www.samajalive.in
Friday, December 5, 2025
23.1 C
Bhubaneswar

ଖର୍ଚ୍ଚ ହୋଇପାରୁନି ୭୦% ଡିଏମ୍ଏଫ୍‌ ପାଣ୍ଠି

ଭୁବନେଶ୍ବର : ଖଣିଜ ଉତ୍ପାଦ ଜିଲାଗୁଡ଼ିକରେ ରହିଛି ସ୍ବାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା, ପାନୀୟ ଜଳ ଯୋଗାଣ, ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଦୁର୍ବଳ ଭଳି ମାଳମାଳ ସମସ୍ୟା। ଏହି ସବୁ ଅଞ୍ଚଳର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଜିଲା ଖଣିଜ ଫାଉଣ୍ଡେସନ (ଡିଏମ୍ଏଫ୍‌) ପାଣ୍ଠି ରହିଛି। ତେବେ ଖଣିଜ ସମୃଦ୍ଧ ଅଞ୍ଚଳର ନିରନ୍ତର ସାମାଜିକ ଏବଂ ଭିତ୍ତିଭୂମି ବିକାଶ ପାଇଁ ରହିଥିବା ଏହି ଡିଏମ୍ଏଫ୍‌ ପାଣ୍ଠି ଆଦାୟ ଟଙ୍କାରୁ ୭୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇପାରୁ ନାହିଁ। ଏପରିକି ବିଭିନ୍ନ ପ୍ରକଳ୍ପ ପାଇଁ ମଞ୍ଜୁର ହୋଇ ସାରିଥିବା ଅର୍ଥରୁ ମଧ୍ୟ ୫୩ ପ୍ରତିଶତ ଖର୍ଚ୍ଚ କରାଯାଇ ପାରୁନି।
ସୂଚନା ଅନୁଯାୟୀ ରାଜ୍ୟରେ ଡିଏମ୍ଏଫ୍‌ ପାଣ୍ଠିରୁ ୩୨,୦୭୯ଟି ପ୍ରକଳ୍ପ ପାଇଁ ୨୬,୫୨୨.୬୮କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବ୍ୟୟ ମଞ୍ଜୁର ଅର୍ଥରୁ ୧୨,୫୦୧.୯୨ କୋଟି ଟଙ୍କା କେବଳ ଖର୍ଚ୍ଚ କରାଯାଇ ପାରିଛି। ତଥ୍ୟ ଦର୍ଶାଉଛି ଯେ, ଯେଉଁଥିରୁ ୬୦୩୮.୭୯କୋଟି ଟଙ୍କା ମୂଲ୍ୟର ୧୮ହଜାର ୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି। ୧୭ ହଜାର ୬୬୦.୬୫କୋଟି ଟଙ୍କା ମୂଲ୍ୟର ୯ ହଜାର ୧୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ୨ ହଜାର ୩୯୨.୭୩ କୋଟି ଟଙ୍କା ମୂଲ୍ୟର ଆଉ ୩୬୩୫ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଯୋଜନା ଏବଂ କାର୍ଯ୍ୟକାରିତା ସମୟରେ ୨୯୫.୬୬ କୋଟି ଟଙ୍କାର ୭୧୨ଟି ବିକାଶମୂଳକ ପ୍ରକଳ୍ପ ବିଭିନ୍ନ କାରଣରୁ ବାତିଲ କରାଯାଇଛି। ୩୦ଟି ଜିଲା ମଧ୍ୟରୁ ସୁନ୍ଦରଗଡ଼ ଜିଲାରେ ସର୍ବାଧିକ ୧୮ହଜାର ୫୭୪.୦୩ କୋଟି ଟଙ୍କା
ସଂଗ୍ରହ କରାଯାଇଛି। ଉକ୍ତ ଜିଲା ପାଇଁ ଡିଏମ୍ଏଫ୍‌ ପାଣ୍ଠି ଟଙ୍କାରେ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୬୯୦୪ଟି ପ୍ରକଳ୍ପ ବାବଦରେ ୮୨୯୩.୧୩ କୋଟି ଟଙ୍କା ମଞ୍ଜୁର ହୋଇଛି। ଅଦ୍ୟାବଧି ୪୫୦୮ଟି ପ୍ରକଳ୍ପରେ ୨୯୦୬.୦୮କୋଟି ଟଙ୍କା ବିନିଯୋଗ ହୋଇଛି।
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ମୌଳିକ ସମସ୍ୟା ଥିବାବେଳେ ଡିଏମ୍ଏଫ୍‌ ପାଣ୍ଠି ଟଙ୍କାରେ ଆଦିବାସୀଙ୍କ ବିକାଶ ନିମନ୍ତେ ଅଧିକାରୀ ନକ୍ସା ପ୍ରସ୍ତୁତ କରୁନଥିବା ସ୍ପଷ୍ଟ ହୋଇଛି। କେନ୍ଦୁଝର ଜିଲାରେ ୧୩ ହଜାର ୪୨୦.୨୦ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ୩୩୮୪ଟି ପ୍ରକଳ୍ପ ପାଇଁ ୯୬୮୫.୭୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏଯାବତ୍‌ ୯୬୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବାବେଳେ ୫୦୩୫.୭୩ କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାରିଛି। ଅନୁଗୋଳ ଜିଲାର ଡିଏମ୍ଏଫ୍‌ ପାଣ୍ଠିରେ ୩୯୭୨.୪୬ କୋଟି ଟଙ୍କା ସଂଗ୍ରହ ହୋଇଥିବାବେଳେ ୫୩୬୨ଟି ପ୍ରକଳ୍ପ ପାଇଁ ୨୭୯୧.୬୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ୩୮୯୬ଟି ପ୍ରକଳ୍ପ ପାଇଁ ୨୦୪୮.୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଯାଜପୁର ଜିଲାରେ ୨୬୭୯.୨୨ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୬୨୨୬ଟି ପ୍ରକଳ୍ପ ପାଇଁ ୩୧୨୪.୩୦କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅଦ୍ୟାବଧି ୨୯୮୬ଟି ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦରେ ୧୧୬୧.୦୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଝାରସୁଗୁଡ଼ା ଜିଲାରେ ୧୫୮୮.୬୫ କୋଟି ଟଙ୍କା ସଂଗ୍ରହ ହୋଇଛି। ୧୫୧୧ଟି ପ୍ରକଳ୍ପ ପାଇଁ ୧୭୫୧.୦୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୭୭୯ଟି ସମ୍ପୂର୍ଣ୍ଣ ପ୍ରକଳ୍ପ ବାବଦରେ ୭୩୨.୧୫କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଅବଶିଷ୍ଟ ଜିଲାଗୁଡ଼ିକ ଏ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାରୁ କମ୍ ଡିଏମଏଫ ସଂଗ୍ରହ କରିଛନ୍ତି। କଟକ, କେନ୍ଦ୍ରାପଡ଼ା, ଦେବଗଡ଼, ସୁବର୍ଣ୍ଣପୁର ଜିଲାରେ ଡିଏମ୍ଏଫ୍‌ ପାଣ୍ଠି ଆଦାୟ କୋଟିଏ ଟଙ୍କା ଟପିନାହିଁ। ଉକ୍ତ ଜିଲାଗୁଡ଼ିକ ପାଇଁ କୌଣସି ପ୍ରକଳ୍ପ ଯୋଜନା ପ୍ରସ୍ତୁତ ହୋଇନି। ସେହିଭଳି କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୋଳ ଏବଂ ଯାଜପୁର ଜିଲାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଡିଏମ୍‌ଏଫ୍ ପାଣ୍ଠି ଉପଯୋଗ କ୍ଷେତ୍ରରେ ଏହି ଜିଲାଗୁଡ଼ିକ ଶୀର୍ଷ ସ୍ଥାନରେ ରହିଛନ୍ତି। ଜାତୀୟ ଡିଏମ୍ଏଫ୍‌ ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ ରାଜ୍ୟର ୩୦ଟି ଜିଲାରେ ମୋଟ ୪୧,୯୨୭.୭୬ କୋଟି ଟଙ୍କାର ଡିଏମ୍ଏଫ୍‌ ପାଣ୍ଠି ଟଙ୍କା ସଂଗ୍ରହ ହୋଇଛି।
ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମ୍‌କେକେକେୱାଇ) ଡିଏମ୍ଏଫ୍‌ ଗୁଡ଼ିକୁ ପାନୀୟ ଜଳ, ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ, ସ୍ବାସ୍ଥ୍ୟସେବା, ଶିକ୍ଷା, ମହିଳା ଏବଂ ଶିଶୁ କଲ୍ୟାଣ, ବୟସ୍କ ଏବଂ ଭିନ୍ନକ୍ଷମଙ୍କ କଲ୍ୟାଣ, ଦକ୍ଷତା ବିକାଶ ଏବଂ ଜୀବିକା ସୃଷ୍ଟି, ପରିମଳ, ଆବାସ, କୃଷି ଏବଂ ପଶୁପାଳନ ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ପାଣ୍ଠି ଖର୍ଚ୍ଚ କରିବାକୁ ନିର୍ଦେଶ ଦେଇଛି ଯାହା ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ନିର୍ଦେଶାବଳୀ ଅନୁସାରେ ସିଧାସଳଖ ପ୍ରଭାବିତ କ୍ଷେତ୍ର ଏବଂ ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଅତି କମ୍‌ରେ ୭୦ ପ୍ରତିଶତ ଡିଏମ୍ଏଫ୍‌ ପାଣ୍ଠିର ଉପଯୋଗ, ସିଆଣ୍ଡଏଜି ଦ୍ୱାରା ଡିଏମ୍ଏଫ୍‌ ଆକାଉଣ୍ଟଣ୍ଟଗୁଡ଼ିକର ବାଧ୍ୟତାମୂଳକ ଅଡ଼ିଟ୍‌, ନିର୍ବାଚିତ ପ୍ରତିନିଧି ଯଥା ସାଂସଦ, ବିଧାୟକ ଏବଂ ଏମ୍‌ଏଲ୍‌ସିକୁ ପରିଚାଳନା ପରିଷଦରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗ ସମାଧାନ, ଅନୁପାଳନ ବ୍ୟବସ୍ଥା ଏବଂ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ମନିଟରିଂ କମିଟି ପ୍ରତିଷ୍ଠା ଆଦି ନିର୍ଦ୍ଦେଶ ରହିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories