ଜାତି ନନ୍ଦିଘୋଷ…
ସ୍ବତନ୍ତ୍ର ଓଡ଼ିଶାର ୧୦୦ ବର୍ଷର ରୂପରେଖକୁ ନେଇ ନାନା ପ୍ରଶ୍ନ। ଆଉ ମାତ୍ର ଗୋଟିଏ ଦଶନ୍ଧି ପରେ ଶ୍ରେଷ୍ଠ ଓଡ଼ିଶା ଦେଖିବା ନା କ୍ଷୟିଷ୍ଣୁ ଓଡ଼ିଶାର ନିରବ ଦର୍ଶକ ସାଜିବା ? କଷ୍ଟଲବ୍ଧ ପ୍ରଦେଶର ସୁରକ୍ଷା ପାଇଁ ଆମ ଭିତରେ ଏକତାର ଅଭାବ ଦେଖିଲାବେଳକୁ ଏମିତି ନାନା ପ୍ରଶ୍ନ ଆସୁଛି।

ସ୍ବତନ୍ତ୍ର ଓଡ଼ିଶା ୮୮ବର୍ଷରେ ପହଞ୍ଚିଛି; ଅର୍ଥାତ୍ ଏହି ପ୍ରଦେଶ ପରିପକ୍ବ ହୋଇଗଲାଣି ବୋଲି କହିବାକୁ ହେବ। ସ୍ବତନ୍ତ୍ରତାର ୧୦୦ ପାଳନ ପାଇଁ ସଜବାଜ ହେଉଥିବା ଓଡ଼ିଶାବାସୀଙ୍କ ମନରେ ଅନେକ ସ୍ବପ୍ନ ରହିଛି। ଗତ ନ’ଦଶନ୍ଧିର ଜୟଯାତ୍ରା ଆଗତ ୧୨ ବର୍ଷକୁ ଅନେକ ସମ୍ଭାବନାମୟ କରିଛି। ଓଡ଼ିଶା@୧୦୦ ବେଳକୁ ଏହାର ରୂପରେଖ କ’ଣ ହୋଇଥିବ ? ଏହି ଭାବନା ହୁଏତ ସାଧାରଣ ଓଡ଼ିଶାବାସୀଙ୍କ ନିଦ ହଜାଇଦେଇପାରେ; କିନ୍ତୁ ବାସ୍ତବପକ୍ଷେ ଯେଉଁମାନେ ୨୦୩୬ବେଳକୁ ନୂଆ-ବିକଶିତ ଓଡ଼ିଶା ଗଠନର ସ୍ବପ୍ନ ଦେଖିବା ଓ ଏହାକୁ ଚରିତାର୍ଥ କରିବା କଥା ସେମାନଙ୍କଠାରେ ଏପରି ଭାବନାର ପ୍ରତିଫଳନ ଲକ୍ଷ୍ୟ କରାଯାଉ ନାହିଁ। ସ୍ବାର୍ଥସାଧନ ଓ କ୍ଷମତା ଦଖଲ ପାଇଁ ସେମାନଙ୍କ ମଧ୍ୟରେ ଯେମିତି ଏକ ଅହେତୁକ ପ୍ରତିଦ୍ବନ୍ଦ୍ବିତା ଚାଲିଛି। କେହି ହେଲେ ରାଜ୍ୟବାସୀଙ୍କ ସମ୍ମୁଖରେ ସମ୍ଭାବ୍ୟ ବିକାଶର ନକ୍ସା ଉପସ୍ଥାପନ କରିବାରେ ସକ୍ଷମ ହୋଇନାହାନ୍ତି। କତିପୟ ତ୍ୟାଗପୂତ ଓଡ଼ିଆଙ୍କ ଦୀର୍ଘ ବର୍ଷର ସମ୍ମିଳିତ ଲଢ଼େଇ ପରେ ୧୯୩୬ରେ ଓଡ଼ିଶା ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିଲା। ପରିତାପର ବିଷୟ ହେଉଛି, ଏବେ ଏହି ରାଜ୍ୟର ଭାଷା ଓ ସରହଦର ସୁରକ୍ଷା ପାଇଁ ଯେଉଁ ସମ୍ମିଳିତ ସଂଗ୍ରାମ ଆବଶ୍ୟକ ତାହା ହାତଗଣତି କିଛି ସାଧାରଣ ଲୋକଙ୍କୁ ଛାଡ଼ିଦେଲେ ଆଗଧାଡ଼ିର କାହା ପାଖରେ ଦେଖାଯାଉନାହିଁ। ଯେଉଁ ଚିତ୍କାର ଶୁଣାଯାଉଛି ତାହା କେବଳ ଗଣମାଧ୍ୟମର ପୃଷ୍ଠା ମଣ୍ଡନ ଓ କ୍ଷମତାର ଶିଢ଼ି ଚଢ଼ିବା ପାଇଁ ବୋଲି କୁହାଯାଇପାରେ। ଓଡ଼ିଶା ଦିବସ ପାଳନ ଅବସରରେ ଏହା ଆକ୍ଷେପ ନୁହେଁ; ବରଂ ଆହ୍ବାନ ବୋଲି ଆମକୁ ଧରିବାକୁ ହେବ।
ଏହି ପରିପ୍ରେକ୍ଷୀରେ ଏକ କାହାଣୀର ଅବତାରଣା ଯଥାର୍ଥ ମନେହୁଏ; ଯାହାର ମର୍ମ ହେଉଛି ଏହିପରି। ଭାରତରେ ବ୍ରିଟିଶମାନେ ଅବସ୍ଥାନ କରିଥିଲେ ପ୍ରାୟ ୨୦୦ ବର୍ଷ। ସେମାନଙ୍କ ସଂଖ୍ୟା ଥିଲା ମାତ୍ର ୧୦ହଜାର; କିନ୍ତୁ ସେମାନେ ଏତେ ବର୍ଷ ଧରି ପାଖାପାଖି ୩୦କୋଟି ଲୋକଙ୍କୁ ଶାସନ କଲେ। କେବଳ ଶାସନ ନୁହେଁ; ନାନା ନିର୍ଯାତନା ଦେବା ସହ ଶୋଷଣ ବି କଲେ। ବାସ୍ତବରେ ଇଂରେଜମାନେ ଭାରତୀୟଙ୍କୁ ନିର୍ଯାତନା ଦେଇଥିଲେ ନା ଖୋଦ୍ ଭାରତୀୟମାନେ ? ଜାଲିଆନାୱାଲାବାଗ୍ରେ ସହସ୍ରାଧିକ ନିରୀହ ଜନତାଙ୍କୁ ହତ୍ୟା କରିଥିଲେ କିଏ- ବ୍ରିଟିଶ ପୁଲିସ ନା ଭାରତୀୟ ପୁଲିସ ? ସେହିପରି ମୋଗଲ ଓ ଅନ୍ୟ ବିଦେଶୀ ଶାସକମାନେ ଭାରତୀୟଙ୍କୁ ବର୍ଷ ବର୍ଷ ଧରି ଶାସନ କରିବା ସହ ଶୋଷଣ, ଲୁଣ୍ଠନ ଓ ଅତ୍ୟାଚାର କରିଥିଲେ। ବାସ୍ତବରେ କିଏ ଏଥିରେ ସାମିଲ ଥିଲେ ? ବ୍ରିଟିଶ ଓ ମୋଗଲଙ୍କ ହାତବାରିସି ସାଜି ଭାରତୀୟମାନେ ହିଁ ନିଜ ଲୋକଙ୍କୁ ଅତ୍ୟାଚାର କରିଥିଲେ। ସ୍ବାର୍ଥପରତା, ଧନ ଓ କ୍ଷମତାର ଲାଳସା, ହୀନମନ୍ୟତା ଆଦିରେ ପରିପୂର୍ଣ୍ଣ କିଛି ଭାରତୀୟ ବିଦେଶୀଙ୍କ ଇଙ୍ଗିତରେ ନିଜ ଲୋକଙ୍କୁ ଯନ୍ତ୍ରଣା ଦେଇଥିଲେ। ସେମାନଙ୍କ ପ୍ରବଞ୍ଚନା ଓ ଏକତାର ଅଭାବ ଯୋଗୁଁ ଭାରତ ପରାଧୀନତାର ଶୃଙ୍ଖଳରେ ବନ୍ଧା ପଡ଼ିଥିଲା। ଅପରପକ୍ଷରେ ବ୍ରିଟିଶ ଶାସକ ଯେତେବେଳେ ହଂକଂରେ ପହଞ୍ଚିଲେ ସେଠାକାର ଜଣେ ହେଲେ ନାଗରିକ ବ୍ରିଟିଶ ବାହିନୀରେ ସାମିଲ ହେଲେ ନାହିଁ। ସେମାନଙ୍କର ନିଜ ଲୋକ ବିପକ୍ଷରେ ଲଢ଼ିବାର ଓ ନିଜ ଲୋକଙ୍କୁ ଦମନ କରି ରଖିବାର ସାମାନ୍ୟ ସାହସ ନଥିଲା। ସେମାନେ ଥିଲେ ଭାରତୀୟଙ୍କ ପରିପନ୍ଥୀ। ଅବଶ୍ୟ ଯେତେବେଳେ ଭାରତବାସୀ ସମ୍ମିଳିତ ଲଢ଼େଇ ଆରମ୍ଭ କଲେ ତାହା ବିଶ୍ବରେ ନୂଆ ଆଦର୍ଶର ଅବତାରଣା କଲା। ଅହିଂସା ମାର୍ଗରେ ସ୍ବାଧୀନତା ହାସଲ କରିବାରେ ଭାରତବର୍ଷ ହେଲା ବିଶ୍ବର ଏକମାତ୍ର ରାଷ୍ଟ୍ର। ଅପ୍ରିୟ ସତ୍ୟ ହେଉଛି ଭାରତବାସୀ ନିଜକୁ ନିଜେ ହିଁ ପରାଧୀନ କରିରଖିଥିଲେ।
ଏବେ ଓଡ଼ିଶା କଥା ସେହିପରି। ମଧୁବାବୁ, ଫକିରମୋହନଙ୍କ ଭଳି ଏକ ଦରିଦ୍ର, ବହୁଧା ବିଭକ୍ତ ଅଞ୍ଚଳର ହାତଗଣତି କିଛି ଲୋକ ତମାମ ରାଜ୍ୟକୁ ଭାଷା ଓ ସଂସ୍କୃତି ଆଧାରରେ ଏକତାର ସୂତ୍ରରେ ବାନ୍ଧି ରଖିବାରେ ସଫଳ ହୋଇଥିଲେ। କଳିଙ୍ଗ ଯୁଦ୍ଧରେ ଶକ୍ତିଶାଳୀ ମଗଧ ବାହିନୀକୁ ସମୁଚିତ ଶିକ୍ଷା ଦେବାରେ କଳିଙ୍ଗବାସୀ ସମର୍ଥ ହୋଇଥିଲେ। ବର୍ତ୍ତମାନ ଓଡ଼ିଶାର ନେତା-ଜନତାଙ୍କଠାରେ ସେପରି ପରାକାଷ୍ଠା କି ଏକତା ନାହିଁ। କାହିଁକି ସେମାନେ ଓଡ଼ିଶାର ସ୍ବାର୍ଥରକ୍ଷା ପାଇଁ ଏକଜୁଟ ହୋଇପାରୁନାହାନ୍ତି ? ଓଡ଼ିଆ ଭାଷା ଏବେ ବିଲୋପ ପଥରେ। ଓଡ଼ିଶାର ସୀମା ଏବେ ବିପଦରେ। ଏହାର ମହାନ ସଂସ୍କୃତି ଓ ପରମ୍ପରା ଅବକ୍ଷୟିଷ୍ଣୁ। ରାଜ୍ୟର ଜଳ, ଜମି ସବୁ କିଛି ଉପରେ ପଡ଼ୋଶୀଙ୍କ ଲୋଲୁପ ଦୃଷ୍ଟି। ଅଥଚ ଆମ ନେତାମାନେ ଏକତ୍ର ହୋଇ ଏହା ବିରୋଧରେ ଲଢ଼େଇ କରିପାରୁ ନାହାନ୍ତି। ସେମାନଙ୍କ ପାଇଁ ମାଟି ଅପେକ୍ଷା ପାର୍ଟି (ଦଳ)ର ସ୍ବାର୍ଥ ଅଧିକ ମହତ୍ତ୍ବ ରଖୁଛି। ସେମାନେ ଅତୀତ ଗୌରବ ଓ ଗରିମା ଭୁଲି ଯାଉଛନ୍ତି। ଛତିଶଗଡ଼ ମହାନଦୀର ଜଳ, ଆନ୍ଧ୍ରପ୍ରଦେଶ କୋଟିଆ ଗ୍ରାମ ପୁଞ୍ଜ ସହ ନଦୀ ଜଳ, ପଶ୍ଚିମବଙ୍ଗ ସୁବର୍ଣ୍ଣରେଖା ନଦୀ ଉପରେ ଦଖଲଦାରି ଚଳାଇଛି। ଓଡ଼ିଶା ସରକାର ନିଦାବିଷ୍ଣୁ ସାଜିଛନ୍ତି। ବିଡ଼ମ୍ବନାର ବିଷୟ ହେଉଛି, ରାଜ୍ୟର ଜାତୀୟ ଦଳଗୁଡ଼ିକ ରାଜ୍ୟ ସ୍ବାର୍ଥକୁ ଗୌଣ କରି ଦଳୀୟ ସ୍ବାର୍ଥରକ୍ଷାରେ ଝାସ ଦିଅନ୍ତି। ନିଜ ଜମି, ଜଳ, ଜଙ୍ଗଲର ସୁରକ୍ଷା ପାଇଁ ସେମାନେ ସମ୍ମିଳିତ ସ୍ବର ଉତ୍ତୋଳନ କରିବାରେ ସକ୍ଷମ ନୁହନ୍ତି। ସେମାନଙ୍କର ଏଭଳି ଦୁର୍ବଳତା ଓ ଏକତାର ଅଭାବ ଯୋଗୁଁ ରାଜନୈତିକସ୍ତରରେ ବିବାଦର ସମାଧାନ ଉଦ୍ୟମ ହେଉନାହିଁ। ଏହା ଯେ ଆମ ନେତୃତ୍ବ ସଂକଟର ପରିଚାୟକ ତାହା ସ୍ପଷ୍ଟ। ସେହିପରି ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ଠୋସ୍ ଉଦ୍ୟମ ହେଉନାହିଁ। ଯାହା ହେଉଛି କେବଳ ଘୋଷଣାରେ ସୀମିତ। ଏପରି ଜାରି ରହିଲେ ଓଡ଼ିଶାର ଭବିଷ୍ୟତ ଯେ ବିପଦାପନ୍ନ ତାହା କହିବା ବାହୁଲ୍ୟ ମାତ୍ର।
ଆମେ ନୂଆ ଓ ଶ୍ରେଷ୍ଠ ଓଡ଼ିଶା ଦେଖିବା ନା କ୍ଷୟିଷ୍ଣୁ ଓଡ଼ିଶାର ନିରବ ଦର୍ଶକ ସାଜିବା ତାହା ହିଁ ବଡ଼ ପ୍ରଶ୍ନ। କଷ୍ଟଲବ୍ଧ ପ୍ରଦେଶର ଶହେ ବର୍ଷ ପାଇଁ ସାମ୍ନାରେ ଆଉ ଗୋଟିଏ ମାତ୍ର ଦଶନ୍ଧି। ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ଲଢ଼େଇବେଳେ ଜାତିପ୍ରାଣ ମଧୁସୂଦନ ଆହ୍ବାନ ଦେଇଥିଲେ- ‘ଜାତି ନନ୍ଦିଘୋଷ ଚାଲିବ କି ଭାଇ ସ୍ବାର୍ଥକୁ ସାରଥି କଲେ….’। ଏବେ ସେହି ଜାତିସ୍ମରମାନଙ୍କ ସ୍ବପ୍ନକୁ ସାକାର କରିବା ପାଇଁ ନିଜ ନିଜ ଭିତରେ ଲଢ଼େଇ ନକରି, ସ୍ବାର୍ଥ ସାଧନରେ ବ୍ରତୀ ନହୋଇ ଜାତିର ସୁରକ୍ଷା ଓ ବିକାଶ ପାଇଁ ସମ୍ମିଳିତ ଲଢ଼େଇ କରିବାର ବେଳ ଉପନୀତ। ଆଜିର ଦିନ ଦଳ-ମତ ନିର୍ବିଶେଷରେ ରାଜ୍ୟର ସୁରକ୍ଷା ଓ ବିକାଶ ପାଇଁ ଏକଜୁଟ ହେବାର ଆହ୍ବାନ ରଖୁଛି।
Comments are closed.