ବଡ଼ ତାରକାଙ୍କ ଅଧୁରା ବିଶ୍ବକପ : ଗାଙ୍ଗୁଲି, ଦ୍ରାବିଡ଼ ଓ ଆଝାର
ନୂଆଦିଲ୍ଲୀ : ବିଶ୍ବ କ୍ରିକେଟର ଅପ୍ରତିଦ୍ବନ୍ଦ୍ବୀ ଖେଳାଳି। ବିପକ୍ଷ ଦଳ ପାଇଁ ପିଚ୍ରେ ରହିବା ମାେତ୍ର ଚିନ୍ତା ବଢାଇବାରେ ସିଦ୍ଧହସ୍ତ। ଅଧିନାୟକ ଭାବେ ମଧ୍ୟ ହୋଇଛନ୍ତି ସଫଳ। କିନ୍ତୁ ବିଶ୍ବକପ ଭଳି ପ୍ରତିଯୋଗିତା ଜିତିବାରେ ପାଇନାହାନ୍ତି ସୌଭାଗ୍ୟ । ଏଭଳି ସ୍ବପ୍ନ ଅଧୁରା ରହିଯାଇଥିବା ଭାରତୀୟ କ୍ରିକେଟର ତିନି ମହାରଥି ବିିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ଼ ଓ ମହମ୍ମଦ ଆଝାରୁଦ୍ଦିନଙ୍କ ପାଇଁ। ଦୀର୍ଘ ବର୍ଷ ଧରି ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ ମଧ୍ୟ ଆଇସିସି ବିଶ୍ବକପ ବିଜୟୀ ଦଳର ସଦସ୍ୟ ଭାବେ ନିଜକୁ ଉପସ୍ଥାପିତ କରିପାରିନଥିଲେ। ଯାହା ଖେଳ ଜୀବନର ସବୁଠାରୁ ଅବଶୋଷ ରହିଯାଇଛି। ଭାରତ ୧୯୮୩ ଓ ୨୦୧୧ ଆଇସିସି ଦିନିକିଆ ବିଶ୍ବକପ ସହ ୨୦୦୭ ଟ୍ବେଣ୍ଟି୨୦ ବିଶ୍ବକପ ମଧ୍ୟ ଜିତିଛି। କିନ୍ତୁ ଉକ୍ତ ଦଳରେ ଏମାନଙ୍କୁ ପ୍ରତିନିଧିତ୍ବ କରିବାର ସୌଭାଗ୍ୟ ମିଳିନଥିଲା।
ରାହୁଲ ଦ୍ରାବିଡ଼ : କର୍ଣ୍ଣାଟକର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ରାହୁଲ ଦ୍ରାବିଡ଼ ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ। ୧୯୯୬ରୁ ୨୦୧୨ ପର୍ୟ୍ୟନ୍ତ ଦୀର୍ଘ ୧୬ ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ପାଇଁ ଖେଳିଥିଲେ। ୧୯୯୬ ଏପ୍ରିଲ ୩ରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ପ୍ରଦାର୍ପଣ କରିଥିବା ଦ୍ରାବିଡ଼ ୨୦୧୧ ସେପ୍ଟେମ୍ବର ୧୬ରେ ଇଂଲଣ୍ଡ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ। ଏଥିମଧ୍ୟରେ ୩୪୪ଟି ଏକଦିବସୀୟ ମ୍ୟାଚ ଖେଳି ୩୯.୧୬ ପ୍ରତିଶତ ହାରରେ ୧୨ଟି ଶତକ ଓ ୮୩ଟି ଅର୍ଦ୍ଧଶତକ ସହ ୧୦ହଜାର ୮୮୯ରନ ସଂଗ୍ରହ କରିଥିଲେ। ସେଥିମଧ୍ୟରେ ୨୦୦୭ ଆଇସିସି ବିଶ୍ବକପରେ ଭାରତୀୟ ଦଳର ନେତୃତ୍ବ ମଧ୍ୟ ବହନ କରିଥିଲେ। ରାହୁଲଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ୧୯୯୯, ୨୦୦୩, ୨୦୦୭ ଓ ୨୦୧୧ ବିଶ୍ବକପ ଭାରତ ଖେଳିଛି। ସେଥିମଧ୍ୟରେ ୨୦୦୩ରେ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ରନର୍ସଅପ ହୋଇଥିଲା। ୨୦୧୧ ବିଶ୍ବକପ ପୂର୍ବରୁ ଅବସର ନେଇନଥିଲେ ମଧ୍ୟ ଭାରତୀୟ ଦଳରେ ସ୍ଥାନ ପାଇବାରେ ସକ୍ଷମ ହୋଇନଥିଲେ। ସେହିପରି ୧୬୪ଟି ଟେଷ୍ଟ ମ୍ୟାଚ ଖେଳି ୫୨.୩୧ ପ୍ରତିଶତ ହାରରେ ୩୬ଟି ଶତକ ଓ ୬୩ଟି ଅର୍ଦ୍ଧଶତକ ସହ ୧୩ ହଜାର ୨୮୮ରନ କରିବାରେ ସକ୍ଷମ ହୋଇଛନ୍ତି।
ସୌରଭ ଗାଙ୍ଗୁଲି : ଦି ପ୍ରିନ୍ସ ଅଫ କୋଲକାତା ଭାବେ ପରିଚିତ ବାମହାତୀ ଓପନର ବ୍ୟାଟ୍ସମ୍ୟାନ ସୌରଭ ଗାଙ୍ଗୁଲି ୧୯୯୨ରୁ ୨୦୦୮ ପର୍ୟ୍ୟନ୍ତ ୧୬ ବର୍ଷ ଧରି ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ୧୯୯୨ ଜାନୁଆର ୧୧ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକଦିବସୀୟ ପ୍ରଦାର୍ପଣ କରିଥିବା ଗାଙ୍ଗୁଲି ୨୦୦୭ ନଭେମ୍ବର ୧୫ରେ ପାକିସ୍ତାନ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ସେଥିମଧ୍ୟରେ ୩୧୧ଟି ମ୍ୟାଚ ଖେଳି ୪୧.୦୨ ପ୍ରତିଶତ ହାରରେ ୨୨ଟି ଶତକ ଓ ୭୨ଟି ଅର୍ଦ୍ଧଶତକ ସହ ୧୧ ହଜାର ୩୬୩ରନ କରିଥିଲେ। ଗାଙ୍ଗୁଲିଙ୍କ କ୍ୟାରିୟର ଭିତରେ ୧୯୯୨, ୧୯୯୬, ୧୯୯୯, ୨୦୦୩ ଓ ୨୦୦୭ ବିଶ୍ବକପ ଭାରତ ଖେଳିଛି। ୨୦୦୩ ବିଶ୍ବକପରେ ଗାଙ୍ଗୁଲିଙ୍କ ନେତୃତ୍ବାଧୀନ ଭାରତ ଫାଇନାଲକୁ ଉନ୍ନୀତ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇ ରନର୍ସଅପ ହୋଇଥିଲା। ଉକ୍ତ ବିଶ୍ବକପ ସ୍ବପ୍ନ ଅଧୁରା ରହିଥିଲା। େସହିପରି ଗାଙ୍ଗୁଲି ୧୧୩ଟି ଟେଷ୍ଟ ମ୍ୟାଚ ଖେଳି ୪୨.୧୭ ପ୍ରତିଶତ ହାରରେ ୧୬ଟି ଶତକ ଓ ୩୫ଟି ଅର୍ଦ୍ଧଶତକ ସହ ୭.୨୧୨ରନ କରିଛନ୍ତି। ଜଣେ ସଫଳ ଭାରତୀୟ ଅଧିନାୟକ ଭାବେ ଗାଙ୍ଗୁଲି କୃତିତ୍ବ ହାସଲ କରିଥିଲେ ମଧ୍ୟ ବିଶ୍ବକପ ସ୍ବପ୍ନ ଅଧୁରା ରହିଯାଇଥିଲା।
ମହମ୍ମଦ ଆଝାରୁଦ୍ଦିନ : ସବୁଠାରୁ ଦୀର୍ଘ ସମୟ ଧରି ଅଧିନାୟକ ଦାୟିତ୍ବ ତୁଲାଇଥିବା ହାଇଦ୍ରାବାଦ୍ ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନ ୧୯୮୪ରୁ ୨୦୦୦ ମସିହା ପର୍ୟ୍ୟନ୍ତ ୧୬ ବର୍ଷ ଧରି ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ୧୯୮୫ ଜାନୁଆରୀ ୨୦ରେ ଇଂଲଣ୍ଡ ବିପକ୍ଷରେ ଏକଦିବସୀୟ ପଦାର୍ପଣ କରିଥିବା ଆଝାରୁଦ୍ଦିନ ସଫଳ ବ୍ୟାଟ୍ସମ୍ୟାନ ଭାବେ ୩୩୪ଟି ଏକଦିବସୀୟ ମ୍ୟାଚ ଖେଳି ୭ଟି ଶତକ ଓ ୫୮ଟି ଅର୍ଦ୍ଧଶତକ ସହ ୩୬.୯୨ ହାରରେ ୯ହଜାର ୩୭୮ରନ କରିଥିଲେ। ସେଥିମଧ୍ୟରେ ସେ ୧୯୮୭, ୧୯୯୨, ୧୯୯୬ ଓ ୧୯୯୯ ବିଶ୍ବକପରେ ମଧ୍ୟ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। କିନ୍ତୁ ବିଶ୍ବକପ ଜିତିବାର ସ୍ବପ୍ନ ପୂରଣ ହୋଇପାରିନଥିଲା। ସେହିପରି ଆଝାରୁଦ୍ଦିନ ୧୯୮୪ ଡିସେମ୍ବର ୩୧ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିବାବେଳେ ୨୦୦୦ ମସିହା ମାର୍ଚ୍ଚ ୨ରେ ଦକ୍ଷିଣଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ। ୯୯ଟି ଟେଷ୍ଟ ମ୍ୟାଚ ଖେଳି ୨୨ ଟି ଶତକ ଓ ୨୧ଟି ଅର୍ଦ୍ଧଶତକ ସହ ୪୫.୦୩ ପ୍ରତିଶତ ହାରରେ ୬ ହଜାର ୨୧୫ରନ ସଂଗ୍ରହ କରିଛନ୍ତି।
Comments are closed.