www.samajalive.in
Monday, December 8, 2025
13.1 C
Bhubaneswar

ଅମୂଲ୍ୟ ସଂପଦ

ସଦାଚାରୀ, ନ୍ୟାୟପରାୟଣ, ପ୍ରଜାପାଳକ ଭାବରେ ରାଜା ଜନକଙ୍କର ସୁଖ୍ୟାତି ଥିଲା। ଏକଦା ରାଜା ଜନକ ନିଜର ମନ୍ତ୍ରୀ, ପାରିଷଦବର୍ଗ ତଥା ଅନୁଗତମାନଙ୍କସହ ବେଶ ଜାକଜମକରେ ମିଥିଳାପୁରୀର ରାଜପଥରେ ଯାତ୍ରା କରୁଥାନ୍ତି। ରାଜାଙ୍କ ସମ୍ମାନାର୍ଥେ କର୍ମଚାରୀମାନେ ରାଜପଥକୁ ଜନମାନବଶୂନ୍ୟ କରିଦେଉଥାନ୍ତି। ରାଜାଙ୍କର ଏହି ପଟୁଆର ଯୋଗୁ ପଥିକମାନଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା ବନ୍ଦ କରି ଅଟକି ରହିବାକୁ ପଡ଼ିଥିଲା।
ସେହି ମାର୍ଗ ଦେଇ ସେ ସମୟରେ ଯାଉଥିଲେ ଅଷ୍ଟାବକ୍ର। ଅଷ୍ଟାବକ୍ର ଏହି ଆଦେଶକୁ ମାନି ନଥିଲେ। ରାଜକର୍ମଚାରୀମାନେ ତାଙ୍କୁ ରହିଯିବା ନିମନ୍ତେ ନିର୍ଦେଶ ଦେଇଥିଲେ ମଧ୍ୟ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ରାଜକର୍ମଚାରୀମାନେ ଧମକ ଦେଇଥିଲେ, ହେଲେ ଅଷ୍ଟାବକ୍ର ସେମାନଙ୍କର ଧମକରେ ନ ଡରି କହିଥିଲେ- ‘ରାଜପଥ ଉପରେ ରାଜା ତଥା ରାଜକର୍ମଚାରୀଙ୍କର ଯେତିକି ଅଧିକାର ରହିଛି ପ୍ରଜାଙ୍କର ମଧ୍ୟ ସେତିକି ଅଧିକାର ରହିଛି। ରାଜାଙ୍କ ସୁଖସୁବିଧା ପାଇଁ ପ୍ରଜାଙ୍କର ରାଜପଥ ବ୍ୟବହାର ଉପରେ ଅଙ୍କୁଶ ଲଗାଇ ସେମାନଙ୍କର କର୍ତ୍ତବ୍ୟ ସମ୍ପାଦନରେ ବାଧାସୃଷ୍ଟି କରିବା ରାଜାଙ୍କ ପକ୍ଷରେ ଆଦୌ ସମୀଚୀନ ନୁହେଁ। ଏହା ଅଶୋଭନୀୟ ଓ ଅନ୍ୟାୟ ଆଦେଶ। ରାଜା ଯଦି ଅନୀତି କରନ୍ତି ତେବେ ଋଷିମୁନି, ବ୍ରାହ୍ମଣ, ପୁରୋହିତ ସଦୁପଦେଶ ଦେଇ ସତ୍‌ପଥକୁ ଆଣିବା ସେମାନଙ୍କର କର୍ତ୍ତବ୍ୟ। ତେଣୁ ରାଜ୍ୟାଧିକାରୀଗଣ! ତୁମେମାନେ ତୁମ ରାଜାଙ୍କ ନିକଟରେ ମୋର ଏହି ସନ୍ଦେଶ ପହଞ୍ଚାଇ ଦିଅ ଏବଂ ତାଙ୍କୁ କହିଦିଅ ଯେ ଅଷ୍ଟାବକ୍ର ତାଙ୍କର ଏହି ନିୟମ ବହିର୍ଭୂତ ଆଦେଶକୁ ଅସ୍ବୀକାର କରିଛନ୍ତି। ସେ ରାଜରାସ୍ତାରୁ କଦାପି ହଟିବେନାହିଁ।’
ରାଜ୍ୟାଧିକାରୀଗଣ ଏଥିରେ କ୍ଷୁବ୍ଧ ହୋଇ ଅଷ୍ଟାବକ୍ରଙ୍କୁ ବନ୍ଦୀକରି ରାଜାଙ୍କ ସମ୍ମୁଖରେ ହାଜର କରାଇଥିଲେ। ରାଜା ଅଷ୍ଟ୍ରାବକ୍ରଙ୍କଠାରୁ ସକଳ ବୃତ୍ତାନ୍ତ ଶୁଣିବା ପରେ ଅତି ପ୍ରଭାବିତ ହୋଇ କହିଥିଲେ- ‘ଏଭଳି ଜଣେ ତେଜସ୍ବୀ ବ୍ରାହ୍ମଣ ରାଜାଙ୍କୁ ସନ୍ମାର୍ଗ ଦେଖାଇବାକୁ ଯେଉଁଠି ମହଜୁଦ୍‌ ଅଛନ୍ତି ସେ ରାଜ୍ୟ ଓ ରାଜା ଯଥାର୍ଥରେ ଧନ୍ୟ। ତୁମେ ସାହସ ସଞ୍ଚୟ କରି ନୀତି ଓ ନ୍ୟାୟ ସପକ୍ଷରେ ସ୍ବରଉତ୍ତୋଳନ କରିଛ। ତୁମମାନଙ୍କଭଳି ସତ୍‌ପୁରୁଷଙ୍କ ଦ୍ବାରା ହିଁ ଜନସମାଜର ଅଶେଷ କଲ୍ୟାଣ ସାଧିତ ହେବ। ଏଭଳି ନିର୍ଭୀକ ଉପଦେଷ୍ଟା ରାଷ୍ଟ୍ରର ଅମୂଲ୍ୟ ସମ୍ପଦ। ତୁମକୁ ଦଣ୍ଡ ନୁହେଁ, ସମ୍ମାନିତ କରିବା ଉଚିତ।’ ରାଜା ଜନକ ଅଷ୍ଟାବକ୍ରଙ୍କୁ କ୍ଷମାପ୍ରାର୍ଥନା କରି କହିଥିଲେ- ‘ରାଜା ହୁଅନ୍ତୁ ବା ଯେ କେହି ରାଜ୍ୟାଧିକାରୀ ହୁଅନ୍ତୁ, ମୂର୍ଖତାପୂର୍ଣ୍ଣ ଆଦେଶ ପ୍ରଦାନକାରୀ ତିରସ୍କାରଯୋଗ୍ୟ। ଆପଣଙ୍କ ନିର୍ଭୀକତା ମୋତେ ମୋର ତ୍ରୁଟି ସୁଧାରିବାକୁ ସୁଯୋଗ ଦେଇଛି। ଏହିଭଳି ନିର୍ଭୀକ ଭାବରେ ସର୍ବଦା ନ୍ୟାୟପକ୍ଷ ସମର୍ଥନ କରି ମତ ରଖିବେ ବୋଲି ଆଶା କରୁଛି।’ ଯଥାର୍ଥରେ ନ୍ୟାୟପରାୟଣ ସୁଚିନ୍ତିତ ମତପ୍ରଦାନ କରୁଥିବା ବୁଦ୍ଧିଜୀବୀ, ବିଦ୍ବାନ ପ୍ରତ୍ୟେକ ରାଷ୍ଟ୍ରର ଅମୂଲ୍ୟ ସଂପଦ। କାରଣ ସେମାନଙ୍କ ସତ୍‌ପରାମର୍ଶ ରାଷ୍ଟ୍ରର କଲ୍ୟାଣ ସାଧିତ କରିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories