www.samajalive.in
Wednesday, December 10, 2025
14.1 C
Bhubaneswar

ଟିକା କୂଟନୀତି

ଚୀନ୍‌ କରଜ ତଳେ ଏକ ପ୍ରକାର ସମାଧି ନେଇଥିବା ଶ୍ରୀଲଙ୍କା ଭାରତକୁ ଆଉ ଅସନ୍ତୁଷ୍ଟ କରିବାକୁ ଚାହୁଁ ନାହିଁ। ପୂର୍ବରୁ ଏହି ଦେଶ ଚୀନ୍‌ କଥାରେ ଉଠବସ୍‌ ହେଉଥିଲା। ଚୀନ୍‌ ମଧ୍ୟ ଶ୍ରୀଲଙ୍କାକୁୁ ସଖୀ କଣ୍ଢେଇ ପରି ନଚାଇବାରେ ଲାଗିଥିଲା। ତେବେ ଭାରତର ଟିକା କୂଟନୀତି ଉଭୟ ଚୀନ୍‌ ଓ ପାକିସ୍ତାନକୁ ବିବ୍ରତ କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶ୍ରୀଲଙ୍କା ସଂସଦରେ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଚୀନ୍‌ର ପ୍ରରୋଚନାରେ ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସରକାର ଏହି କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପରେଖ ଦେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ, ଅର୍ଥାତ୍‌ ଇମ୍ରାନଙ୍କ ଶ୍ରୀଲଙ୍କା ଗସ୍ତର ଅବ୍ୟବହିତ ପୂର୍ବରୁ ସେଠାକାର ସରକାର ଏହି କାର୍ଯ୍ୟକ୍ରମକୁ ବାତିଲ୍‌ କରି ଦେଇଛନ୍ତି। ଚୀନ୍‌ର ଇସାରାରେ ଇମ୍ରାନ ସରକାର ଭାରତକୁ ଘେରିବା ପାଇଁ ଶ୍ରୀଲଙ୍କାର ସାହାରା ନେଇଥିଲେ। ତେବେ ଭାରତର ଟିକା କୂଟନୀତି ଚୀନ୍‌କୁ ରୋକିବାରେ ସହାୟକ ହୋଇ ପାରିଛି। ମନ୍ତ୍ରିମଣ୍ଡଳର ସହଯୋଗୀ ଓ ଦେଶର ବଡ଼ବଡ଼ ବ୍ୟବସାୟୀଙ୍କୁ ନେଇ ଦୁଇଦିନିଆ ଗସ୍ତରେ ଇମ୍ରାନ ଶ୍ରୀଲଙ୍କା ଆସିଥିଲେ। ତେବେ ସେଠାକାର ସରକାର ତାଙ୍କୁ ସଂସଦରେ ଭାଷଣ ଦେବାକୁ ସୁଯୋଗ ଦେଲେ ନାହିଁ। ଇମ୍ରାନ ଏଥିପାଇଁ ପ୍ରସ୍ତୁତ ମଧ୍ୟ ହୋଇ ସାରିଥିଲେ। ତେବେ ଶ୍ରୀଲଙ୍କା ସରକାର ଏପରି ଝଟ୍‌କା ଦେବେ ବୋଲି ସେ ଭାବି ନଥିଲେ। ଠିକ୍‌ ସମୟରେ ଶ୍ରୀଲଙ୍କା ଏହି କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିବାରୁ ବୟାନ ବୀର ଇମ୍ରାନଙ୍କୁ ନିଜ ଦେଶରେ ସମାଲୋଚିତ ହେବାକୁ ପଡ଼ିଛି। ଏହା ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଇମ୍ରାନଙ୍କୁ ମଧ୍ୟ ଲଜ୍ଜିତ ହେବାକୁ ପଡ଼ିଛି।

ଇମ୍ରାନଙ୍କ ଶ୍ରୀଲଙ୍କା ଗସ୍ତ ସୂଚୀ ପୂର୍ବରୁ ଧାର୍ଯ୍ୟ କରାଯାଇଥିଲା। ତେବେ ଠିକଣା ବେଳକୁ ଭାରତ ଏଥିରେ କେଁ ପୂରାଇ ଦେଲା। ଶ୍ରୀଲଙ୍କାରେ ଇମ୍ରାନ୍‌ ଭାରତ ବିରୋଧରେ ବିଷୋଦ୍‌ଗାର କରିବା ସହ ମୁସ୍‌ଲିମ୍‌ କାର୍ଡ଼ ଖେଲିପାରନ୍ତି ବୋଲି ଭାରତ ଜାଣି ପାରିଥିଲା। କାରଣ ଜାତିସଂଘ ସାଧାରଣ ଅଧିବେଶନରେ ଇମ୍ରାନ କେବଳ ଭାରତ ବିରୋଧୀ ଉଦ୍‌ବୋଧନ ଦେବା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗ ଉଠାଇ ନଥିଲେ। ଏପରି ଏକ ବିଶ୍ବ ମଞ୍ଚରେ ନିଜକୁ ମୁସଲମାନ୍‌ଙ୍କ ରକ୍ଷା କର୍ତ୍ତା ଓ ଦୈବ ବିଧାତା ଭାବେ ପ୍ରମାଣିତ କରିବା ପାଇଁ ସେ ଖୁବ୍‌ ଉଦ୍ୟମ କରିଥିଲେ। ତେଣୁ ଶ୍ରୀଲଙ୍କା ସଂସଦରେ ଏପରି କରିପାରନ୍ତି ଭାବି ଭାରତ କୂଟନୈତିକ ସ୍ତରରେ ଏହି ଦେଶ ଉପରେ ଚାପ ପକାଇଥିଲା।

- Advertisement -

କିଛି ମାସ ପୂର୍ବେ ଶ୍ରୀଲଙ୍କାରେ ବୌଦ୍ଧ ଓ ଇସ୍‌ଲାମ୍‌ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ସୃଷ୍ଟି ହୋଇଥିଲା। ଦେଶର ସଂସଦରେ ଇମ୍ରାନ ଏ ପ୍ରସଙ୍ଗ ଉଠାଇ ପାରନ୍ତି ​ବୋଲି ଶ୍ରୀଲଙ୍କା ଅନୁମାନ କରିଥିଲା। ତେଣୁ ଇମ୍ରାନଙ୍କୁ ସଂସଦର ମଞ୍ଚ ଦେଇ ଶ୍ରୀଲଙ୍କା ସରକାର ବିପତ୍ତିକୁ ଆମନ୍ତ୍ରଣ କରିବାକୁ ଚାହିଁଲେ ନାହିଁ। ଶ୍ରୀଲଙ୍କାରେ ଶବ ସତ୍କାର ନୀତି ସବୁ ସମ୍ପ୍ରଦାୟଙ୍କ ପାଇଁ ସମାନ। କରୋନାରେ ମୃତ୍ୟୁ ଘଟିଥିବା ମୁସଲମାନଙ୍କ ସରକାରୀ ନିୟମ ଅନୁଯାୟୀ ସତ୍କାର କରାଯାଇଥିଲା। ଏହାକୁ ବିରୋଧ କରି ପାକିସ୍ତାନର ରଶିଦ ବଦରୁଦ୍ଦିନ ନାମକ ଜଣେ ମୌଲବି ଶ୍ରୀଲଙ୍କା ମାମଲାରେ ହସ୍ତକ୍ଷେପ କରିବାକୁ ଇମ୍ରାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଶ୍ରୀଲଙ୍କା ସରକାର କ୍ଷୁବ୍ଧ ହେବା ସହ ଦେଶର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ ନକରିବାକୁ ପାକିସ୍ତାନକୁ ପରାମର୍ଶ ଦେଇଥିଲେ। ଇମ୍ରାନଙ୍କ ଅତୀତ ରେକର୍ଡକୁ ପରଖିଲେ ତାଙ୍କୁ ସଂସଦରେ ଭାଷଣ ଦେବା ପାଇଁ ଆମନ୍ତ୍ରଣ କରିବା ‘ମୃତ୍ୟୁ ସହ ଖେଳିବା’ ସମାନ ବୋଲି ଶ୍ରୀଲଙ୍କାର କେତେଗୁଡ଼ିଏ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଇମ୍ରାନ ଏପରି ମଞ୍ଚର ଉପଯୋଗ କେବଳ ଭାରତ ବିରୋଧରେ କରିପାରନ୍ତି ବୋଲି ଆମ ଦେଶର ବୈଦେଶିକ ବିଭାଗ ଜାଣି ପାରିଥିଲା। କିପରି ଏହାକୁ ରୋକା ଯାଇ ପାରିବ ଏ ନେଇ ଭାରତ କୂଟନୈତିକ ସ୍ତରରେ ଉଦ୍ୟମ ଆରମ୍ଭ କରିଥିଲା ଓ ଶେଷରେ ସଫଳ ମଧ୍ୟ ହୋଇଥିଲା। ଇମ୍ରାନ ନିଜର ଦୁଇ ଦିବସୀୟ ଶ୍ରୀଲଙ୍କା ଗସ୍ତରେ କେବଳ କର୍ପୋରେଟ ଜଗତର କେତେକ ବ୍ୟବସାୟୀଙ୍କ ସହ ଆଲୋଚନା କରି ପାକିସ୍ତାନ ଫେରି ଆସିଥିଲେ।

ଏତେ ସବୁପରେ ମନରେ ପ୍ରଶ୍ନ ଉଠେ- କରୋନା ସମୟରେ ଯେଉଁଠି ବିଶ୍ବସ୍ତରର କୌଣସି ନେତା ବିଦେଶ ଗସ୍ତ କରୁୁନାହାନ୍ତି, ଇମ୍ରାନ କାହିଁକି ଶ୍ରୀଲଙ୍କା ଯିବାକୁ ମନ ବଳାଇଲେ? ବାସ୍ତବ କଥା ହେଉଛି, ୨୦୧୫ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଯାଇଥିଲେ। ଏହି ଗସ୍ତ ସମୟରେ ସେ ଶ୍ରୀଲଙ୍କା ସଂସଦରେ ଉଦ୍‌ବୋଧନ ଦେଇଥିଲେ। ଏହା ଉଭୟ ପାକିସ୍ତାନ ଓ ଚୀନ୍‌କୁ ବ୍ୟଥିତ କରିଥିଲା। କାଳେ ଭାରତ ଶ୍ରୀଲଙ୍କାକୁ ନିଜ ପଟକୁ ନେଇଯିବ ସେଥିପାଇଁ ଉଭୟ ଦେଶ ଯୋଜନା କରିଥିଲେ। ଚୀନ୍‌ର ପ୍ରରୋଚନାରେ ଇମ୍ରାନ୍‌ ଖାଁ ଶ୍ରୀଲଙ୍କା ସଂସଦରେ ଭାଷଣ ଦେବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଅନୁମତି ଦେବା ପାଇଁ ଚୀନ୍‌ ଶ୍ରୀଲଙ୍କା ସରକାର ଉପରେ ଚାପ ପକାଇଥିଲା। ସେତେବେଳେ ଶ୍ରୀଲଙ୍କା ଏହି କାର୍ଯ୍ୟକ୍ରମକୁ ଅନୁମତି ଦେଇଥିଲା। କାରଣ ଚୀନ୍‌ ଋଣରେ ଶ୍ରୀଲଙ୍କା ଡୁବି ରହିଛି। ଏହି ଦେଶର କଥାରେ ଶ୍ରୀଲଙ୍କା ଉଠବସ୍‌ ହୋଇଥାଏ। ଚୀନ୍‌କୁ ଅସନ୍ତୁଷ୍ଟ କରିବାକୁ ଶ୍ରୀଲଙ୍କା ଚାହିଁ ନଥିଲା। ତେଣୁ ଇମ୍ରାନଙ୍କ ଗସ୍ତକୁ ଶ୍ରୀଲଙ୍କା ଅନୁମତି ପ୍ରଦାନ କରିଥିଲା।

ପୂର୍ବରୁ ଭାରତ ଅପେକ୍ଷା ଚୀନ୍‌ ସହ ଶ୍ରୀଲଙ୍କାର ସମ୍ପର୍କ ଭଲ ଥିଲା। ତେଣୁ ଚୀନ୍‌କୁ କିପରି ଶ୍ରୀଲଙ୍କାରୁ ତଡ଼ା ଯାଇ ପାରିବ ସେ ନେଇ ଭାରତ ଯୋଜନା ପ୍ରସ୍ତୁତ କରିଥିଲା। ଏହି ଅନୁଯାୟୀ ଗତ ୨ ବର୍ଷ ହେଲା ଭାରତ ସରକାର ଶ୍ରୀଲଙ୍କାରେ ଏକାଧିକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି। ଭାରତର ବଡ଼ବଡ଼ କମ୍ପାନୀଗୁଡ଼ିକ ଚୀନ୍‌ରେ ପୁଞ୍ଜି ନିବେଶ କରିଛନ୍ତି। ଚୀନ୍‌ର ଋଣ ମୁକୁଳାଇବାରେ ଭାରତ ଶ୍ରୀଲଙ୍କାକୁ ଯଥେଷ୍ଟ ସହଯୋଗ କରି ଆସୁଛି। ଶେଷରେ ଟିକା କୂଟନୀତି ଭାରତକୁ ଫାଇଦା ପହଞ୍ଚାଇବାରେ ସହାୟକ ହୋଇଛି

କିଛିଦିନ ତଳେ ଭାରତ ଶ୍ରୀଲଙ୍କାକୁ ୫ ଲକ୍ଷ କରୋନା ଟିକା ମାଗଣାରେ ପ୍ରଦାନ କରିଥିଲା। ଆଗାମୀ ଦିନରେ ଆହୁରି କିଛି ଟିକା ଦିଆଯିବ ବୋଲି ଭାରତ ଶ୍ରୀଲଙ୍କାକୁ ପ୍ରତିଶ୍ରୁତି ଦେଇଛି। ଏହି ଟିକା କଲମ୍ବୋ ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ ସମେତ ସାଧାରଣ ଜନତା ଭାରତ ସରକାର ଓ ଭାରତବାସୀଙ୍କୁ ପ୍ରଶଂସା କରିଥିଲେ। ଭାରତ ଯେ ସବୁଦିନିଆ ବିଶ୍ବସ୍ତ ବନ୍ଧୁ ଏକଥା ବୁଝିବାକୁ ଶ୍ରୀଲଙ୍କା ମନରେ ସନ୍ଦେହ ରହିଲା ନାହିଁ। କାଳେ ଭାରତ ଅସନ୍ତୁଷ୍ଟ ହେବ ଏଥିପାଇଁ ଶ୍ରୀଲଙ୍କା ସରକାର ଇମ୍ରାନଙ୍କୁ ସଂସଦର ମଞ୍ଚକୁ ଡାକିବାକୁ ଉଚିତ୍‌ ମଣି ନଥିଲେ। କରୋନା ଟିକା ନେବା ପାଇଁ ବିଶ୍ବର ୯୨ଟି ଦେଶ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ ସ୍ଥାପନ କରିଥିଲେ। ଇତି ମଧ୍ୟରେ ଛୋଟବଡ଼ ପ୍ରାୟ ୪୭ଟି ଦେଶକୁ ଭାରତ ଟିକା ପଠାଇ ସାରିଲାଣି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଭାରତ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳର କ୍ଷୁଦ୍ର ଦେଶ ଏବଂ ଆଫ୍ରିକାର ଗରିବ ଦେଶଗୁଡ଼ିକୁ ଭାରତ ମାଗଣାରେ ଟିକା ପ୍ରଦାନ କରିଛି। କରୋନାକୁ ହରାଇବା ପାଇଁ ଭାରତ ବିଶ୍ବର ନେତୃତ୍ବ ନେଉଛି। ଏସବୁକୁ ଚୀନ୍‌ ଓ ପାକିସ୍ତାନ ସହ୍ୟ କରିପାରୁ ନାହାନ୍ତି। କିଛିଦିନ ତଳେ ଚୀନ୍‌ର ହ୍ୟାକରମାନେ ଭାରତର ଟିକା ନିର୍ମାଣ କମ୍ପାନୀ ଉପରେ ସାଇବର ଆକ୍ରମଣ କରିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ତେବେ ସେ ଯାହା ହେଉନା କାହିଁକି ଭାରତୀୟ ଟିକା ଏବେ ଦେଶର କୂଟନୀତି ପାଇଁ ମ​‌େ​‌ହୗଷଧି ପାଲଟିଛି କହିଲେ ଅତ୍ୟୁକ୍ତିି ହେବ ନାହିଁ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories