ବିଦ୍ୟାଳୟ ପରିସରରୁ ଗଛ କାଟିନେଲା ଠିକାଦାର, ବନ ବିଭାଗର ତଦନ୍ତ ଆରମ୍ଭ

ଦୋବଲ: ଧାମନଗର ବ୍ଲକ ଦୋବଲ ଗ୍ରାମରେ ଥିବା ଏସଏଜେ ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ଅଧୀନରେ ଅନ୍ତର୍ଭୁକ୍ତ ହୋଇ ନିର୍ମାଣ ଚାଲୁଅଛି। ଏହାର ଫାଇଦାନେଇ ବିଦ୍ୟାଳୟ ପରିସରରୁ ଅନେକ ଗଛ ଠିକାଦାର କାଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଲୋକେ ଓ ଅଭିଭାବକ ଧାମନଗର ପୁଲିସ, ବନବିଭାଗ ଓ ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ୧୯୭୦ ମସିହାରେ ନିର୍ମିତ ବିଦ୍ୟାଳୟ ପରିସରରେ ବହୁ ପୁରୁଣା ଆମ୍ବ, ଜାମ୍ବ, ଲିମ୍ବ ଓ ଆକାସୀ ଭଳି ବିଭିନ୍ନ ଗଛ ରହିଛି। ବିଦ୍ୟାଳୟ ଗୃହକୁ ଲାଗି କିଛି ଗଛର ଡାଳ ଛାତକୁ ନଷ୍ଟ କରୁଥିବାରୁ ବିନା କୌଣସି ଅଧିକାରୀଙ୍କ ପରାମର୍ଶରେ ପ୍ରଧାନ ଶିକ୍ଷୟତ୍ରୀ ସୁଛନ୍ଦା ତ୍ରିପାଠୀ ଗୃହନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ଗଛର ଡାଳ କାଟିବାକୁ ନିର୍ଦେଶ ଦେଇଥିଲେ। ଉକ୍ତ ଠିକାଦାର ବିରାଟ ବିରାଟ ଡାଳ ସହ ଅନେକ ଗଛ କାଟି ଟ୍ରାକ୍ଟର ସାହାଯ୍ୟରେ ନେଇଯାଇଛନ୍ତି। ଆଉ କିଛି କାଠ ଗଣ୍ଡିକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରିକରି ଅର୍ଥକୁ ଠିକାଦାର ଓ ପ୍ରଧାନ ଶିକ୍ଷୟତ୍ରୀ ମିଳିମିଶି ଆତ୍ମସାତ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ପାଇ ଧାମନଗର ଫରେଷ୍ଟର ସୁଶାନ୍ତ ମହାନ୍ତି, ବ୍ଲକ ଶିକ୍ଷାଧିକାରୀ କୈଳାଶ ଜେନା ଓ ସ୍ଥାନୀୟ ଏଆରଆଇ ସ୍କୁଲରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି  ଓ ଏହାର ତଦନ୍ତ ଆରମ୍ଭ କରିଛନ୍ତି।

ଏନେଇ ପ୍ରଧାନ ଶିକ୍ଷୟତ୍ରୀ ସୁଛନ୍ଦା ତ୍ରିପାଠୀଙ୍କୁ ପଚାରିବାରୁ କୁହନ୍ତି ଅଭିଯୋଗର କୌଣସି ସତ୍ୟତା ନାହିଁ। ଛାତ ଉପରେ ଗଛର ପତ୍ର ଜମାଟ ହୋଇ ଛାତରୁ ପାଣି ଝରୁଥିଲା। ତେଣୁ ସେସବୁ ଗଛର ଡାଳଗୁଡିକ କାଟି ଦିଆଯାଇଛି ବୋଲି ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି।

Comments are closed.