ ମନୋକ୍ସାଇଡ୍ ନାପ୍ଖା ଇତ୍ୟାଦି ଥାଏ। ଆମ ଶ୍ବାସନଳୀ ସଂକ୍ରମଣ ତଥା ଫୁସ୍ଫୁସ୍ର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେଇଥିପାଇଁ ଶୀତଦିନେ ଥଣ୍ଡା କାଶର ପ୍ରାଦୁର୍ଭାବ ଅଧିକ ରହେ।
ଡାଇଓକ୍ସିନ୍ ଗ୍ୟାସ ବିଷୟରେ କିଛି ଅଧିକ ଜାଣିବା ଆବଶ୍ୟକ ପ୍ଲାଷ୍ଟିକ୍ ପଲିଥିନ ଇତ୍ୟାଦି ଜଳେଇଲେ ଏହି ଗ୍ୟାସ ବାହାରେ। ଯଦି ଖରାଦିନ ହୋଇଚି, ସେ ଉପରକୁ ଉଠିଯାଏ, ତେବେ ଆମର କ୍ଷତି କ’ଣ ହୁଏ? ପ୍ରଥମ କଥା ହେଲା ପୋଡ଼ିବା ସମୟରେ ଯାହା ଗ୍ୟାସ୍ ନିର୍ଗତ ହୁଏ ତାହା ପୂରା ଉପରକୁ ଉଠିବା ପୂର୍ବରୁ ଆମେ ସେଥିରୁ କିଛି ପ୍ରଶ୍ବାସରେ ଗ୍ରହଣ କରିଥାଉ, ତା’ ବାଦ୍ ଶୀତଦିନେ କୁହୁଡ଼ି, କାକରରେ ଓ ଖରାଦିନେ ବର୍ଷାରେ ତଳକୁ ଆସି ମାଟିରେ ମିଶେ ଓ ସେଥିରୁ ଯାହା ଫସଲ ଆମେ ଆଦାୟ କରୁ ସେହି ଫସଲ ଜରିଆରେ ଆମକୁ ଖାଦ୍ୟରେ ମିଶି ଆମେ ଗ୍ରହଣ କରିଥାଉ। ତେଣୁ ପ୍ରକୃତରେ ଶୀତ ବା ଖରାଦିନ, ପ୍ଲାଷ୍ଟିକ ଓ ପଲିଥିନ ପୋଡ଼ିଲେ କର୍କଟ ବା କ୍ୟାନସର ରୋଗରୁ ରକ୍ଷାନାହିଁ।
ଏବେ ଗାଁ ଗଣ୍ଡା କଥା ଦେଖିବା। ଶୀତଦିନେ ଆମେ ରାସ୍ତାରେ ଗଲାବେଳେ ଦୂରରେ ଥିବା ଗାଁମାନଙ୍କୁ ସକାଳେ ଦେଖିଲେ ଗୋଟେ ଧୂଆଁର ଆସ୍ତରଣ ଦେଖାଯାଏ। ବାହାରୁ କିଛିବାଟ ଦୁରରୁ ଏହା ଭଲଭାବେ ଜଣାପଡ଼େ କିନ୍ତୁ ଗାଁରେ ଥିବାଲୋକ ସେଇ ଧୂଆଁ ଆସ୍ତରଣଟି ଜାଣି ପାରନ୍ତି ନାହିଁ; ଅଥଚ ପ୍ରଶ୍ବାସରେ ସେଇ ଧୂଆଁ ଓ ତା’ସହ ସମସ୍ତ ପ୍ରକାର ହାନିକାରକ ପଦାର୍ଥ ହିଁ ଗ୍ରହଣ କରିଥାନ୍ତି।
କିଛିଦିନ ଆଗେ ଚାଳଛପର ଘର ସଂଖ୍ୟା ଯେତେବେଳେ ଅଧିକ ଥିଲା ଓ ରୋଷେଇପାଇଁ କାଠଚୁଲି ବ୍ୟବହାର କରୁଥିଲେ ସେତେବେଳ ସକାଳେ ଓ ସନ୍ଧ୍ୟାରେ ଚାଳ ଭିତର ଦେଇ ଧୂଆଁ ବାହାରୁଥିବା ଜଣାପଡ଼ୁଥାଏ। ଏବେ ଚାଳ ଛପର ଘର କମିଯାଇଛି ଓ କାଠଚୁଲି ମଧ୍ୟ କମିଯାଇଛି, ତଥାପି ରୋଷେଇ ବ୍ୟତୀତ ଧାନ ସିଝେଇବା ଇତ୍ୟାଦି କାମ ପାଇଁ କାଠ ଚୁଲିର ବ୍ୟବହାର ଚାଲୁରହିଚି। ଚୁଲିର ଧୂଆଁ ବ୍ୟତୀତ, ଗରିବଲୋକମାନେ ଶୀତର ଦାଉରୁ ରକ୍ଷା ପାଇବା ପାଇଁ କୁଟା କାଠି ଜାଳି ଧୁନି କରିଥାନ୍ତି। ସେଥିରେ ନିଆଁ ଚଞ୍ଚଳ ଧରିବାପାଇଁ ପ୍ଲାଷ୍ଟିକ, ପଲିଥିନରେ ନିଆଁ ଲଗେଇ ଥାଆନ୍ତି। ଚା’ ଜଳଖିଆ ଦୋକାନୀମାନେ ମଧ୍ୟ ପଲିଥିନ ସବୁ ଏକାଠି କରି ଜାଳିଥାନ୍ତି ଅନ୍ୟାନ୍ୟ ଅଳିଆ ସହ।
ଏବେ କିନ୍ତୁ ଆଉ ଏକ ଘଟଣା ଏସବୁକୁ ପଛରେ ପକେଇ ଦେଇଛି। ଡିସେମ୍ବର ଶେଷସୁଦ୍ଧା ଧାନକଟା ପ୍ରାୟ ଶେଷ ହେବ। ଜମିବାଡ଼ିରେ କାମ କରିବାକୁ ଲୋକ ସହଜରେ ମିଳୁନଥିବାରୁ ଓ ମଜୁରି ଅଧିକ ଥିବାରୁ ଚାଷୀମାନେ ଏବେ ମେସିନ୍ରେ କାଟିବାକୁ ଅଧିକ ପସନ୍ଦ କରୁଛନ୍ତି। ଏବେ ଧାନ କାଟି ଜମିରେ ହିଁ ସିଧାସଳଖ ଧାନ ଅମଳ କରି କେବଳ ଧାନତକ ନେଇ ଆସୁଛନ୍ତି ଓ ନଡ଼ାକୁ ଜମିରେ ଛାଡ଼ି ଦେଉଛନ୍ତି। ଗାଈଗୋରୁ, ପୋଢ଼ ମଇଁଷି ସଂଖ୍ୟା ବହୁତ କମି ଯାଇଥିବାରୁ ଓ ଛପର ପାଇଁ ନଡ଼ା ବିଶେଷ ଆବଶ୍ୟକ ପଡ଼ୁନଥିବାରୁ ଜମିରୁ ନଡ଼ା/ପାଳ ଆଣିବା ଆଉ ଜରୁରୀ ନୁହେଁ। ଏବେ ଛତୁ ଚାଷ ପାଇଁ କିଛି ନଡ଼ା ବ୍ୟବହାର ହେଉଛି କିନ୍ତୁ ସେ ନଗଣ୍ୟ। ଜମି ଚାଷକରିବା ପାଇଁ ଅସୁବିଧା ହେବ ଭାବି ଜମିର ଗୋଟିଏ କୋଣରେ ରଖି ପରେ ଶୁଖି ଆସିଲେ ସେଥିରେ ନିଆଁ ଲଗେଇ ଦେଉଛନ୍ତି। ଡିସେମ୍ବର/ଜାନୁଆରୀ ମାସରେ ଗାଁ ଚାରିପାଖେ ବିଲମାନଙ୍କରୁ ଧୂଆଁ ବାହାରି ବାୟୁମଣ୍ଡଳରେ ଗୋଟାଏ ଧୂଆଁର ବହଳିଆ ଆସ୍ତରଣ ସୃଷ୍ଟି ହେଉଛି ଓ ତାକୁ ଆମେ ପ୍ରଶ୍ବାସରେ ଗ୍ରହଣ କରୁଛେ। ଯେଉଁ ବାୟୁ ବା ପ୍ରାଣବାୟୁ ଆମର ବଞ୍ଚିବାପାଇଁ ଖାଦ୍ୟ ପାନୀୟଠାରୁ ଆହୁରି ଅଧିକ ପରିମାଣରେ ଓ ଅଧିକ ଜରୁରୀ ଆବଶ୍ୟକ, ତାକୁ ହିଁ ଆମେ ପ୍ରଦୂଷିତ କରିବାରେ ଲାଗିଛେ।
ଶୀତଦିନେ ସହଜେ ଘରେଘରେ କାଶ ସର୍ଦି ଓ ଜ୍ବର। ଏବେ କାଶ ହେଲେ ମାସାଧିକକାଳ ଲାଗି ରହୁଛି ଓ ଅନେକ ପ୍ରକାର ଆଣ୍ଟିବାୟୋଟିକ୍ ଖାଇବାକୁ ପଡ଼ୁଛି ଯାହାର ସୁଦୂର ପ୍ରଭାବ ରହିଛି ଦେହ ଉପରେ। ତା’ସହ ଏବର୍ଷ ମିଶିଲା କରୋନା ବା କୋଭିଡ୍। ଶୀତଋତୁ ଆରମ୍ଭ ହେଉହେଉ ୟୁରୋପରେ କୋଭିଡ୍ ସଂକ୍ରମଣ ଅଣାୟତ୍ତ ହୋଇପଡ଼ିଲାଣି ଯାହାଫଳରେ ବିଭିନ୍ନ ପ୍ରକାର କଟକଣା ପୁଣିଥରେ ଆରମ୍ଭ ହୋଇଯାଇଛି। ଲକ୍ଡାଉନ୍ ଯୋଗୁଁ ଜୀବିକା ଯିବ ଓ ଜୀବିକା ଗଲେ ଜୀବନ ଯିବ। ଲକ୍ ଡାଉନ ନହେଲେ କୋଭିଡ୍ରେ ଜୀବନ ଯିବ। ଏଣେ ମାରିଲେ ଗୋ ହତ୍ୟା, ତେଣେ ମାରିଲେ ବ୍ରହ୍ମହତ୍ୟା। ସେଇଥିପାଇଁ ସରକାରମାନେ ୟୁରୋପରେ ଲକ୍ଡାଉନ ଘୋଷଣା କରିବାପାଇଁ ବାଧ୍ୟ ହେଉଛନ୍ତି ଓ ଜନସାଧାରଣଙ୍କଠାରୁ ଜୀବିକା ଯିବା ଭୟରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛନ୍ତି।
ଶୀତ ଦିନରେ କୋଭିଡ୍ର ଭୟାବହତା ବୃଦ୍ଧି ଆଶଙ୍କା କରି ଆମ ସରକାର କୌଣସି ପ୍ରକାର ଢିଲାପଣ ନକରି ସତର୍କ ରହିବାପାଇଁ ପରାମର୍ଶ ଦେଇ ଠିକ୍ କରିଛନ୍ତି। କିନ୍ତୁ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ। ଆମର ଅନୁରୋଧ, ସହରାଞ୍ଚଳରେ ଶୁଖିଲା ପତ୍ର ପୋଡ଼ା, ଅଳିଆ ପୋଡ଼ା ବନ୍ଦକରି ସେଗୁଡ଼ିକୁ ସଂଗ୍ରହକରି କମ୍ପୋଷ୍ଟ କରନ୍ତୁ ଓ ତାକୁ ଲୋକମାନଙ୍କ ବାଡ଼ିବଗିଚା ପାଇଁ ବିକ୍ରି କରନ୍ତୁ। ଏ ସବୁର ପରିଚାଳନା ଭାର ସରକାର ନିଜେ ନନେଇ ସ୍ଥାନୀୟ ଅନୁଷ୍ଠାନ ବା ଯେଭଳି ଅଳିଆ ସଫା କରିବାପାଇଁ ବାହାର ଅନୁଷ୍ଠାନମାନଙ୍କୁ ଦାୟିତ୍ବ ଦେଇଛନ୍ତି, ସେମାନଙ୍କୁ ଦାୟିତ୍ବ ଦିଅନ୍ତୁ। ଯାହା ହେଲେ ମଧ୍ୟ ପତ୍ର ପୋଡ଼ିବାକୁ ଦିଅନ୍ତୁ ନାହିଁ। ସେହିଭଳି ଜମିରେ ଧାନ କାଟିବାପାଇଁ ଯେଉଁ ମେସିନ୍ ମାଲିକମାନେ ମେସିନ ବ୍ୟବହାର କରୁଛନ୍ତି ସେମାନଙ୍କୁ ନଡ଼ା/ ପାଳକୁ ଟିକ୍ଟିକ୍ କରି କାଟି ମାଟିରେ ମିଶାଇବାପାଇଁ ଥିବା ଯନ୍ତ୍ରକୁ ବ୍ୟବହାର କରିବାପାଇଁ ବାଧ୍ୟ କରନ୍ତୁ।
ଅପର ପକ୍ଷରେ ଜମିରେ ଧାନ କାଟିସାରିବା ପରେ ମୁଗ, ବିରି କୋଳଥ ଇତ୍ୟାଦି ବୁଣି ସାରିଲା ପରେ ଜମା ହୋଇଥିବା ନଡ଼ା, ପାଳକୁ ଜମିରେ ଚାଷୀମାନେ ବିଛେଇ ଦିଅନ୍ତୁ, ତା’ଫଳରେ ଜମିରେ ବତର ଅଧିକ ଦିନ ରହିବ, ଜିଆ ଓ ଅନ୍ୟ ସୂକ୍ଷ୍ମଜୀବମାନେ ବଞ୍ଚି ସଂଖ୍ୟା ବଢ଼ାଇବାପାଇଁ ଆବଶ୍ୟକ ଖାଦ୍ୟ ସହ ପରିବେଶ ପାଇବେ। ମାଟିର ଉର୍ବରତା ରକ୍ଷା କରିହେବ ଓ କିଣାସାରର ଆବଶ୍ୟକତା କମିବ ଓ କୃତ୍ରିମ ସାର ପ୍ରୟୋଗ ଯୋଗୁଁ ମାଟିର ଯାହା କ୍ଷତି ହେଉଛି, ସେଥିରେ ହ୍ରାସ ହେବ। କୃଷି ବିଭାଗ ତା’ର ସମସ୍ତ କର୍ମକର୍ତ୍ତାମାନଙ୍କୁ ଏଥିପାଇଁ ପୂରାଦମ୍ରେ କାମ କରିବାପାଇଁ ପରାମର୍ଶ, ଆଦେଶ ଦେବା ଜରୁରୀ ଆବଶ୍ୟକ। ଏଥିରେ ଆଦୌ ଢିଲାପଣ ରହିବା ଉଚିତ ନୁହେଁ। ଅନ୍ୟଥା ଶୀତର ପ୍ରକୋପ ସହ ପତ୍ରପୋଡ଼ା ଓ ଜମିରେ ନଡ଼ା ପୋଡ଼ାର ଧୂଆଁ ମିଶି କୋଭିଡ୍ ସଂକ୍ରମଣ ପାଇଁ ଉପଯୁକ୍ତ କ୍ଷେତ୍ର ପ୍ରସ୍ତୁତ ହେବ, ଅବସ୍ଥା ଅଣାୟତ୍ତ ହେବ।
ରାଧାମୋହନ
କଳିଙ୍ଗବିହାର, ଭୁବନେଶ୍ବର



