‘ସ୍ମାର୍ଟ’ଖେଳର ବିପଦ ଓ ସତର୍କତା

0

ସୁଧୀର କୁମାର ନାୟକ

prayash

ଏହିପରି ଖେଳ କୌଣସି ମଇଦାନରେ ହୋଇ ନଥାଏ। ଏହାକୁ କୌଣସି ଦର୍ଶକ ଗ୍ୟାଲେରୀରେ ବସି ଉପଭୋଗ କରିନଥାନ୍ତି। ଏଠି ଖେଳାଳି କେବଳ ମୋହଗ୍ରସ୍ତ ହୋଇ ସ୍ମାର୍ଟଫୋନ୍‌ର କିଛି କାଳ୍ପନିକ ଖେଳ ଉପରେ କବଳିତ ହୋଇଥାଏ। ଉତ୍ସୁକତାର ସହ ଆଗକୁ ଖେଳର ଗୋଟାଏ ପରେ ଗୋଟାଏ ସୋପାନକୁ ଚଢିଥାଏ। ସେ ଅଜ୍ଞାନ ହୋଇ ତା’ର ଜୀବନକୁ ତୁଛାଟାରେ ବାଜି ଲଗାଏ। ହେଲେ ଘାତକ ଖେଳର ଫାଶରେ କେବଳ ମୃତ୍ୟୁ ହିଁ ଶେଷ ପୁରସ୍କାର ଥାଏ। ଆଜିକାର ତରୁଣତରୁଣୀ, ଯୁବପିଢିର ନିଜ ବାପାମାଆଙ୍କଠାରୁ ବି ମୋବାଇଲ ଫୋନ୍‌ଟି ସତେ ଯେମିତି ଅତି ନିବିଡ଼ ହୋଇଯାଇଛି।
ନିକଟ ଅତୀତରେ ଘାତକ ଖେଳ “ବ୍ଲୁ ହ୍ୱେଲ”, “ମୋମୋ” ଆଦି ଖେଳରେ କିଛି ଜୀବନ ହାରିଥିଲେ। ଏହି ଘାତକ ଖେଳଗୁଡିକରେ ପିଲାମାନଙ୍କ ମନକୁ ଅସନ୍ତୁଳିତ କରାଯାଏ। ସେମାନଙ୍କ ପାଖକୁ ମେସେଜ୍ ବା ବାର୍ତ୍ତା ଦ୍ୱାରା କ୍ରମାନ୍ୱୟରେ ଟାସ୍କ ଦିଆଯାଏ। ପିଲାମାନେ କୌତୂହଳବଶତଃ ଗୋଟାଏ ପରେ ଆଉ ଗୋଟାଏ ‘ଟାସ୍କ’ ବାସ୍ତବରେ କରି ଶେଷରେ ଘାତକ ଖେଳର ମୃତ୍ୟୁ ପଞ୍ଝାରେ ପଡିଥାନ୍ତି।
କାନାଡାର ଜଣେ ପପ୍ ଗାୟକଙ୍କ ଲୋକପ୍ରିୟ ଗୀତ ‘ଇନ ମାଇଁ ଫିଲିଙ୍ଗ୍ସ’ରୁ କିକି ଚ୍ୟାଲେଞ୍ଜର ଉତ୍ପତ୍ତି। ଏହି ଗୀତରେ ଚଳନ୍ତା କାର୍‌ରୁ ଡେଇଁ ରାସ୍ତା ମଝିରେ ନାଚିନାଚି ଯିବାଟା ଏକ ଚ୍ୟାଲେଞ୍ଜ ବୋଲି ଧରାଯାଏ। କିଛି ବାଟ ଯିବା ପରେ ପୁଣି ଚଳନ୍ତା କାରକୁ ଡେଇଁ ବସିବା ଏକ ଷ୍ଟଣ୍ଟମ୍ୟାନର ଦୃଶ୍ୟ ପରି। ଏ କ୍ଷେତ୍ରରେ ନାଚୁଥିବା ଯୁବକଯୁବତୀମାନେ କେବଳ ଦୁର୍ଘଟଣାର ଶିକାର ହୁଅନ୍ତି ନାହିଁ, ଚଳପ୍ରଚଳ କରୁଥିବା ଗାଡି, ମଟରଗୁଡିକ ମଧ୍ୟ ଏମାନଙ୍କ ପାଇଁ ଦୁର୍ଘଟଣା ଘଟାଇଥାନ୍ତି। କିଛିଦିନ ଏହି କିକି ଚ୍ୟାଲେଞ୍ଜ ଭାରତରେ ମଧ୍ୟ ଦେଖିବାକୁ ମିଳିଥିଲା। ୨୦୦୯ ମସିହାରେ ସ୍ପ୍ଲେଣ୍ଡର ମ୍ୟାନ ଚ୍ୟାଲେଞ୍ଜ ପରି ଏକ କାଳ୍ପନିକ ଚରିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଅଳ୍ପ ବୟସର ପିଲାମାନେ କାହାଣୀରେ ପ୍ରଭାବିତ ହୋଇ ନିଜର ସାଙ୍ଗସାଥୀମାନଙ୍କୁ ଛୁରୀ ଭୁସିବା ପରି ନୃଶଂସ କାମ କରୁଥିଲେ। ଆମେରିକାର ୱିସ କନସନ୍ ଅଞ୍ଚଳରେ ୨୦୧୪ ମସିହାରେ ଜଣେ କିଶୋର ନିଜର ବାନ୍ଧବୀକୁ ନିଛାଟିଆ ଜାଗାକୁ ନେଇ ତା ଶରୀରରେ ୧୬ଥର ଛୁରୀ ଭୁସିଥିଲା। ସେହିପରି ବ୍ଲୁ ହ୍ୱେଲ ଗେମ ବିଷୟରେ ଆମ୍ଭେ ପ୍ରାୟ ଅବଗତ ଅଛୁ, ଯାହା ରୁଷରୁ ଆରମ୍ଭ ବୋଲି ସନ୍ଦେହ କରାଯାଏ। ଏହି ଖେଳ ଖେଳି ସେଠାରେ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ପିଲା ଆତ୍ମହତ୍ୟା କରିଛନ୍ତି। ଏହି ଚ୍ୟାଲେଞ୍ଜରେ ଭାଗ ନେଉଥିବା ପିଲାଙ୍କୁ ୫୦ ଦିନ ପର୍ଯ୍ୟନ୍ତ ଦିନକୁ ଗୋଟାଏ କରି ଟାସ୍କ ଦିଆଯାଏ। ଏପରି ଟାସ୍କ ସହ ଜଡିତ ଥିବା ପିଲାମାନେ ରାତ୍ରୀରେ ଏକୁଟିଆ ଭୂତ ଫିଲ୍ମ ଦେଖିବାକୁ ଭଲପାଆନ୍ତି। ଅନ୍ୟ ସାଙ୍ଗସାଥୀ,ବାପା ମାଆଙ୍କ ସହ ମିଳାମିଶା କରିବାକୁ ଇଚ୍ଛା କରନ୍ତି ନାହିଁ। ସେହିପରି “ଦ କଟିଙ୍ଗ ଚ୍ୟାଲେଞ୍ଜ” ଅନ୍ୟ ଏକ ଘାତକ ଖେଳ ଯେଉଁଥିରେ ପିଲାମାନଙ୍କୁ ନିଜ ଶରୀରକୁ କୌଣସି ଧାରୁଆ ଅସ୍ତ୍ର ଦ୍ୱାରା କ୍ଷତସୃଷ୍ଟି କରିବାକୁ କୁହାଯାଏ। “ଦ ସଲ୍ଟ ଏଣ୍ଡ ଆଇସ୍” ଚ୍ୟାଲେଞ୍ଜରେ ଭାଗ ନେଉଥିବା ବ୍ୟକ୍ତିମାନଙ୍କୁ ନିଜ ହାତରେ ବରଫ ଧରିବାକୁ ହୋଇଥାଏ। “ଦି ପାସ୍ଆଉଟ୍ ଚ୍ୟାଲେଞ୍ଜ” ଭଳି ଘାତକ ଖେଳ ଯୋଗୁଁ ଆମେରିକାରେ ବର୍ଷକୁ ହଜାରରୁ ଅଧିକ ପିଲାଙ୍କ ପ୍ରାଣହାନି ଘଟୁଥିବାର ରିପୋର୍ଟରେ ସୂଚନା ମିଳେ। ଏହି ଖେଳରେ ସାଙ୍ଗସାଥୀମାନଙ୍କ ଭିତରେ ତଣ୍ଟି ଚିପା ହୋଇଥାଏ। ଛାତି ଉପରେ ଜୋରରେ ଚାପ ଦିଆଯାଏ। କାହାର କେତେ ଦମ୍ ଦେଖାଯାଏ। ସେହିପରି “ଦ ଫାୟାର ଚ୍ୟାଲେଞ୍ଜ” ଘାତକ ଖେଳରେ ପିଲାମାନଙ୍କୁ ନିଜ ଫୁଙ୍ଗୁଳା ଦେହରେ କୌଣସି ଜ୍ୱଳନଶୀଳ ପଦାର୍ଥକୁ ଦେହରେ ଲଗାଇ ନିଆଁ ଲଗାଇବାକୁ ନି​‌େ​‌ର୍ଦ୍ଦଶ ଦିଆଯାଇଥାଏ। ଏଥିରେ ଅଧିକାଂଶ ଯୁବକ ମଧ୍ୟ ମୃତ୍ୟୁବରଣ କରିଥାନ୍ତି। ଅତୀତରେ କେତେକ ଘାତକ ଖେଳ ମଧ୍ୟରେ “କେଲି ଲିଫ୍ ଚ୍ୟାଲେଞ୍ଜ”, “ଡ୍ରାଗନ ଫାୟାର ଚ୍ୟାଲେଞ୍ଜ”, “ଘୋଷ୍ଟ ପିପର ଚ୍ୟାଲେଞ୍ଜ”, “କୋଲ୍ଡ ୱାଟର ଚ୍ୟାଲେଞ୍ଜ” ବିଶେଷ କରି ଯୁବପିଢିମାନଙ୍କୁ ଆକୃଷ୍ଟ କରି ଶାରୀରିକ କ୍ଷତି କରିଥିଲା। ଯେତେଗୁଡିଏ ଘାତକ ଖେଳ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଅନୁସନ୍ଧାନରୁ ଜଣା ପଡିଛି ସେସବୁର ଉତ୍ପତ୍ତି ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରୁ ହିଁ ହୋଇଛି।
ଏପରି ଖେଳରୁ ନିବୃତ ରହିବା ପାଇଁ ସ୍କୁଲ, କଲେଜରେ ପଢୁଥିବା ପିଲାମାନଙ୍କୁ ଯଥେଷ୍ଟ ସଚେତନ କରାଯିବାର ଆବଶ୍ୟକତା ଅଛି। ଏପରିକି ସେମାନଙ୍କୁ ସେମାନଙ୍କ ଶ୍ରେଣୀ କକ୍ଷରେ ମଝିରେମଝିରେ ସେମିନାର ମାଧ୍ୟମରେ ଏହାର ହାନିକାରକ ବିଷୟରେ ଆଲୋଚନା କରାଯାଇପାରିବ। ପରିବାର ମଧ୍ୟରେ ଅଭିଭାବକମାନଙ୍କର ପିଲାଙ୍କ ପାଠପଢା ସହ ଅନ୍ୟାନ୍ୟ ବ୍ୟାବହାରିକ କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବା ନିହାତି ଆବଶ୍ୟକ। ପିଲାମାନେ ଯେଉଁ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ସେଗୁଡିକ କେଉଁକେଉଁ ଆପ୍ ବା ଆପ୍ଲିକେସନ ସହ ଜଡିତ ରହୁଛି ସେ ଦିଗରେ ଦୃଷ୍ଟି ଦେବା ପିତାମାତାଙ୍କର ଦାୟିତ୍ୱ । ଇଣ୍ଟରନେଟ୍‌ରେ ଅନିୟନ୍ତ୍ରିତ ଭାବେ ବହୁ ହାନିକାରକ ବିଷୟ ଉପଲବ୍ଧ ହୋଇଥାଏ। ପିଲାଙ୍କୁ ସେଥିରୁ ଦୂରେଇ ରଖିବା ଆବଶ୍ୟକ।
ଅଧିକ ସ୍ମାର୍ଟଫୋନ ବ୍ୟବହାର କରୁଥିବା ପିଲାମାନଙ୍କର ସାମାଜିକ ସମ୍ପର୍କ ଛିନ୍ନ ହୋଇଥାଏ। ପରିବାରକୁ ନେଇ ସେମାନଙ୍କ ମନରେ ନା ମମତା ନା ଆବେଗ କିଛି ନଥାଏ। ଖାଲି ଘାତକ ଖେଳ ନୁହଁ, ମୋବାଇଲର ଅଶ୍ଳୀଳ ଚିତ୍ର, ଫିଲ୍ମ, ବିଶେଷ କରି କିଶୋରକିଶୋରୀଙ୍କୁ ପଥଭ୍ରଷ୍ଟ କରିଥାଏ। ସ୍ମାର୍ଟଫୋନର ଆବଶ୍ୟକତା ନିଶ୍ଚୟ ଅଛି, କିନ୍ତୁ ଏହାର ଅପବ୍ୟବହାରକୁ ରୋକିବା ଜରୁରୀ ହୋଇପଡ଼ିଛି।
ଧାମନଗର, ଭଦ୍ରକ

Leave A Reply