ଦୁଷ୍ଟ ସହିତ କଲେ ବାସ…
ଜଙ୍ଗଲରେ ମର୍କଟମାନଙ୍କର ଏକ ଦଳ ରହୁଥିଲେ। ମାଙ୍କଡ଼ମାନେ ସାଧାରଣତଃ ଚପଳ ସ୍ବଭାବର; ହେଲେ ସେମାନଙ୍କ ମଧ୍ୟରୁ ଗୋଟିଏ ମାଙ୍କଡ଼ ଅତି ଦୁଷ୍ଟ ସ୍ବଭାବର ଥିଲା। ଖାଲି ଦୁଷ୍ଟ ସ୍ବଭାବର ନଥିଲା, ମୂର୍ଖ ଥିଲା ମଧ୍ୟ। ତା’ର ମୂର୍ଖତା ସମ୍ପର୍କରେ ଦଳରେ ଥିବା ମାଙ୍କଡ଼ମାନେ ଜାଣିଥିଲେ, ହେଲେ ସ୍ବଭାବବଶତଃ ତା’ କଥାରେ ସମୟେସମୟେ ବିଶ୍ବାସ କରିଯାଉଥିଲେ। କାରଣ ଦୁଷ୍ଟମାଙ୍କଡର ସେମାନଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ଥିଲା।
ଦିନେ ରାତିରେ ମାଙ୍କଡ଼ଟି ଗଛଡାଳରେ ଚୁପ୍ଚାପ ବସିଥିଲାବେଳେ ଦେଖିବାକୁ ପାଇଲା ତଳେ ଥିବା ଏକ ବାମ୍ଫିରେ ଜହ୍ନ। ଆକାଶରେ ଉଦିତ ଦ୍ବିତୀୟା ଚନ୍ଦ୍ର ବାମ୍ପିର ଜଳରାଶିରେ ପ୍ରତିବିମ୍ବିତ ହୋଇଥାଏ। ହେଲେ ମୂର୍ଖ ସ୍ବଭାବର ମାଙ୍କଡ଼ଟି ମନେମନେ ଭାବିନେଲା ଆକାଶର ଜହ୍ନ ପାଣି ଭିତରେ ରହିଲାଣି, ଏଣିକି ରାତିରେ ଆଉ ଜହ୍ନ ଆଲୁଅ ଦେଖିପାରିବୁନି। ଏହା ଦେଖିବା ପରେ ସେ ଜୋରରେ ଚିତ୍କାର କରିବାକୁ ଲାଗିଲା। ଅଧିକରୁ ଅଧିକ କର୍କଶ ଶବ୍ଦରେ ଚିତ୍କାର କରିବାରୁ ପାଖଆଖରେ ଥିବା ମାଙ୍କଡ଼ମାନେ ସେଠାରେ ଏକଜୁଟ ହୋଇଗଲେ। ସମସ୍ତେ ଏକାଠି ହୋଇ କାହିଁକି ଚିତ୍କାର କରୁଛୁ ବୋଲି ପଚାରିବାରୁ ମୂର୍ଖମାଙ୍କଡ଼ ସେମାନଙ୍କୁ ପାଣିର ଜହ୍ନକୁ ଦେଖାଇ କହିଥିଲା ଦେଖ, ଉପରେ ଥିବା ଜହ୍ନ ଏବେ ପାଣି ଭିତରେ। ଏହାଦ୍ବାରା ଆମମାନଙ୍କର ଅସୁବିଧା ବହୁତ ବଢ଼ିଯିବ। ଆମେ ସବୁବେଳେ ରାତିରେ ଘୋର ଅନ୍ଧାର ଭିତରେ ହିଁ ରହିବା। ଏ ପରିସ୍ଥିତି ଆଉ ସୁଧୁରିବ ନାହିଁ। ଆମର ଅସହାୟତାର ସୁଯୋଗ ନେଇ ଶତ୍ରୁମାନେ ଆମ ଉପରେ ଦାଉ ସାଧିବେ। ଆମେ ମହାବିପତ୍ତିରେ ପଡ଼ିଯିବା। ଆମକୁ ଯେ କୌଣସି ପ୍ରକାରେ ହେଉ ବାମ୍ପି ଭିତରୁ ଜହ୍ନକୁ ବାହାର କରିବାକୁ ପଡ଼ିବ।
ଏହା କିଭଳି ସମ୍ଭବ ବୋଲି ଜଣେ ପଚାରିବାରୁ ମୂର୍ଖମାଙ୍କଡ଼ଟି ସେମାନଙ୍କୁ ବୁଝାଇଦେଲା ଆମକୁ ପ୍ରୟାସ କରିବାକୁ ପଡ଼ିବ। ଜଣକପରେ ଜଣେ ଲଟକି ଆମେ ପାଣିପାଖକୁ ଯାଇପାରିବା ଅକ୍ଳେଶେର। ଏହି ମୂର୍ଖାମିର ପରିଣାମ କେତେ ଭୟଙ୍କର ହେବ କେହିହେଲେ ଜାଣିପାରି ନଥିଲେ। ସମସ୍ତେ ଗୋଟିଏ ଡାଳରେ ଏକତ୍ରହୋଇ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଯାଉଥିଲାବେଳେ ଏତେସଂଖ୍ୟକ ମାଙ୍କଡ଼ଙ୍କ ଭାର ସମ୍ଭାଳି ନପାରି ଡାଳଟି ହଠାତ ଭାଙ୍ଗିଯାଇଥିଲା। ମନ୍ତ୍ରଣାଦାତା ଦୁଷ୍ଟ ମାଙ୍କଡ଼ ସହ ଅଧିକାଂଶ ମାଙ୍କଡ଼ ବାମ୍ଫି ଭିତରେ ଗଳି ପଡ଼ି ପଞ୍ଚତ୍ବ ପ୍ରାପ୍ତି ହୋଇଥିଲେ।
ଏହାର ସାରବତ୍ତା ହେଲା ଦୁର୍ଜନମାନଙ୍କ ସହ ଏକତ୍ର ରହିଲେ ଅଥବା ମୂର୍ଖମାନଙ୍କ କଥାରେ ପରିଚାଳିତ ହେଲେ ଏହାର ଫଳ ସର୍ବଦା ବିଷମୟ ହୋଇଥାଏ। ସେମାନଙ୍କ ପରାମର୍ଶ, ଉପଦେଶ ଯେ ମନ୍ଦବୁଦ୍ଧିପ୍ରଣୋଦିତ, ଏହା ବିଚାର ନକରି ଯଦି ଅନୁଚିତ କାମ କରାଯାଏ, ତେବେ ଫଳ ଭୋଗିବାକୁ ହିଁ ପଡ଼ିବ।