ଯୁଦ୍ଧ ଆଉ କେତେ କାଳ?
ବର୍ତ୍ତମାନ ଯୁଦ୍ଧ ନୁହେଁ ; ଶାନ୍ତି, ସଦ୍ଭାବନାର ସହ ଏକମାତ୍ର ପୃଥିବୀ ଗ୍ରହରେ ବସବାସ କରିବାର ସମୟ
ପୃଥିବୀପୃଷ୍ଠର ଶ୍ରେଷ୍ଠ ଜୀବ ବୋଲି ମାନ୍ୟତା ପାଇଥିବା ମଣିଷର ଅତୀତରୁ ବର୍ତ୍ତମାନ ଯାଏ ଯୁଦ୍ଧଖୋର ଚରିତ୍ରର ଆଚରଣ ଓ ଉଚ୍ଚାରଣକୁ ଦେଖିଲେ ଆମକୁ ସ୍ବତଃ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ। ଯୁଦ୍ଧ ହିଁ ଧ୍ବଂସ, ନରସଂହାର, ବୀଭତ୍ସ ଆଚରଣ, ନିର୍ଦୟ ହୃଦୟର ପରିଚୟ। ମହାଭାରତ, ରାମାୟଣ ଯୁଦ୍ଧ ସମୟର ଘନଘଟା, ହଜାର ହଜାର ସୈନ୍ୟ ତଥା ସାଧାରଣ ଲୋକଙ୍କ ନିର୍ଦୟ ହତ୍ୟା ଓ ନରସଂହାରର ଚିତ୍ର ଆମେ ପଢ଼ିଛୁ। ସେତେବେଳର ଯୁଦ୍ଧ ଏକ ନିର୍ଦିଷ୍ଟ ନିୟମ ଅନୁସାରେ ଚାଲିଥିଲା। ବିଂଶ ଶତାବ୍ଦୀରେ ଘଟିଥିବା ଦୁଇଟି ବିଶ୍ବଯୁଦ୍ଧର ବିଭୀଷିକା ଓ ଧ୍ବଂସଲୀଳା ସହ ଉଭୟ ପକ୍ଷର ଲକ୍ଷଲକ୍ଷ ଲୋକଙ୍କର ମୃତ୍ୟୁ ସୂଚାଇଦିଏ ଯେ, ମଣିଷ କେତେ କ୍ରୂର ଆଚରଣ ନିଜ ପ୍ରଜାତି ସହ କରିପାରେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ସୋଭିଏତ୍ ରୁଷର ୩ଲକ୍ଷ ସୈନ୍ୟ, ଜର୍ମାନୀର ୩ଲକ୍ଷ ୩୫ହଜାର ସେନା, ଇଂଲଣ୍ଡର ୩ଲକ୍ଷରୁ ଅଧିକ ସୈନ୍ୟ ଯୁଦ୍ଧକ୍ଷେତ୍ରରେ ଯେ ମୃତ୍ୟୁବରଣ କରିଥିଲେ ତାହା ନୁହେଁ; ପରନ୍ତୁ ଏହି ମହାସମରରେ ପ୍ରାୟ ୩୮ନିୟୁତ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିବା ସହ ପୃଥିବୀ ଏକ ଧ୍ବଂସସ୍ତୂପରେ ପରିଣତ ହେବାଭଳି ଅବସ୍ଥା ସୃଷ୍ଟି ହୋଇଥିଲା।
ଏହି ଯୁଦ୍ଧ ସମୟରେ କ୍ରମାଗତ ଭାବେ ୧୫୪ଦିନ ଧରି ବୋମାବର୍ଷଣ ହେବା ସହ ୬୭୦୦ଟନ୍ ବିସ୍ଫୋରକ ଭୂପୃଷ୍ଠରେ ନିକ୍ଷେପ କରାଯାଇଥିଲା। ବ୍ରିଟେନ୍, ଫ୍ରାନ୍ସ ଓ ପୋଲାଣ୍ଡରେ ସବୁଠାରୁ ବେଶୀ ପରିମାଣର ବୋମା ପଡ଼ିଥିଲା। ଧ୍ବଂସ ସ୍ତୂପରେ ପରିଣତ ହୋଇଥିବା ଆମର ଏକମାତ୍ର ବାସସ୍ଥଳୀ ପୃଥିବୀବାସୀ ଏତେସବୁ ମନୁଷ୍ୟକୃତ ବିପତ୍ତି ସହ ବିଭୀଷିକାକୁ ଦେଖି ସେଥିରୁ କ’ଣ ଶିଖିଲେ ବୋଲି ମନରେ ପ୍ରଶ୍ନଉଠେ। ବିଗତ ଦିନର ତିକ୍ତ ଅନୁଭୂତିରୁ ଆମେ ଜାଣିଲେଣି ଏତେ ସବୁ ହରାଇ ସାରିବା ପରେ ମଧ୍ୟ କେତେଜଣ ନେତାଙ୍କର ଯୁଦ୍ଧଖୋର ନୀତି ପାଇଁ ଅନେକ ନିରୀହ ଶିଶୁ, ନାରୀ, ଜୀବଜନ୍ତୁ ଅକଥନୀୟ ଯନ୍ତ୍ରଣା ସହ ମୃତ୍ୟୁମୁଖରେ ପଡୁଛନ୍ତି। ତେବେ ଆମେ ଚେତିବା କେବେ? ସାଧାରଣ ଜନତା ପୃଥିବୀର ତଥାକଥିତ ଶିକ୍ଷିତ ମନେହେଉଥିବା ନେତୃବୃନ୍ଦଙ୍କ ପାଇଁ କେତେକ ଦେଶ ଯୁଦ୍ଧମୁହାଁ ହେଉଛି ବୋଲି କହି ସେମାନଙ୍କୁ ଦୋଷୀ କରୁଛନ୍ତି; ଦୁଃଖ ତଥା ପରିତାପର ବିଷୟ ହେଲା, ବିଗତ ଦେଢ଼ବର୍ଷ ଧରି ଚାଲିଆସିଥିବା ରୁଷ ଓ ୟୁକ୍ରେନ୍ ଯୁଦ୍ଧ ଉପରେ ଆଲୋକପାତ କଲେ ଜଣାଯାଏ ଯେ, ୨୦୨୩ ମସିହାରେ ୟୁକ୍ରେନ୍ର ୧୬ହଜାର ୫୦୨ଜଣ ବେସାମରିକ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୭,୨୦୬ଜଣ ଆହତ ହୋଇଛନ୍ତି। ସେହିପରି ରୁଷର ୭୦ହଜାର ସୈନ୍ୟ ଓ ୪୨ହଜାରରୁ ଅଧିକ ସଂଖ୍ୟକ ସାଧାରଣ ଲୋକ ମୃତ୍ୟୁମୁଖରେ ପଡ଼ିଥିବା କଥା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଏହା ବ୍ୟତୀତ ଯୁଦ୍ଧ ଆରମ୍ଭ ହେବା ଦିନରୁ ବିଗତ ଦେଢ଼ବର୍ଷ ମଧ୍ୟରେ ରୁଷିଆର ୧ଲକ୍ଷ ୨୦ହଜାର ସୈନ୍ୟ ମୃତ୍ୟୁମୁଖରେ ପଡ଼ିଥିବାବେଳେ ୧ଲକ୍ଷ ୮୦ହଜାର ସୈନ୍ୟ ଆହତ ହୋଇଛନ୍ତି। କେବଳ ୨୦୨୩ରେ ଏଠାରେ ମୋଟ ୮୪୯୯ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୧୧,୫୦୦ ସୈନ୍ୟଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ବର୍ତ୍ତମାନ ସୁଦ୍ଧା ଅକାଳରେ ଏତେ ଲୋକଙ୍କର ମୃତ୍ୟୁ ସହ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ବିଶ୍ବବାସୀଙ୍କୁ ବ୍ୟଥିତ କରୁଛି। ସୁନ୍ଦର ସୌଧରାଜି ଆଜି ଧ୍ବଂସସ୍ତୂପରେ ପରିଣତ ହୋଇଛି। ଗୋଳାବାରୁଦର ପାହାଡ଼ ତଳେ ଏବେ ଜୀବନର ଆଧାର ମାଟି ନଷ୍ଟ ହୋଇଗଲାଣି। ଆମେ ଜାଣିବା ଦରକାର ଯେ ୟୁକ୍ରେନ୍ରେ ପୃଥିବୀର ସବୁଠାରୁ ଅଧିକ ଗହମ ଉତ୍ପନ୍ନ ହୋଇଥାଏ। ଉତ୍ପାଦନକ୍ଷମ ଅଧିକାଂଶ ଜମି ଏବେ ମୃତପ୍ରାୟ। ରୁଷିଆର ଅବସ୍ଥା ମଧ୍ୟ ସେହିପରି। ପ୍ରତ୍ୟେକ ଦିନ ଉଭୟ ଦେଶ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି ଓ ଧ୍ବଂସର ଲୀଳା କ୍ରମାନ୍ବୟରେ ଘଟାଇ ଚାଲିଛନ୍ତି। ସବୁଠାରୁ ଉଦ୍ବେଗଜନକ ଘଟଣା ହେଉଛି ଏହିଭଳି ଯୁଦ୍ଧ ସମୟରେ ରୁଷ ପକ୍ଷରୁ ବାରମ୍ବାର ପରମାଣୁ ବୋମା ପକାଯିବାର ଧମକ ଦିଆଯିବା ଯୋଗୁଁ ପୃଥିବୀବାସୀ ଭୟଭୀତ ହୋଇଯାଉଛନ୍ତି। ଏବେ ସର୍ବାଧିକ ପରମାଣୁ ବୋମାକୁ ନିଜ ପାଖରେ ରଖିଥିବା ପୃଥିବୀର ଏକନମ୍ବର ଦେଶ ହେଉଛି ରୁଷ୍। ଗତ ୯ ତାରିଖରେ ୟୁକ୍ରେନ୍ରେ ଆହତଙ୍କ ସେବା କାର୍ଯ୍ୟରେ ନିୟୋଜିତ ଥିବା କେତେକ ବିଦେଶୀ ସମାଜସେବୀଙ୍କ ଉପରେ ରୁଷ୍ର ଡ୍ରୋନ୍ ଆକ୍ରମଣ ଯୋଗୁଁ ୨ଜଣଙ୍କର ମୃତ୍ୟୁ ଘଟିବା ସହିତ ଅନେକ ଗୁରୁତର ଆହତ ହେବା ଘଟଣା ଯୁଦ୍ଧର ଭୟଙ୍କର ସ୍ଥିତି ସହ ଅମାନବୀୟ ଆଚରଣ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି।
ଏକବିଂଶ ଶତାବ୍ଦୀରେ ଯେତେବେଳେ ପୃଥିବୀ ଆଡ଼କୁ ଅନେକ ପରିବେଶଜନିତ ବିପତ୍ତି ମାଡ଼ିଆସୁଛି ସେଥିରୁ ପୃଥିବୀର ବର୍ଦ୍ଧିତ ଜନତାଙ୍କୁ ଆମେ ସୁରକ୍ଷିତ କରିବା ବିଷୟରେ ଚିନ୍ତା ନ କରି ବିସ୍ତାରବାଦୀ ତଥା ସଂକୀର୍ଣ୍ଣ ଚିନ୍ତାଧାରାରେ କବଳିତ ନେତା ବିକାଶ ଛାଡ଼ି, ଏବେ ସମଗ୍ର ପୃଥିବୀକୁ ଧ୍ବଂସ କରିବାରେ ବ୍ରତୀ ହେବା ଭଳି ମନେହେଉଛି। ଆମେ ଭାରତୀୟ ହିସାବରେ ‘ବସୁଧୈବ କୁଟୁମ୍ବକମ୍’ ଭଳି ବାର୍ତ୍ତା ଉପରେ ଭରସା ରଖିବୁ ଏବଂ ପ୍ରସାର କରିବାକୁ ଉଚିତ ମନେକରିବୁ। ଏବେ ଯୁଦ୍ଧ ନୁହେଁ; ଶାନ୍ତି, ସଦ୍ଭାବନା ଓ ଭ୍ରାତୃଭାବନା ସହ ରହିବାର ବେଳ। ଏହାକୁ ଯୁଦ୍ଧଖୋର କେତୋଟି ଦେଶର ମୁଖ୍ୟ ବୁଝିବା ଆବଶ୍ୟକ।
Comments are closed.