ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗୁରୁବାର ସାକ୍ଷାତ କରିଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ଏନେଇ ମୋଦୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସାକ୍ଷାତ ସମୟର ଫଟୋ ମଧ୍ୟ ସେ ଶେୟାର କରିଛନ୍ତି।
ମୋଦୀ କହିଛନ୍ତି, ‘‘ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସାକ୍ଷାତ କଲି। ରାଷ୍ଟ୍ରପତି ପଦ ପାଇଁ ତାଙ୍କର ପ୍ରାର୍ଥୀତ୍ବ ଦେଶ ତଥା ସମାଜର ସମସ୍ତ ବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେଉଛି। ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ଉତ୍କୃଷ୍ଟ।’’
ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମୁର୍ମୁ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ମୁର୍ମୁ(୬୪) ଶୁକ୍ରବାର ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ହେବ। ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୪ ତାରିଖରେ ଶେଷ ହେବ।



