www.samajalive.in
Sunday, December 7, 2025
14.1 C
Bhubaneswar

ଏଟିଏମ୍‌ ଉଚ୍ଛେଦ

ଏକ ଲୋକପ୍ରିୟ ଓ ଉଚ୍ଚ ବ୍ୟବସ୍ଥାର ସଂକୋଚନ, ଉଚ୍ଛେଦ ଜନଅସନ୍ତୋଷ ସୃଷ୍ଟି କରେ। ଗଣତାନ୍ତ୍ରିକ ରାଷ୍ଟ୍ରରେ ଏଭଳି ବ୍ୟବସ୍ଥାର ସଂକୋଚନ ଓ ଅବସାନ ପ୍ରତିକ୍ରିୟା ସୃଷ୍ଟି କରିବା ସ୍ବାଭାବିକ। ଏଟିଏମ୍‌ ସେଭଳି ଏକ ବ୍ୟବସ୍ଥା ଯାହା ଭାରତରେ ଲୋକଙ୍କ୍ୁ ମୁଦ୍ରା (ଅର୍ଥ) ଯୋଗାଣର ଏକ ସହଜ ମାଧ୍ୟମ ଭାବେ ପ୍ରମାଣିତ ହୋଇଛି। ଏବେ ଆର୍ଥିକ ସମାବେଶ ପ୍ରକ୍ରିୟାରେ ଅଧିକାଂଶ ଲୋକ ବ୍ୟାଙ୍କ ବ୍ୟବସ୍ଥାରେ ସଂପୃକ୍ତ। ସେମାନଙ୍କର ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଉଛି। ଅଣଡିଜିଟାଲ କାରବାର ପାଇଁ ଦୈନନ୍ଦିନ ଆବଶ୍ୟକ ହେଉଥିବା ଅର୍ଥ ପାଇବାକୁ ଆକାଉଣ୍ଟଧାରୀ ଏଟିଏମ୍‌ ଉପରେ ମୁଖ୍ୟତଃ ନିର୍ଭର କରୁଛନ୍ତି। ବ୍ୟାଙ୍କକୁ ଦୌଡ଼ି ଟଙ୍କା ଉଠାଇବାର ସମୟ ଓ ଅର୍ଥଶ୍ରାଦ୍ଧ କରିବାର ଅବକାଶ ଏହି ବ୍ୟବସ୍ଥାରେ ନାହିଁ। ଏହା ସଂପୂର୍ଣ୍ଣ ନିରାପଦ ନ’ହେଲେ ମଧ୍ୟ ଲୋକଙ୍କ ଦ୍ବାରା ବିଶେଷ ଗ୍ରହଣୀୟ ହେବାର କାରଣ ଏହାର ସୁବିଧା ଓ ସହଜ ବ୍ୟବହାର।
ଏବେ ଖବର ପ୍ରକାଶ ପାଇଛି ଯେ ଦେଶର ଲକ୍ଷାଧିକ ଏଟିଏମ୍‌ ବନ୍ଦ ହେବ। ଏହି ବ୍ୟବସ୍ଥାକୁ ଚଳାଇବା ପାଇଁ ସଂପୃକ୍ତ ବ୍ୟାଙ୍କଗୁଡ଼ିକୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏହାଛଡ଼ା ଏଟିଏମ୍‌ର ସୁରକ୍ଷା ସବୁଠୁ ଅଧିକ ଚିନ୍ତାଜନକ ହୋଇଛି। ଗ୍ରାମାଞ୍ଚଳର ଏଟିଏମ୍‌ଗୁଡ଼ିକ ସୁରକ୍ଷା ଓ ବ୍ୟୟ ଦୃଷ୍ଟିରୁ ବ୍ୟାଙ୍କ ସମୂହଙ୍କ ପାଇଁ ଅଧିକ ସମସ୍ୟା ସୃଷ୍ଟି କରିଛି। ତେଣୁ ଯେଉଁ ଏଟିଏମ୍‌ ସବୁ ବନ୍ଦ ହେବ ସେଥିମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର। ବ୍ୟାଙ୍କ ସମୂହର ଏ ସଂକ୍ରାନ୍ତ ଯୁକ୍ତି ଅଯଥାର୍ଥ ନୁହେଁ। ତଥାପି ଏହି ନିଷ୍ପତ୍ତି ଯଦି କାର୍ଯ୍ୟକାରୀ ହୁଏ ତେବେ ଦେଶରେ ନଗଦ ଅର୍ଥ ଯୋଗାଣ ଗୁରୁତର ଭାବେ ପ୍ରଭାବିତ ହେବ। ସେହିପରି ଆର୍ଥିକ ସମାବେଶୀ ବ୍ୟବସ୍ଥା ଉପରେ ଏହାର କୁପ୍ରଭାବ ମଧ୍ୟ ପଡ଼ିବ। ତଥ୍ୟ ଅନୁସାରେ ଏବେ ଦେଶରେ ୨.୨୫ ଲକ୍ଷ ଏଟିଏମ୍‌ ରହିଛି ଓ ଏହା ମାଧ୍ୟମରେ ତିନିଲକ୍ଷ କୋଟି ଟଙ୍କାର ଅର୍ଥ ଉଠାଣ ହେଉଛି। ଏଥିରେ ମୋବାଇଲ ପେମେଣ୍ଟ ବ୍ୟବସ୍ଥା ମଧ୍ୟ ରହିଛି ଯାହା ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସମାବେଶୀ (ଇନ୍‌କ୍ଲୁସିଭ)କରୁଛି।
ଏଟିଏମ୍‌ରେ ଟଙ୍କା ଭରିବା କାର୍ଯ୍ୟ ବ୍ୟାଙ୍କମାନେ ତୃତୀୟ ପକ୍ଷଙ୍କୁ ଦେଇ ଆସୁଛନ୍ତି। ଏହାର ନିରାପତ୍ତା ଓ ପରିଚାଳନା ଯେଭଳି ହେବାକଥା ତାହା ହେଉନାହିଁ; ଯଦିଓ ଏଟିଏମ୍‌ ବ୍ୟବହାରକାରୀଙ୍କଠାରୁ ନିର୍ଦିଷ୍ଟ ଏକ ଦେୟ ଆଦାୟ କରାଯାଉଛି। ଏ ବ୍ୟବସ୍ଥା ବ୍ୟାଙ୍କ ସମୂହଙ୍କର ଏବଂ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଦେବାକୁ ସେମାନେ ବାଧ୍ୟ। ଏଥିପାଇଁ ଲାଭ କ୍ଷତିର ହିସାବ ଅନୁଚିତ ହୋଇନଥିଲେ ମଧ୍ୟ ବ୍ୟବସ୍ଥାର ଅବସାନ ଗ୍ରହଣୀୟ ନୁହେଁ। ମୁଦ୍ରା ପରିଚାଳନାର ସାମଗ୍ରିକ ବ୍ୟବସ୍ଥାର ସମୀକ୍ଷା କରିବାକୁ ଉଚ୍ଚସ୍ତରୀୟ କମିଟି ଗଠନ କରିବା ପାଇଁ କିଛିବର୍ଷ ପୂର୍ବେ ଭାରତୀୟ ରିଜର୍ଭବ୍ୟାଙ୍କ ଘୋଷଣା କରିଥିଲା। ତେଣୁ ସେଇ ଆଧାରରେ ହୁଏତ ରିଜର୍ଭବ୍ୟାଙ୍କ ଏଟିଏମ୍‌ ସଂଖ୍ୟା ହ୍ରାସପାଇଁ ବିଚାର କରିପାରୁଥାଏ। ଦେଶର ଅର୍ଥନୀତିର ପରିସର ଓ ଆକାର ବଢ଼ୁଥିବାରୁ ମୁଦ୍ରା ଯୋଗାଣ ତଥା ନଗଦ ଆବଶ୍ୟକତା ବଢ଼ିବା ସ୍ବାଭାବିକ। ସବୁକାମ କ୍ୟାସଲେସ୍‌ ବା ବିନା ନଗଦରେ ହେବା ସମ୍ଭବ ନୁହେଁ। ତେଣୁ ଡିଜିଟାଲ ପେମେଣ୍ଟସହ ଲୋକଙ୍କ ଦୈନନ୍ଦିନ ନଗଦ ଅର୍ଥର ଆବଶ୍ୟକତା ପୂରଣ ନ’ହେଲେ
ଅର୍ଥନୀତି ପ୍ରଭାବିତ ହେବ ଓ ଲୋକେ ଅସୁବିଧାରେ ପଡ଼ିବେ।
କାରବାରରେ ଲାଭ ଓ ଉତ୍ତମ ନିରାପତ୍ତା ବ୍ୟବସ୍ଥା ସହ ଜମାକାରୀ/ବ୍ୟାଙ୍କ ବ୍ୟବହାରକାରୀଙ୍କ ସ୍ବାର୍ଥ ରକ୍ଷା ବ୍ୟାଙ୍କ ସମୂହଙ୍କର ଦାୟିତ୍ବ। ତେଣୁ ବ୍ୟାଙ୍କ ସମୂହ ସହ ମିଶି ଭାରତୀୟ ରିଜର୍ଭବ୍ୟାଙ୍କ ଏଟିଏମ୍‌ ସୁରକ୍ଷା ଏବଂ ତତ୍‌ସଂକ୍ରାନ୍ତ ପ୍ରସଙ୍ଗଗୁଡ଼ିକର ସମାଧାନ କରିବା ଆବଶ୍ୟକ। ତା’ ନ କରି ଏଟିଏମ୍‌ ବନ୍ଦ କରିଦେଲେ ବା ଏ ସବୁର କାଉଣ୍ଟର ସଂଖ୍ୟା ହ୍ରାସ କଲେ ବ୍ୟାଙ୍କ ସେବାର ମୌଳିକ ଉଦ୍ଦେଶ୍ୟ ବ୍ୟାହତ ହେବ। ଏହାର ବିକଳ୍ପ ଚିନ୍ତା କରାଯିବା ଦେଶର ଅର୍ଥନୀତି ଓ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଏକାନ୍ତ ଅପରିହାର୍ଯ୍ୟ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories