ଦାନ-ପ୍ରତିଦାନ

0

ଅପରାହ୍ଣର ଉଦାସ ଆକାଶ। ଅସ୍ତୋନ୍ମୁଖୀ ଭାସ୍କରଙ୍କ ଲୋହିତ ଆଭାରେ ପଶ୍ଚିମାକାଶ ରକ୍ତିମ ହୋଇ ଉଠିଥାଏ। ସ୍ବଚ୍ଛ ନଦୀ ଜଳରେ ପ୍ରତିବିମ୍ବିତ ହୋଇ ଏହା ଅପୂର୍ବ ବର୍ଣ୍ଣବିଭା ସୃଷ୍ଟି କରିଥାଏ। ଖଣ୍ଡେ ପଥର ଉପରେ ବସି ବାଳକଟିଏ ସ୍ରୋତରେ ଉନ୍ମୁକ୍ତ ପାଦ ଦୁଇଟିକୁ ହଲାଇ ଖେଳିବାରେ ଲାଗିଥାଏ। ହଠାତ୍‌ ରଥର ନି​ର୍ଘୋଷ ଶୁଣିବାକୁ ପାଇଥିଲା ବାଳକଟି। ଅଦୂରରେ ରଥ ଅଟକିଥିଲା, ବାଳକଟି ଅନାଇ ଦେଖେ ତ ରଥରୁ ଅବତରଣ କରୁଛନ୍ତି ଜଣେ ପକ୍ବ ଶ୍ମଶ୍ରୁଧାରୀ ବ୍ୟକ୍ତି। ମୁଖମଣ୍ଡଳରେ ଅପୂର୍ବ ଜ୍ୟୋତି। ବାଳକଟିକୁ ବେଶ୍‌ କିଛିକ୍ଷଣ ପାଇଁ ଚାହିଁ ସାରଥିକୁ କହିଥିଲେ- ‘କିଏ ଏହି ତେଜସ୍ବୀ ବାଳକ। ତା’ର ବକ୍ଷ ଓ କର୍ଣ୍ଣରେ ଅଭିନ୍ନ କବଚ ଓ କୁଣ୍ଡଳ ଯେ?’
ସାରଥି ବୀରଭଦ୍ର ଉତ୍ତରରେ କହିଥିଲେ- ‘ରାଜଭବନର ଅଧିରଥଙ୍କର ପୁତ୍ର। କବଚକୁଣ୍ଡଳ ତା’ର ସହଜାତ।’
ଶ୍ମଶ୍ରୁଧାରୀ ବୃଦ୍ଧ ବାଳକଠାରୁ ଟିକିଏ ଦୂରରେ ଅନ୍ୟ ଏକ ପଥର ଉପରେ ବସିପଡ଼ିଲେ। କିଛି ସମୟ ଅତିକ୍ରାନ୍ତ ହେବାପରେ ପ୍ରଶ୍ନ କରିଥିଲେ- ‘ଏକାକୀ ଏଠାରେ ବସିଛ କାହିଁକି? ତୁମର ସାଥୀମାନେ ତ ଅଦୂରରେ ଖେଳୁଛନ୍ତି।’ ବାଳକଟି ଉତ୍ତର ଦେଇଥିଲା ‘ସମବୟସ୍କ ହେଲେ ବି କ୍ରୀଡ଼ା, ଶକ୍ତି ସାମର୍ଥ୍ୟରେ ସେମାନେ ମୋଠାରୁ ଦୁର୍ବଳ। ତାଙ୍କ ସହ ଖେଳିଲେ ଜିଣିବା ନିଶ୍ଚିତ, କିନ୍ତୁ ସେଥିରେ ଉନ୍ମାଦନା ନଥାଏ। ପ୍ରତିପକ୍ଷ ସମ ଶକ୍ତିସଂପନ୍ନ ହେଲେ ହିଁ କ୍ରୀଡ଼ାରେ ଆନନ୍ଦ ଥାଏ। ଏହା ବାଦ୍‌ ନଦୀ ତୀରରେ ଏକାକୀ ବସି ଖେଳିବା ମୋର ଅଭ୍ୟାସ। ଏଇ ଯେମିତି ଆପଣ ବସିଛନ୍ତି।’
ବାଳକର ନିଃଶଙ୍କ ଉତ୍ତରରେ ଅଭିଭୂୂତ ବୃଦ୍ଧ କହିଥିଲେ- ‘ନଦୀ ପ୍ରତି ମୋର ଆକର୍ଷଣ ସ୍ବାଭାବିକ। କାରଣ ପତିତପାବନୀ ଗଙ୍ଗା ମୋର ଜନନୀ।’
ବାଳକ ତତକ୍ଷଣାତ୍‌ ଗଙ୍ଗାଙ୍କ ଉଦ୍ଦେଶ୍ୟରେ ଦୁଇହାତ ଯୋଡ଼ି ନମସ୍କାର କରି କହିଥିଲା- ‘ଓଃ, ତେବେ ଆପଣ କ’ଣ ସେହି ଗଙ୍ଗାପୁତ୍ର ଭୀଷ୍ମ।’
‘ହଁ ମୁଁ ଗଙ୍ଗାପୁତ୍ର । ଆଉ ତୁମେ?’
‘ମୁଁ ଅଧିରଥ ତନୟ, ମୋର ଜନନୀଙ୍କ ନାମ ରାଧା।’ ଶ୍ଳେଷମିଶ୍ରିତ ସ୍ବରରେ ଭୀଷ୍ମ କହିଥିଲେ- ‘ଆଚ୍ଛା, ତା’ହେଲେ ତୁମେ ସୂତପୁତ୍ର। ସମ୍ବୋଧନରେ ଭରି ରହିଥିଲା ତାଚ୍ଛଲ୍ୟ ଓ ଅବଜ୍ଞାଭାବ। ଭୀଷ୍ମ ପୁଣି କହିଥିଲେ- ସୂତପୁତ୍ର! ରାଜବଧୂ କୁନ୍ତୀ ଅନେକ ସମୟରେ ମିଷ୍ଟାନ୍ନ ପ୍ରସ୍ତୁୁତ କରି ଛୋଟଛୋଟ ପିଲାମାନଙ୍କୁ ବାଣ୍ଟିଥାନ୍ତି। କାହିଁ କୌଣସି ଦିନ ତ ତୁମେ ମିଷ୍ଟାନ୍ନ ନେବା ପାଇଁ ଯିବାର ମୁଁ ଦେଖିନାହିଁ।’
ଦୃପ୍ତ କଣ୍ଠରେ ବାଳକଟି କହିଥିଲା- ‘ଯିବାର ଆବଶ୍ୟକତା ପଡ଼ିନାହିଁ। ତାଙ୍କର ଅଛି, ଦାନସୂତ୍ରରେ ନିଜର ମହନୀୟତା ପ୍ରଦର୍ଶନ ପାଇଁ ହୁଏତ ସେ ଏହା ଦେଉଥିବେ। ତାଙ୍କର ଦେବାର ଯେପରି ସ୍ବାଧୀନତା ଅଛି, ଗ୍ରହଣ ନକରିବାର ସ୍ବାଧୀନତା ବାଳକ ହେଲେ ମଧ୍ୟ ମୋର ଅଛି। ଦାନ ଗ୍ରହଣ କରୁଥିବା ବ୍ୟକ୍ତିର ହାତ ସର୍ବଦା ତଳକୁ ଥାଏ। ବିଶେଷ କରି ଏହା ମୋତେ ଅସମ୍ମାନଜନକ ବୋଧହୁଏ। ଦାନ ଦେବାରେ ହିଁ ମୋର ରୁଚି, ଦାନ ଗ୍ରହଣରେ ନୁହେଁ।’
ପରବର୍ତ୍ତୀ ସମୟରେ ସେଦିନର ସେଇ ବାଳକ ଜୀବନସାରା ଅନେକ କିଛି ଦାନ ଦେଇ ଶ୍ରେଷ୍ଠ ଦାନୀ ଭାବରେ ଖ୍ୟାତିଲାଭ କରି ନିଜର ସ୍ବତନ୍ତ୍ର ପରିଚିତି ହାସଲ କରିଥିଲେ। ହେଲେ ଭାଗ୍ୟର ଏହା ଘୋର ବିଡ଼ମ୍ବନା ଥିଲା ଯେ ଦୁର୍ମତି ଦୁ‌େର୍ଯ୍ୟାଧନର ‘ଦାନ’ରେ ହିଁ ସେ ପ୍ରତିଷ୍ଠା, ପ୍ରଭାବ, ପଦମର୍ଯ୍ୟାଦା, ସମ୍ମାନ, ଗୌରବ ସବୁକିଛି ପାଇଥିଲେ। ପରିସ୍ଥିତି ଦୃଷ୍ଟିରୁ ଏହି ଦାନକୁ ଅସ୍ବୀକାର କରିପାରିନଥିଲେ। ଫଳତଃ ଜୀବନ ଥିଲା ହାହୁତାଶମୟ।

kalyan agarbati
Leave A Reply