ବଢ଼ିଲା ରାଜନୈତିକ ଉଷ୍ମତା

ନୀରବତା ପରେ ଇଡି କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଓଡ଼ିଶାରେ ଚିଟ୍‌ଫଣ୍ଡ ଠକେଇ ମାମଲାରେ ତଦନ୍ତ ସକ୍ରିୟତା ରାଜ୍ୟ ରାଜନୀତିକୁ ପୁଣି ଉଷ୍ମ କରିଛି। ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଅନୈତିକ ଅର୍ଥ କାରବାରର ଖୋଳତାଡ କରୁଥିବା ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଏବେ ଓଡ଼ିଶାରେ ପୁଣି ସକ୍ରିୟ ହୋଇଛି। ଏହି ମାମଲାରେ ଶନିବାର ଇଡି ପକ୍ଷରୁ ୩କୋଟି ୯୨ଲକ୍ଷ ୨୦ହଜାର ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯିବା ଘଟଣା ରାଜନୈତିକ ମହଲରେ ଉଷ୍ମତା ବଢାଇଛି। ଅଧିକ ସୁଧର ଲୋଭ ଦେଖାଇ ଗରିବ ଲୋକଙ୍କ ଜମା ପାଣ୍ଠିକୁ ଠକେଇ କରିଥିବା ସିସୋର ମାମଲାର ତଦନ୍ତ ପୂର୍ବରୁ ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) କରୁଥିବାବେଳେ ପରେ ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ନେଇଥିଲା। ତେବେ ଏହି ଠକେଇର ଅର୍ଥନୈତିକ ଅପରାଧ ଦିଗ ଓ କାରବାର ସଂପର୍କରେ ଇଡି ତା’ର ତଦନ୍ତ ଜାରି ରଖିଛି। ଦୀର୍ଘଦିନର ନୀରବତା ପରେ ପୁଣିଥରେ ଇଡି କ୍ରିୟାଶୀଳ ହୋଇ ସମ୍ପତ୍ତି ଜବତ କରିବା ଘଟଣା ରାଜନୈତିକ ମହଲରେ ଉଷ୍ମତା ବଢାଇଛି। ଇଡିର କାର୍ଯ୍ୟାନୁଷ୍ଠାନ ପରେ ଓଡ଼ିଶାରେ ଚିଟ୍‌ଫଣ୍ଡ ଠକେଇ ମାମଲା ଓ ଏଥିରେ ସଂପୃକ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ଚିନ୍ତା ଏବେ ଅଧିକ ବଢିଯାଇଛି।
ଶନିବାର ଜବତ ସମ୍ପତ୍ତି ମଧ୍ୟରୁ କଟକ-ଚୌଦ୍ବାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କର ୨୫ ଲକ୍ଷ ଟଙ୍କାର ସମ୍ପତ୍ତିକୁ ଇଡି ଜବତ କରିଥିବାବେଳେ ଅବଶିଷ୍ଟ ୩ କୋଟି ୬୭ ଲକ୍ଷ ୨୦ ହଜାର ଟଙ୍କାର ସମ୍ପତ୍ତି ନୋଏଡାର ଏକ ଫାର୍ମ ‘ମିଡିଆ ଗୁରୁ କନସଲଟାଣ୍ଟ ପ୍ରାଇଭେଟ ଲିମିଟେଡ’ର ରହିଥିଲା। ଅର୍ଥ ହେରଫେର ନିରୋଧ ଆଇନ(ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ) ଅନୁସାରେ ଇଡି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ତେବେ ସି-ସୋର ପକ୍ଷରୁ ଏସ୍‌ଟିଭି ସମାଚାର ନାଁରେ ଏକ ଟିଭି ଚ୍ୟାନେଲ ତିଆରି କରିବା ଲାଗି ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ମିଡିଆ କନ୍‌ସଲଟାନ୍ସି ‘ମିଡିଆ ଗୁରୁ’କୁ ୪ କୋଟି ଟଙ୍କା ହସ୍ତାନ୍ତର କରିଥିଲା। ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ସଦ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ଘନିଷ୍ଠ ବାନ୍ଧବୀ ତଥା ଅଭିନେତ୍ରୀ ଅର୍ପିତା ଚାଟାର୍ଜୀଙ୍କ ଘରୁ ୫୦ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫ କିଲୋ ସୁନାଗହଣା ଜବତ ହେବା ପରେ କେନ୍ଦ୍ରୀୟ ସଂସ୍ଥାର ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନ ଓଡ଼ିଶା ମୁହାଁ ହୋଇପାରେ ବୋଲି ଛନକା ପଶିଲାଣି। କୁହାଯାଉଛି, ପାର୍ଥ ଓ ଅର୍ପିତାଙ୍କ ବେଆଇନ ସମ୍ପତ୍ତି କୁଆଡେ ଓଲିଉଡ୍‌ରେ ଲାଗିଛି।

kalyan agarbati

Comments are closed.