୧୨ସୁଦ୍ଧା ପୁରୀରୁ ୧୮ଯୋଡା ଟ୍ରେନ,୯୦ ପ୍ରତିଶତ ପେଟ୍ରୋଲ ପମ୍ପରେ ମିଳୁଛି ତୈଳ : ଧର୍ମେନ୍ଦ୍ର

ଭୁବନେଶ୍ବର : ସାମୁଦ୍ରିକ ଝଡ ଫନି ପରେ ପୁରୀରୁ ଏବେ ୧୨ଯୋଡା ଟ୍ରେନ ଦେଶର ବିଭିନ୍ନ ସ୍ଥାନକୁ ଚାଲୁଛି । ଆଗାମୀ ୧୨ତାରିଖ ସୁଦ୍ଧା ଏହା ୧୮ଯୋଡା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଏକ ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ରେଳକୁଞ୍ଜରେ ବାତ୍ୟା ପରେ ରେଳବାଇର ସ୍ଥିତି ସମୀକ୍ଷା କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି, ପୁରୀକୁ ରେଳ ଚଳାଚଳ ସ୍ୱାଭାବିକ ହେଉଛି। ରେଳବାଇର ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ କଟକ ଜୋନରେ ବ୍ୟାପକ କ୍ଷତି ହୋଇଛି ବୋଲି ସେ କହିଛନ୍ତି ।
ହାୱଡା-ଚେନ୍ନାଇ ଟ୍ରେନ ଚଳାଚଳ ସ୍ୱାଭାବିକ୍‍ ହୋଇପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପୁରୀ ଯାଏଁ ସବୁ ଟ୍ରେନରେ ଖୁବ୍‍ଶୀଘ୍ର ବିଦ୍ୟୁତ, ପିଇବା ପାଣି ବ୍ୟବସ୍ଥା କରାଯିବ। ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ରେଳବାଇ ଏହାର ପ୍ରସ୍ତୁତିକୁ ସୁଦୁଢ କରିବାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ରେଳବାଇ
ଅଧିକାରୀମାନଙ୍‍କୁ ପରାମର୍ଶ ଦେଇଛନ୍ତି।
ସେହିପରି ରାଜ୍ୟରେ ପେଟ୍ରୋଲ, ଡିଜେଲ ଉପଲବ୍ଧ ସ୍ଥିତି ସମୀକ୍ଷା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ପାଖାପାଖି ୯୦ ପ୍ରତିଶତ ପେଟ୍ରୋଲ ପମ୍ପରେ ତୈଳ ମିଳୁଛି ଏବଂ ପୁରୀରେ ଏବେ ୮ଟି ମୋବାଇଲ ଭ୍ୟାନ ଦ୍ୱାରା ସେବା ଯୋଗାଇ ଦିଆଯାଉଛି। ପୁରୀରେ ୫୨ଟି ପେଟ୍ରୋଲ ପମ୍ପ ମଧ୍ୟରୁ ୨୯ଟି କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଯାଏଁ ୨୩ଟି କାର୍ଯ୍ୟକ୍ଷମ ହୋଇଛି । ପୁରୀରେ ୬ଟି ବଡ ଟ୍ୟାଙ୍କର ଯୋଗେ ଡିଜେଲ ଯୋଗାଇ ଦିଆଯାଉଛି। ଭୁବନେଶ୍ୱରରେ ୯୫ ପ୍ରତିଶତ ପେଟ୍ରୋଲ ପମ୍ପ ଖୋଲା ରଖାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

kalyan agarbati

Comments are closed.