ସ୍ୱାଧୀନତା ପରେ ରାଷ୍ଟ୍ରପ୍ରେମ ଓ ଜାତୀୟତାବୋଧ ଖୁବ୍ ବୃଦ୍ଧି ପାଇଲା। ଜଗତୀକରଣ ମାଧ୍ୟମରେ ଆମେ ଅର୍ଥନୈତିକ ସଂସ୍କାର ଗ୍ରହଣ କଲୁ। ସମସ୍ତ ଦେଶକୁ ଏକତ୍ରୀକରଣ ପ୍ରକ୍ରିୟା ଦ୍ୱାରା ଏକାଠି ବାନ୍ଧିଲୁ। ଏହା ଗୋଟାଏ ସୂତ୍ର ଯାହା ବିକଶିତ ଦେଶଙ୍କର ସ୍ଥାଣୁ ଅବସ୍ଥା ଓ ପଛୁଆ ଦେଶଙ୍କ ଅନଗ୍ରସରତା ଦୂର କରିପାରିବ ବୋଲି ବିଶ୍ୱାସ କଲୁ। ଅର୍ଥନୈତିକ ସ୍ଥାଣୁତା ଲୋପ ପାଇଛି ସତ; ଘରୋଇକରଣ ଓ ବଜାରୀକରଣ ପ୍ରକ୍ରିୟା ଦ୍ୱାରା ଭାରତ ପୃଥିବୀରେ ଜାତୀୟ ଆୟରେ ଚତୁର୍ଥ ଓ ଅଭିବୃଦ୍ଧି ହାରରେ ପ୍ରଥମ ସ୍ଥାନ ହାସଲ କରିଛି। ସହରୀକରଣ ଆମ ଦେଶରେ ଅତି ଆକର୍ଷଣୀୟ ଓ ତୀବ୍ରତର ହୋଇଛି। ଆଧୁନିକୀକରଣ ଓ ଉପଭୋକ୍ତାବାଦର ମହାପ୍ରବାହରେ ଆମେ ସମସ୍ତେ ସାମିଲ୍ ହେଇଛୁ; କିନ୍ତୁ ବିଶ୍ୱୀକରଣ ଦ୍ୱାରା ବିଶ୍ୱ ଚେତନା ସଞ୍ଚରିତ ହେବା ପରିବର୍ତ୍ତେ ଆସିଲା ତୀବ୍ର ପ୍ରତିଯୋଗିତା। ବିଜ୍ଞାନ ମାନବସମାଜ କୈନ୍ଦ୍ରିକ ହେବା ପରିବର୍ତ୍ତେ ବଜାରକୈନ୍ଦ୍ରିକ ହୋଇଛି। ଆତ୍ମନିର୍ଭରଶୀଳତା ପରିବର୍ତ୍ତେ ଆସିଲା ନଗ୍ନ ନିର୍ଭରଶୀଳତା। ବିକାଶଶୀଳ ଦେଶଗୁଡ଼ିକର ଆମଦାନୀ-ରପ୍ତାନି ବ୍ୟବଧାନ ଅବିରତ ବୃଦ୍ଧି ପାଉଛି। ଆଧୁନିକୀକରଣ ସାଙ୍ଗରେ ଆସିଛି ଉଗ୍ର ଉପଭୋକ୍ତାବାଦ। ବିଶ୍ୱ ଭ୍ରାତୃତ୍ୱଭାବ ପରିବର୍ତ୍ତେ ଆସିଛି ଆତଙ୍କବାଦ ଓ ଯୁଦ୍ଧ ପ୍ରବଣତା।
ଆଜି ସମସ୍ତେ ସହରମୁହାଁ। ବସ୍ତୁବାଦୀ ଦୁନିଆରେ ସମସ୍ତେ ଭୋଗବାଦରେ ଲିପ୍ତ। ସହରୀ ସଭ୍ୟତା ମଣିଷ ଜାତିର ଇନ୍ଦ୍ରିୟମାନଙ୍କ ଦ୍ୱାରା ପ୍ରସାରିତ। ଯୋଗ୍ୟତା ବା ପ୍ରବୃତ୍ତି ଥାଉ କି ନ ଥାଉ, ନୀତି ଥାଉ କି ଅନୀତି ହେଉ ସମସ୍ତେ ନିଜନିଜ ସ୍ତରରେ କିଛି ଝାମ୍ପି ନେଇ ଧନ ସମ୍ପତ୍ତି ଠୁଳ କରିବାରେ ବିବ୍ରତ। ଆଜି ଶିକ୍ଷିତ ବର୍ଗ ଧନ ଅର୍ଜନ କରି ଅୟସ କରିବା ପ୍ରବଣତା ସହ ସମାଜରେ ସଫଳତା ହାସଲ କରିବା ମାନସିକତା ପୋଷଣ କରନ୍ତି। ବ୍ୟକ୍ତିକୈନ୍ଦ୍ରିକ ଜୀବନ ଓ ସ୍ୱାର୍ଥକୈନ୍ଦ୍ରକ ସମ୍ପର୍କ। ଅହଙ୍କାର, ଛଳନା, କୃତ୍ରିମତା, ସ୍ୱାର୍ଥପରତା ଓ ସମସ୍ତ ପ୍ରକାର ଅପରାଧ ପ୍ରବଣତା ବୃଦ୍ଧି ପାଉଛି। ସମସ୍ତଙ୍କ ଭିତରେ ତୀବ୍ର ଉପଭୋକ୍ତାବାଦ, ଆଳସ୍ୟଖୋର, ଅୟସଖୋର ଓ ଜିନିଷପତ୍ର ନଷ୍ଟ କରିବା ମନୋବୃତ୍ତି। ମଣିଷ ଏକ ମାତ୍ର ପ୍ରାଣୀ ଯିଏ ପ୍ରକୃତିର ଏକ ଅଂଶ ଭାବେ ଜୀବନଯାପନ କରିବା ପରିବର୍ତ୍ତେ ଏହାକୁ ଭୋଗ୍ୟବସ୍ତୁ ହିସାବରେ ବ୍ୟବହାର କରେ। ନିଜର ସୁଖ, ସୁବିଧା ପାଇଁ ପ୍ରାକୃତିକ ସମ୍ପଦକୁ ଅପଚୟ କରେ। ଯେତିକି ଉପଭୋଗ କରେ ତାଠୁଁ ଅଧିକ ନଷ୍ଟ କରେ। ପ୍ରକୃତିକୁ ଲୁଣ୍ଠନ କରେ। ତୀବ୍ର ଉପଭୋକ୍ତାବାଦ ଆଣିଛି ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ଜନିତ ସଙ୍କଟ। ଏହା ଅତ୍ୟନ୍ତ ଭୟାନକ ଘାତକ। କେବଳ ମାନବ ସମାଜ ଏଥିପାଇଁ ଦାୟୀ।
ପ୍ରାକୃତିକ ବିପର୍ଯ୍ୟୟ ବିଶ୍ୱର ସମସ୍ତ ଦେଶରେ ବାରମ୍ବାର ଘଟୁଛି। ଏହାର ତୀବ୍ରତା ଓ ପୁନଃପୁନଃତା ଦିନକୁ ଦିନ ବଢ଼ୁଛି। ସବୁ ଦେଶର ଅର୍ଥନୈତିକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଉଛି। ସମସ୍ତ ପ୍ରକାର ବିପର୍ଯ୍ୟୟର ସାମାଜିକ, ଅର୍ଥନୈତିକ ଓ ପାରିବେଶିକ ପ୍ରଭାବ ଖୁବ୍ ସଂକଟପୂର୍ଣ୍ଣ ଓ ସୁଦୂର ପ୍ରସାରୀ। ସମସ୍ତ ପ୍ରକାର ବିପର୍ଯ୍ୟୟର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ, ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ପ୍ରଭାବ ଥାଏ। ସୁନାମି, କରୋନା, ମରୁଡ଼ି, ମହାବାତ୍ୟା, ମହାବନ୍ୟା, ଭୋପାଳ ଗ୍ୟାସ ଦୁର୍ଘଟଣା, ଜାପାନର ଫୁକୁସିମା ତାଣ୍ଡବ ଲୀଳା ଇତ୍ୟାଦି ବାସ୍ତବରେ ଆକସ୍ମିକ ନୁହେଁ। ଜଙ୍ଗଲ ଓ ଜୈବବିବିଧତା ପୂର୍ଣ୍ଣ ପ୍ରାକୃତିକ ସମ୍ପଦର ଅବକ୍ଷୟ କରୋନା ପରି ଘାତକ ଭୂତାଣୁ ସୃଷ୍ଟି ପାଇଁ ଦାୟୀ। ମଣିଷ ବ୍ୟତୀତ ଆଉ କେହି ଦୀୟୀ ନୁହେଁ।
ଆମ ବିକାଶଧାରା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ। ଏ ପ୍ରକାର କ୍ଷିପ୍ର ଓ ଊର୍ଦ୍ଧ୍ବଗାମୀ ଅଭିବୃଦ୍ଧିର ସୁଫଳ ଖୁବ୍ ମୁଷ୍ଟିମେୟ ଲୋକ ଓ କୁଫଳ ସାରା ପୃଥିବୀ ଭୋଗୁଛି। ସୁଫଳ ଉପଭୋଗ କରୁଥିବା ଗୋଷ୍ଠୀ ଖୁବ୍ ଆଶାବାଦୀ; କିନ୍ତୁ କୁଫଳ ଭୋଗୁଥିବା ଅଧିକାଂଶ ଉଦାସୀନ। ବାସ୍ତବରେ ସାରା ପ୍ରାକୃତିକ ପରିବେଶ ଏହାର ସନ୍ତୁଳନ ହରାଉଛି। ପରିବେଶକୁ ଅଧିକରୁ ଅଧିକ ବିଷାକ୍ତ ମଣିଷ ହିଁ କରୁଛି। ପ୍ରାକୃତିକ ବିପର୍ଯ୍ୟୟର ଅତି ନିଗୂଢ଼ତମ କାରଣ ହେଉଛି ମଣିଷର ବସ୍ତୁବାଦୀ ଚିନ୍ତା ଓ ଭୋଗବାଦୀ ଲକ୍ଷ୍ୟ। ସାରା ବିଶ୍ୱରେ ‘ରୋଗ ବୋଝ’, ବିଶେଷକରି ଭାରତ ଭଳି ବିକାଶଶୀଳ ଦେଶମାନଙ୍କରେ ବୃଦ୍ଧି ପାଉଛି। ଆମ ଆଧୁନିକତା ଭିତରେ କୃତ୍ରିମତା ଭରି ଯାଉଛି। କ୍ଷଣିକ ସୁଖ ପାଇଁ ଦୀର୍ଘକାଳୀନ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ମଣିଷର ଗର୍ବ ଓ ଅଦୂରଦର୍ଶୀ ଆଚାର ଓ କାର୍ଯ୍ୟକଳାପ ସବୁବେଳେ ମଣିଷ ସମାଜର ଦୁଃଖର କାରଣ। ମୁକ୍ତ ବଜାର ଓ ମୁକ୍ତ ବୈଦେଶିକ ବାଣିଜ୍ୟ ବାସ୍ତବରେ ସାଜିଛି ‘ମୁକ୍ତ ଘୋଡ଼ାଚଢ଼ା’ ବ୍ୟବସ୍ଥା। ହତାଶାର ଗ୍ରାମୀକରଣ ଓ ଆଶାର ସହରୀକରଣ କରୁଛୁ। ଏହି କଥାର ଊର୍ଦ୍ଧ୍ବରେ ଆଉ ଏକ ସତ୍ୟକୁ ଆଦୌ ମାନିବାକୁ ଆମେ ସମ୍ପୂର୍ଣ୍ଣ ଅନ୍ଧ ଓ କାତର ସାଜିଛୁ। ତାହା ହେଲା ‘ଆମର ଜୟର ପରିଣାମ ହିଁ ଆମର ପରାଜୟ’। ଜୟ ଭିତରେ ପରାଜୟ ଲୁକ୍କାୟିତ।
ବସ୍ତୁବାଦୀ ସଭ୍ୟତାର ଉନ୍ନତି ଓ ବ୍ୟକ୍ତିକୈନ୍ଦ୍ରିକ ସଫଳତା ମାନବ ଜାତିର ବିଲୁପ୍ତିର କାରଣ ହେଲାଣି। କ୍ଷିପ୍ର ସହରୀକରଣ, ସନ୍ତୁଷ୍ଟୀକରଣ ନୀତି କିମ୍ବା ଉପଭୋକ୍ତାବାଦ ପ୍ରକୃତ ବିକାଶ ନୁହେଁ। ଶାରୀରିକ ପରିଶ୍ରମ ପ୍ରତି ଆଗ୍ରହ ଓ ଗ୍ରାମ୍ୟ ଜୀବନ ପ୍ରତି ବିମୁଖତା ସାମାଜିକ ଅଧୋଗତିର ମୁଖ୍ୟ କାରଣ। ଗ୍ରାମ ସହିତ ସମସ୍ତ ସମ୍ପର୍କ କାଟି ଦେଇ ସହରୀ କୃତ୍ରିମ ଜୀବନ ଆଦରି ନେବା ଖୁବ୍ ବିପଜ୍ଜନକ। ଉଭୟ ଉନ୍ନତ ଓ ବିକାଶଶୀଳ ଦେଶ ମଣିଷ ଜାତିର ‘ମୃତ୍ୟୁ ଘଣ୍ଟି’ ବଜାଉଛନ୍ତି। ଆମ ସ୍ୱାଧୀନତା ଓ ରାଷ୍ଟ୍ରବୋଧ, ଯୁଦ୍ଧପ୍ରବଣତାକୁ ଘନୀଭୂତ କରୁଛି। କ୍ଷଣସ୍ଥାୟୀ କ୍ଷିପ୍ରତା ଓ ଆକର୍ଷଣୀୟତା ଦୀର୍ଘକାଳୀନ ସ୍ଥିରତା ଓ ଅଭିବୃଦ୍ଧିର ପରିପନ୍ଥୀ ସାଜିଛି। କର୍ପୋରେଟ ସଂସ୍କୃତି ଦ୍ୱାରା କୌଣସି ସାମାଜିକ, ଅର୍ଥନୈତିକ, ପରିବେଶ ପ୍ରଦୂଷଣ, ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଯୁଦ୍ଧ ସମସ୍ୟାର ସମାଧାନ ହୋଇ ପାରିବ ନାହିଁ। ସବୁ ଦେଶ ବିକାଶ ପଥ ଓ ପନ୍ଥା ବଦଳାଇବା ଉଚିତ।
ଧର୍ମ ମଣିଷ ଜୀବନକୁ ସଙ୍କୁଚିତ କରିଦେଉଛି। କାରଣ ଧର୍ମ ଭିତରେ ସାମ୍ପ୍ରଦାୟିକତା ବୃଦ୍ଧି ପାଉଛି। ଯେଉଁ ଧର୍ମ ମଣିଷକୁ ଅମୃତର ସନ୍ଧାନ ଦେବା କଥା ସେହି ଧର୍ମ ତାକୁ ଅହଂସର୍ବସ୍ୱ ରାକ୍ଷସରେ ପରିଣତ କରୁଛି। ଧର୍ମ ନାମରେ ମଣିଷ ଅନେକ ଅଧର୍ମ କର୍ମରେ ଲିପ୍ତ। ଧାର୍ମିକତା ଓ ଆଧ୍ୟାତ୍ମିକତା ଭିତରେ ପାର୍ଥକ୍ୟ ହେଉଛି; ଧର୍ମର ଏକ ନିର୍ଦିଷ୍ଟ ସୀମା ରହିଛି, ମାତ୍ର ଆଧ୍ୟାତ୍ମିକତାର କୌଣସି ସୀମା ନଥାଏ। ଆଧ୍ୟାତ୍ମିକତା ଏକ ବିଶ୍ୱ ଚେତନାର ମାର୍ଗ; କିନ୍ତୂ ଧର୍ମ ଏକ ବିଶ୍ୱାସର ପୁଞ୍ଜି। ଏହା ସୁନ୍ଦର ଓ ଶାଶ୍ୱତ ରାସ୍ତା। ଧର୍ମ ବ୍ୟକ୍ତି ଓ ବ୍ୟକ୍ତିକୈନ୍ଦ୍ରିକ; କିନ୍ତୁ ଆଧ୍ୟାତ୍ମିକତା ବିଶ୍ୱ ବା ମାନବ କୈନ୍ଦ୍ରିକ। ଆଜି ଧାର୍ମିକ ବ୍ୟକ୍ତି ନିଜ ସ୍ୱାର୍ଥକୁ ତ୍ୟାଗ କରିପାରୁ ନାହିଁ। ଅହଂକାର, ହିଂସା ଭିତରେ ରହି ବାହାରେ ଦୟାଳୁ ବ୍ୟକ୍ତିର ମୁଖାପିନ୍ଧା ପରିଚିତି। ବାହାରେ ଶ୍ରଦ୍ଧାଳୁ; କିନ୍ତୁ ଭିତରେ ନିଷ୍ଠୁର। ଛଳନା ଓ ମିଛର ଆଶ୍ରୟ ନେଇ ନିଜକୁ ଧାର୍ମିକର ଆତ୍ମପ୍ରଚାର କରୁଛି। ଶିକ୍ଷିତ ବ୍ୟକ୍ତି ଆତ୍ମବଡ଼ିମାରେ ବିଭୋର।
ଭୌତିକ ବିକାଶ ପରେ ସମାଜ ବୌଦ୍ଧିକତା ମାର୍ଗକୁ ଉତ୍ତରିତ ହୁଏ; କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥା ଆଦୌ ଜୀବନ ସମ୍ପର୍କିତ ନୁହେଁ। ଦୀକ୍ଷା ଓ ବିବେକ ବିହୀନ ଶିକ୍ଷା ବିପଜ୍ଜନକ। ବୌଦ୍ଧିକତା ବିବେକାନୁମୋଦିତ ନହେଲେ ଭସ୍ମାସୁର ସାଜେ। ଜ୍ଞାନବିଜ୍ଞାନର ଦିଗ ଜ୍ଞାନର ଗଭୀରତାଠାରୁ ଗୁରୁତ୍ୱପୂର୍ଣ୍ଣ। ସମଗ୍ର ବିଶ୍ୱ ସମାଜ ଜ୍ଞାନ ବିଜ୍ଞାନର ପୁଞ୍ଜିକୁ ଉପଯୁକ୍ତ ବ୍ୟବହାର ନ କରିବା ଦ୍ୱାରା ଆଜି ସମଗ୍ର ବିଶ୍ୱ ପଥଭ୍ରଷ୍ଟ। ସବୁ ଦେଶରେ ସ୍ୱାଧୀନତା ପରେ ଭୌତିକ ଓ ବୌଦ୍ଧିକ ଉନ୍ନତି ଘଟିଛି। ପରିତାପର ବିଷୟ, ଏତେ ଆଧୁନିକତା ସତ୍ତ୍ବେ ଆତଙ୍କବାଦୀ କାର୍ଯ୍ୟକଳାପ ସାଙ୍ଗେ ଯୁଦ୍ଧ ପ୍ରବଣତା ପୃଥିବୀ ସାରା ବୃଦ୍ଧି ପାଉଛି। ଏବେ ବିଶ୍ୱର ସବୁ କୋଣରେ ଯୁଦ୍ଧ ଲାଗି ରହିଛି। ସେଥିପାଇଁ ମଣିଷ ଆଜି ବିଶ୍ୱଯୁଦ୍ଧର ଆଶଙ୍କାଗ୍ରସ୍ତ। ବୈଜ୍ଞାନିକମାନେ ଯୁଦ୍ଧାସ୍ତ୍ର ତିଆରି କରିବାରେ ବ୍ୟସ୍ତ। ବିକଶିତ ଦେଶ ସବୁ ଯୁଦ୍ଧାସ୍ତ୍ର ପଛୁଆ ଦେଶମାନଙ୍କୁ ବିକ୍ରି କରି ଯୁଦ୍ଧ ଚାଲୁ ରଖିବାକୁ ପରୋକ୍ଷରେ ଅନୁମୋଦନ କରୁଛନ୍ତି। ବିପୁଳ ଯୁଦ୍ଧ ଖର୍ଚ୍ଚ ବିକାଶର ବାଧକ। ପରମାଣୁ ବୋମାର ଉଦ୍ଭାବନ ଦ୍ୱାରା ଗୋଟିଏ ବଟନ ଦବାଇଲେ ସାରା ପୃଥିବୀ ଧ୍ୱଂସ ହେଇଯିବ। ତେଣୁ ଶକ୍ତିଶାଳୀ ଦେଶମାନଙ୍କ ହାତରେ ବିଶ୍ୱର ଭବିଷ୍ୟତ। ପଶୁରୁ ମଣିଷ ହେଇଛୁ; କିନ୍ତୁ ମଣିଷରୁ ପଶୁ ହେବା ହାସ୍ୟାସ୍ପଦ। ଆଧୁନିକ/ଶିକ୍ଷିତ ମଣିଷ ପଶୁଠାରୁ ବେଶି ହିଂସ୍ର ଓ ଜଙ୍ଗଲୀ। ଏହାର ମୁଖ୍ୟ କାରଣ ହେଉଛି ମଣିଷର ଅହଂକାର; ମଣିଷପଣିଆ ମାର୍ଗରୁ ବିଚ୍ୟୁତି। ତେଣୁ ଆଜି ସାରା ପୃଥିବୀରେ ବୁଦ୍ଧ ଓ ଗାନ୍ଧୀଙ୍କ ଦର୍ଶନର ପ୍ରାସଙ୍ଗିକତା ବୃଦ୍ଧି ପାଇଛି। ସରଳ ଜୀବନ ହିଁ ସୁଖୀ ଜୀବନ। କାମନାର ବିନାଶରେ ଦୁଃଖର ବିନାଶ। ଦୈନନ୍ଦିନ ଜୀବନକୁ ସରଳ ଶୃଙ୍ଖଳିତ ଓ ଭୟମୁକ୍ତ କରିବା ଉଚିତ। ସରଳତା ହିଁ ପ୍ରାକୃତିକତା ଏବଂ ପ୍ରାକୃତିକତା ହିଁ ଆଧ୍ୟାତ୍ମିକତା। ଆଧ୍ୟାତ୍ମିକତା ମାର୍ଗରେ ବ୍ୟକ୍ତି ନିଜ ଜୀବନକୁ ବନ୍ଧନ ମୁକ୍ତ, ଭୟମୁକ୍ତ ଏବଂ ଶାନ୍ତିଯୁକ୍ତ କରିପାରିବ। ଯୁଦ୍ଧ ପ୍ରବଣତା ହ୍ରାସ ଘଟିବ। ନବ୍ୟ ମାନବବାଦ ଦ୍ୱାରା ଯୁଦ୍ଧ ମୁକ୍ତ ପୃଥିବୀ ସମ୍ଭବ। ତଦ୍ଦ୍ବାରା ବିଶ୍ୱ ଶାନ୍ତି ପ୍ରତିଷ୍ଠା ହୋଇପାରିବ।
କୁମାରବର ଦାସ
ପ୍ରାକ୍ତନ କୁଳପତି, ଫକିରମୋହନ ବିଶ୍ୱବିଦ୍ୟାଳୟ



