www.samajalive.in
Monday, December 8, 2025
14.1 C
Bhubaneswar

ସ୍ବଚ୍ଛ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଇତିମଧ୍ୟରେ ଚାରିବର୍ଷ ପୂରଣ କରିଛି। ଉଭୟ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଏହି କାର୍ଯ୍ୟକ୍ରମଟି ଉପରେ ବିଶେଷ ଗୁରୁତ୍ବ ଦେଉଛନ୍ତି। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଘେନି ପ୍ରଧାନମନ୍ତ୍ରୀ ଯେଉଁସବୁ ତଥ୍ୟ ଦେଉଛନ୍ତି ତାହାକୁ ସମାଲୋଚନା କରି ବିରୋଧୀପକ୍ଷ ବିଭିନ୍ନ ତଥ୍ୟ ପ୍ରମାଣ ଦେଉଛନ୍ତି। ଭାରତଭଳି ଏକ ବିବିଧତାପୂର୍ଣ୍ଣ ବିରାଟ ଦେଶରେ ଏଭଳି ଏକ ମହଦାକାଙ୍‌କ୍ଷୀ କାର୍ଯ୍ୟକ୍ରମ କମ ସମୟରେ ସଫଳ ହେବା ସହଜ ନୁହେଁ। ଯୁଗଯୁଗର ଅଭ୍ୟାସ ବଦଳାଇ ଖୋଲାରେ ମଳତ୍ୟାଗକୁ ବନ୍ଦ କରି ଲୋକଙ୍କୁ ଶୌଚାଳୟମୁହାଁ କରିବା ଛୋଟିଆ କାମ ନୁହେଁ। ଏଥିପାଇଁ ଶୌଚାଳୟ ନିର୍ମାଣ, ପାଣିର ବ୍ୟବସ୍ଥା କରିବା ବିଶେଷ ଗୁରୁତ୍ବ ରଖେ। ଏସବୁ କାମକୁ ନିରନ୍ତର ତଦାରଖ ନ’କଲେ ଏହା ଭଣ୍ଡୁର ହେବାର ଆଶଙ୍କା ଅଧିକ। ତେଣୁ ଏହା ଏକ ଗଣ-ଆନ୍ଦୋଳନରେ ପରିଣତ ହେଲେ ଏ କ୍ଷେତ୍ରରେ ସଫଳତା ଅବଶ୍ୟ ମିଳିବ।
ସ୍ବଚ୍ଛ ଭାରତ ଅଭିଯାନର ଉଦ୍ଦେଶ୍ୟ ନିଶ୍ଚିତ ଉତ୍ତମ ଓ ପ୍ରଶ୍ନାତୀତ। ହେଲେ କାମଟିଏ ଆରମ୍ଭ ହେଲେ ନୂଆ ସମସ୍ୟା ଓ ଆହ୍ବାନସବୁ ଆସିବ। ସରକାର ସେଥିପ୍ରତି ଅବଗତ ଏବଂ ସରକାରଙ୍କ ସବୁ ମନ୍ତ୍ରଣାଳୟ ମିଳିମିଶି ଏ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟସମୂହ ମଧ୍ୟ ସହଯୋଗ ଯୋଗାଉଛନ୍ତି। ସ୍ବଚ୍ଛଭାରତ ନେଇ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ଜୟରାମ ରମେଶ ଯେଉଁ କେତେକ ପ୍ରସଙ୍ଗ ଉଠାଇଛନ୍ତି ସେଥିପ୍ରତି ସରକାର ଦୃଷ୍ଟିଦେବା ଆବଶ୍ୟକ। ଏହାକୁ ବିରୋଧୀଙ୍କ ଆକ୍ଷେପ କହି ଏଡ଼ାଇ ଦିଆଯିବା ଅନୁଚିତ। ସେ ଯେଉଁ ସବୁ କଥା କହିଛନ୍ତି ତାହା ଅବାସ୍ତବ ନୁହେଁ। ଗାଁ ଗହଳିରୁ, ଏପରିକି ସହରାଞ୍ଚଳରୁ ଏ ନେଇ ଯେଉଁସବୁ ରିପୋର୍ଟ ଆସୁଛି ସେଥିରୁ ଜଣାପଡ଼ୁଛି ଯେ ଏ କ୍ଷେତ୍ରରେ ସମସ୍ୟା ରହୁଛି। ଅଭିଯୋଗ ହେଉଛି ଯେ ଶୌଚାଳୟ ନିର୍ମାଣ ଓ ସ୍ବଚ୍ଛଭାରତ ଉପରେ ମାତ୍ରାଧିକ ଗୁରୁତ୍ବ ଫଳରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି। ଦ୍ବିତୀୟ କଥାଟି ହେଲା ଜଳଯୋଗାଣ ବ୍ୟବସ୍ଥାର ଅଭାବରୁ ଅନେକ ଶୌଚାଳୟ ଅବ୍ୟବହୃତ ଅବସ୍ଥାରେ ପଡ଼ିରହୁଛି।
ଶ୍ରୀ ରମେଶ ଏହି ଦୁଇକଥା କହିବାସହ ସ୍ବଚ୍ଛଭାରତର ମାମୁଲି ସଫଳତାରେ ବିଶ୍ବବ୍ୟାଙ୍କ ଅସନ୍ତୋଷ ପ୍ରକାଶ କରି ତା’ର ଋଣ ଯୋଗାଣ ବ୍ୟବସ୍ଥାକୁ କିପରି ହ୍ରାସ କରିଛି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ସ୍ବଚ୍ଛଭାରତ ନେଇ ମହାଲେଖାକାର ଓ ହିସାବ ନିରୀକ୍ଷକ (କ​ମ୍ପ୍‌‌େ​‌​‌ଣ୍ଟ୍ରାଲର ଓ ଅଡିଟର ଜେନେରାଲ)ଙ୍କ ରିପୋର୍ଟ କଥା ଉଲ୍ଲେଖ କରିବାସହ ଦେଶରେ ଏବେ ମଧ୍ୟ ହାତରେ ୫୩ହଜାରରୁ ଅଧିକ ଲୋକ ମଇଳା ସଫା କରୁଥିବା ସରକାରୀ ତଥ୍ୟକୁ ଉଦ୍ଧାର କରି ସେ କହିଛନ୍ତି। ହାତରେ ମଇଳା ସଫା ବ୍ୟବସ୍ଥାକୁ ସରକାର ନିଷିଦ୍ଧ କରିବାସହ ସଂପୃକ୍ତ ସଫେଇ କର୍ମଚାରୀଙ୍କ ଥଇଥାନ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାସତ୍ତ୍ବେ ଏତେ ସଂଖ୍ୟକ ଲୋକ ଏବେ ହାତରେ ମଇଳା ସଫା କରିବା ନିଶ୍ଚିତ ଏକ ଅଶୋଭନୀୟ କାର୍ଯ୍ୟ। ତେଣୁ ସରକାର ସ୍ବଚ୍ଛ ଭାରତର ସଫଳତାରେ ଆତ୍ମହରା ନ’ହୋଇ ଏଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକର ଆଶୁ ସମାଧାନ ଦିଗରେ କାର୍ଯ୍ୟକରିବା ଉଚିତ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories