www.samajalive.in
Saturday, December 13, 2025
14.1 C
Bhubaneswar

ବିଶ୍ୱକୁ ବିପଦ

ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର କୌଣସି ନା କୌଣସି ପକ୍ଷରେ ଯୋଗ ଦେଉଥିବାରୁ ଏହା ଦିନକୁ ଦିନ ଭୟଙ୍କର ହେବା ସହ ବିଶ୍ୱ ପାଇଁ ବିପଦ ପାଲଟିବାକୁ ଯାଉଛି

ରୁଷିଆ-ୟୁକ୍ରେନ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଦିନକୁ ଦିନ ଏହା ଅଧିକ ପ୍ରସାରିତ ହେବାରେ ଲାଗିଛି। ଉଭୟ ରାଷ୍ଟ୍ର ପରସ୍ପର ଉପରେ ମାରାତ୍ମକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଚାଲିଛନ୍ତି। ଏଥିରେ ୟୁକ୍ରେନ ଏକପ୍ରକାର ଧ୍ୱଂସସ୍ତୂପରେ ପରିଣତ ହୋଇସାରିଲାଣି। ଏହି ଯୁଦ୍ଧ ଦେଢ ବର୍ଷରୁ ଅଧିକ କାଳ ହେଲା ଚାଲିଥିବାବେଳେ ତାହାକୁ ନେଇ ବିଶ୍ୱରେ ଖାଦ୍ୟ ଓ ପେଟ୍ରୋଲିୟମ ଇନ୍ଧନ ଭଳି ସମସ୍ୟା ଦେଖାଦେଇଛି। ତାହାର ପ୍ରଭାବ ବିଶ୍ୱବ୍ୟାପୀ ପଡୁଥିବାବେଳେ ଗତ ସପ୍ତାହରେ ଶନିବାର ଅତର୍କିତ ଭାବରେ ହମାସ୍‌‌ ଆତଙ୍କବାଦୀଙ୍କର ଇସ୍ରାଏଲ ଉପରେ ଆକ୍ରମଣ ଏବଂ ଇସ୍ରାଏଲ ପକ୍ଷରୁ ତାହାର ପ୍ରତିଜବାବ ଏବେ ସାରା ବିଶ୍ୱ ପାଇଁ ବିପଦ ପାଲଟିଛି। ହମାସ୍‌‌ ଆତଙ୍କୀଙ୍କୁ ସମୂଳ ନିପାତ କରିବାକୁ ଇସ୍ରାଏଲୀ ଡିଫେନ୍ସ ଫୋର୍ସ ପଣ କରିଛି। ଇତିମଧ୍ୟରେ ହମାସ୍‌‌ର ପ୍ରାୟ ତିନିଲକ୍ଷ ସୈନିକ ସମୁଦାୟ ଗାଜା ଅଞ୍ଚଳକୁ ଘେରଉ କରିସାରିଛନ୍ତି। ଇସ୍ରାଏଲ ସୈନ୍ୟଙ୍କୁ ଆମେରିକା, ବ୍ରିଟେନ ପ୍ରଭୃତି ରାଷ୍ଟ୍ର ସାମରିକ ସହାୟତା ଯୋଗାଇବା ଆରମ୍ଭ କରିଛନ୍ତି। ଆମେରିକା ତାହାର ଯୁଦ୍ଧ ବିମାନବାହୀ ନୌଭେଳାକୁ ଭୂମଧ୍ୟ ସାଗରରେ ମୁତୟନ କରିସାରିଛି। ତାହା ସହିତ ଆମେରିକାର ଦକ୍ଷ କମାଣ୍ଡୋମାନେ ଇସ୍ରାଏଲୀ ସୈନ୍ୟଙ୍କ ସହିତ ମିଶି ହମାସ୍‌‌ ଆତଙ୍କୀ ଅପହରଣ କରିନେଇଥିବା ଲୋକଙ୍କୁ ମୁକ୍ତ କରିବାକୁ ଭୂଭାଗରେ ଅଭିଯାନ ଆରମ୍ଭ କରିଛନ୍ତି।

- Advertisement -

ସପ୍ତମ ଦିନ ସୁଦ୍ଧା ହମାସ୍‌‌ ଆତଙ୍କୀଙ୍କ ଆକ୍ରମଣରେ ଇସ୍ରାଏଲର ୧୭୦୦ରୁ ଅଧିକ ସାଧାରଣ ନାଗରିକ ଏବଂ ସୈନ୍ୟଙ୍କର ମୃତ୍ୟୁ ଘଟିଥିବାବେଳେ ଇସ୍ରାଏଲର ଜବାବୀ ଆକ୍ରମଣରେ ଗାଜାରେ ୧୬୦୦ ପାଖାପାଖି ନାଗରିକ ଓ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏହା ବ୍ୟତୀତ ଉଭୟ ଇସ୍ରାଏଲ ଓ ଗାଜାରେ ହଜାର ହଜାର ସଂଖ୍ୟାରେ ଲୋକ ଆହତ ହେଲେଣି। ଯୁଦ୍ଧ ସମୟରେ ପ୍ରକୃତ ମୃତାହତଙ୍କ ସଂଖ୍ୟା ଆକଳନ କରିବା କଷ୍ଟକର ବୋଲି କୁହାଯାଉଛି। ଏବେ ଏହି ଯୁଦ୍ଧକୁ ନେଇ ବିଶ୍ୱ ବସ୍ତୁତଃ ଦୁଇଭାଗ ହେବାକୁ ବସିଛି। ଇସ୍ରାଏଲକୁ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଆଦି ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ ଜଣାଇଥିବାବେଳେ ହମାସ୍‌‌ ଆତଙ୍କୀ ଏବଂ ଏହାର ସୃଷ୍ଟିକର୍ତ୍ତା ପାଲେଷ୍ଟାଇନକୁ ଜୋର୍ଡାନ, ସିରିୟା, ତୁର୍କୀ, ଇରାନ, ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନ, ରୁଷିଆ, ଚୀନ ଆଦି ରାଷ୍ଟ୍ର ଖୋଲାଖୋଲି ସମର୍ଥନ ଜଣାଇଛନ୍ତି। ହମାସ୍‌‌ ଆତଙ୍କୀମାନେ ଇସ୍ରାଏଲରୁ ଅପହରଣ କରିନେଥିବା ଶିଶୁ, ମହିଳା ଓ ନାଗରିକଙ୍କୁ ମୁକ୍ତ କରିବାକୁ ଇସ୍ରାଏଲ ନିକଟରେ ରଖିଥିବା ସର୍ତ୍ତକୁ ଇସ୍ରାଏଲ ସରକାର ଗ୍ରହଣ କରିନାହାନ୍ତି। ଏଥର ନେତାନ୍ୟାହୁଙ୍କ ସରକାର ପ୍ରାୟ ଦଶବର୍ଷ ତଳେ ତାଙ୍କ ଦେଶ କରିଥିବା ଭୁଲ ଦୋହରାଇବାକୁ ଚାହୁଁନାହାନ୍ତି। କାରଣ ସେହି ସମୟରେ ଜଣେମାତ୍ର ଇସ୍ରାଏଲୀ ସୈନ୍ୟଙ୍କୁ ହମାସ୍‌‌ କବଳରୁ ମୁକ୍ତ କରିବାକୁ ଇସ୍ରାଏଲ ସରକାର ଶତାଧିକ ହମାସ୍‌‌ ଆତଙ୍କୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ।

ଏଥର କିନ୍ତୁ ନେତାନ୍ୟାହୁ ପଣ କରିଛନ୍ତି, ହମାସ୍‌‌ର ସମୂଳ ବିନାଶ। ସେ ଏହା ମଧ୍ୟ କହିଛନ୍ତି, ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିନାହିଁ; କିନ୍ତୁ ଏହା ଯୁଦ୍ଧ ଶେଷ କରିବ ଏବଂ ସାରା ବିଶ୍ୱ ଆତଙ୍କବାଦୀଙ୍କର କିଭଳି ମୂଳୋତ୍ପାଟନ କରାଯାଏ ତାହା ଦେଖିବ। ଅବଶ୍ୟ ନେତନ୍ୟାହୁଙ୍କର ଏଭଳି ଯୁକ୍ତି ଯଥାର୍ଥ ମନେହୁଏ। ସାରା ବିଶ୍ୱ ଆତଙ୍କବାଦୀଙ୍କୁ ନେଇ ଯେଉଁଭଳି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେଉଛି, ସେମାନଙ୍କର ସମ୍ପୂର୍ଣ୍ଣ ବିନାଶ ଏବଂ ସେମାନଙ୍କ ସମର୍ଥକ, ପୃଷ୍ଠପୋଷକଙ୍କର ବିନାଶ ଅପରିହାର୍ଯ୍ୟ ହୋଇପଡ଼ିଛି। ଏହି ଯୁଦ୍ଧରେ ଗୋଟିଏ ପରେ ଗୋଟିଏ ରାଷ୍ଟ୍ର କୌଣସି ନା କୌଣସି ପକ୍ଷରେ ଯୋଗ ଦେଉଥିବାରୁ ଏହା ଦିନକୁ ଦିନ ଭୟଙ୍କର ହେବା ସହିତ ସାରା ବିଶ୍ୱ ପାଇଁ ବିପଦ ପାଲଟିବାକୁ ଯାଉଛି ବୋଲି ସାମରିକ ବିଶେଷଜ୍ଞ ଚେତାଇ ଦେଇଛନ୍ତି। ଗାଜାରେ ଏବେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ସେଠାରେ ଯୁଦ୍ଧ ପରେ ରହୁଥିବା ପ୍ରାୟ ତେର ଲକ୍ଷ ଲୋକଙ୍କ ପାଇଁ ବିଦ୍ୟୁତ୍‌‌, ପିଇବା ପାଣି, ଖାଦ୍ୟ ନାହିଁ। ସବୁକିଛି ଯୋଗାଣକୁ ଇସ୍ରାଏଲ ଅବରୋଧ କରି ରଖିଛି। ଇସ୍ରାଏଲ ଭଳି ବୈଷୟିକ, ପ୍ରଯୁକ୍ତି ଓ ସାମରିକ ଦୃଷ୍ଟିରୁ ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ର ହମାସ୍‌‌ ଆତଙ୍କୀଙ୍କୁ ନିପାତ କରିବା ପ୍ରୟାସରେ ଲାଗିଥିବାବେଳେ ହମାସ୍‌‌ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଏବେ ପ୍ରତି ମୁହୂର୍ତ୍ତରେ ରକେଟ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରାଯାଉଛି। ସେମାନଙ୍କୁ ସାମରିକ ତାଲିମ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ପଛରେ ଚୀନ, ଇରାନ ଆଦି ରାଷ୍ଟ୍ରର ହାତ ରହିଥିବା କୁହାଯାଉଛି। ପରିସ୍ଥିତି ଏଭଳି ହୋଇଛି ଯେ, ଏବେ ଦୁଇ ଧର୍ମ ବା ଦୁଇ ବିଶ୍ୱାସକୁ ନେଇ ମଧ୍ୟପ୍ରାଚ୍ୟରେ ରକ୍ତପାତ ଚାଲିଛି। ଏହା ସାରା ବିଶ୍ୱକୁ ବ୍ୟାପିବ ବୋଲି ଅନେକ ଚେତାଇ ଦେଇସାରିଲେଣି। କହିବାକୁ ଗଲେ ଏହି ଯୁଦ୍ଧ ଏବେ ସାରା ବିଶ୍ୱ ପାଇଁ ବିପଦ ପାଲଟିବାକୁ ଯାଉଛି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories