ଦୀପାବଳି ହେଉଛି ଆଲୋକର ପର୍ବ; କିନ୍ତୁ ବାଣଫୁଟାଇ ଦୀପାବଳି ପାଳନ କରିବାର ଏକ ଅପ-ସଂସ୍କୃତି ବା ଅପ-ପରମ୍ପରାରେ ମନୁଷ୍ୟ ଆଜି ମୋହଗ୍ରସ୍ତ। ବାସ୍ତବରେ ସୁସଜ୍ଜିତ ଆଲୋକମାଳାକୁ ହିଁ ଦୀପାବଳି ବା ଦୀୱାଲି ବୁଝାଉଥାଏ। କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ଠାରୁ ଏହି ଉତ୍ସବ କେତେକ ସ୍ଥାନରେ ତିନିଦିନ ବ୍ୟାପୀ ପାଳନ କରାଯାଏ; କିନ୍ତୁ ଆମେ କାର୍ତ୍ତିକ ମାସର କୃଷ୍ଣପକ୍ଷର େଶଷ ଦୁଇଦିନ ଦୀପାବଳି ପାଳନ କରି ଥାଉ। ସେହି ଦିନ ଗୋବର୍ଦ୍ଧନ ପୂଜା ସହିତ ସାମ୍ବତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ କରାଯାଏ। ଏହି କାର୍ତ୍ତିକ ଅମାବାସ୍ୟାରେ ପିତୃଲୋକର ଅଦୃଶ୍ୟ ପିତୃପୁରୁଷମାନଙ୍କୁ ଦୀପ ପ୍ରଜ୍ବଳନ କରି ବିଦାୟ ସମ୍ବର୍ଦ୍ଧନା ଦିଆଯାଏ। ଏଥି ସହିତ ଆଦ୍ୟାଶକ୍ତି ମା-କାଳୀଙ୍କର ପୂଜା ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ କରାଯାଏ। ମା କାଳୀ ହେଉଛନ୍ତି ବ୍ରହ୍ମରୂପିଣୀ, ଅନନ୍ତବୀର୍ଯ୍ୟା ଓ ଜଗତ ସୃଷ୍ଟିର ଉତ୍ସ। କରାଳବଦନୀ ମହାକାଳୀ ଯଦିଓ ଭୟଙ୍କର ରୂପେ ଆବିର୍ଭୂତା ହୁଅନ୍ତି କିନ୍ତୁ ତାଙ୍କର ହୃଦୟ ଅତ୍ୟନ୍ତ ଭାବମୟ ଓ ପବିତ୍ର। ଜଗତର ମଙ୍ଗଳ ପାଇଁ ମହାକାର୍ତ୍ତିକର ଦୀପାବଳି ତିଥିରେ ତାଙ୍କର ଶୁଭ ଆବିର୍ଭାବ ହୁଏ। ଲୋକଶ୍ରୁତି ଅନୁଯାୟୀ ଏହି ଦିନ ଲକ୍ଷ୍ମୀ-ନାରାୟଣଙ୍କର ବିବାହ ଉତ୍ସବ ହୋଇଥିଲା। ବଙ୍ଗଦେଶରେ ଏହି ଦିନ ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ। ଆଉ କେତେକ କହନ୍ତି ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ପରେ ଯେଉଁ ଦିନ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ସେହିଦିନ ସବୁ ନଗର ଓ ଗ୍ରାମମାନଙ୍କରେ ଦୀପମାଳା ଜଳାଇ ଅଯୋଧ୍ୟାବାସୀ ସ୍ବାଗତ କରିଥିଲେ। ଏହା ଦୀପର ଆବଳି ବା ସମୂହ। ଏଥିସହିତ କ୍ରମଶଃ ବାଣଫୁଟାକୁ ଯୋଡ଼ି ଏବେ ଉତ୍ସବ ରୂପେ ପାଳିତ ହେଉଛି। ଯାହାକି ଅଯୌକ୍ତିକ। ଦ୍ବାପର ଯୁଗର ଶ୍ରୀକୃଷ୍ଣ ନାରକାସୁରକୁ ବଧ କରିଥିଲେ ଦୀପାବଳିର ପୂର୍ବଦିନ। ଯାହାକୁ ନରକ ଚତୁର୍ଦ୍ଦଶୀ ଏବଂ ଛୋଟୀ ଦୀୱାଲି କୁହାଯାଏ।
ନାରକାସୁର ବଧ ଦିବସ ଦୀପାବଳିର ପୂର୍ବଦିନ, ଚତୁର୍ଦ୍ଦଶୀରେ ତୈଳସ୍ନାନ ନିଷେଧ ରୂପେ ଶାସ୍ତ୍ରସମ୍ମତ ଥିବାବେଳେ ଏହି ନରକ ଚତୁର୍ଦ୍ଦଶୀରେ ତୈଳ ମର୍ଦ୍ଦନ ଓ ସ୍ନାନର ମହତ୍ତ୍ବ ବେଶୀ। ଏହି ଦିନ ରାତ୍ରିରେ ମାଆମାନେ କଜଳ ପାରି ବର୍ଷସାରା ପରିବାର ଲୋକେ, ଛୁଆପିଲା ବ୍ୟବହାର କରନ୍ତି, ଯଦ୍ଦ୍ବାରା ଖରାପ ନଜର ଲାଗିନଥାଏ। ଏହି ଦିବସରେ ଧନସମ୍ପଦ ଓ ଲକ୍ଷ୍ମୀ ବୃଦ୍ଧି, ସମୃଦ୍ଧି ଆଦି ପାଇଁ ଲକ୍ଷ୍ମୀଙ୍କୁ ନୂଆବସ୍ତ୍ର ପିନ୍ଧାଇ ସମସ୍ତେ ନୂଆ ପିନ୍ଧନ୍ତି। ଥାଳିରେ ଶୁଭ ଦ୍ରବ୍ୟଗୁଡ଼ିକ ଯଥା- ସୁନା, ରୁପା, ଠାକୁର ମୂର୍ତ୍ତି, ଅରୁଆ ଚାଉଳ, ଗୁରୁଙ୍କ ଫଟୋ, ଗାଈବାଛୁରୀ ମୂର୍ତ୍ତି, ଦହି, ଦୁଗ୍ଧ, ସିନ୍ଦୂର, ଶ୍ବେତପୁଷ୍ପ, ସତ୍ଶାସ୍ତ୍ର, ଘିଅ ଆଦି ସଜାଇ ଦୁଇଦିନ ରଖାଯାଏ। ଫଳରେ ଗୃହର ସଦସ୍ୟମାନେ ତଥା ଆଗନ୍ତୁକ ଅତିଥି ଶୁଭଦର୍ଶନର ସୁଯୋଗ ପାଇଥା’ନ୍ତି। ପରଦିନ ଗୁଜୁରାଟୀ ସମ୍ପ୍ରଦାୟରେ ନବବର୍ଷ ପାଳିତ ହୁଏ। ଏହି ପର୍ବ ପ୍ରାୟ ପାଞ୍ଚଦିନ ଧରି ଚାଲେ। ଦ୍ବାରଦେଶ ଓ ଘରର ଫାଟକକୁ ଆମ୍ବ, ନିମ୍ବ, ଦେବଦାରୁ, ଅଶୋକ ଡାଳରେ ସଜାଇ ରଖାଯାଏ। ଯଦ୍ଦ୍ବାରା ଏହି ପତ୍ରକୁ ସ୍ପର୍ଶ କରି ଗୃହ ଯାଉଥିବା ଆରୋଗ୍ୟକାରୀ ବାୟୁ ସମସ୍ତଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଯମ ଦେବତାଙ୍କୁ ଦୀପ ଦାନ ମଧ୍ୟ କରାଯାଏ। ତୁଳସୀ ବୃକ୍ଷ ପୂଜନ ହୁଏ। ପ୍ରାଚୀନ କାଳରେ ଏହାର ନାମକରଣ ‘ଦୀପୋତ୍ସବ’ ହୋଇଥିଲା। ଦୀପାବଳି ଦିନ ନୂଆ ବସ୍ତୁ, ଧାତୁ ଆଦି କିଣାଯିବା ଶୁଭ ବୋଲି କୁହାଯାଏ। ଏହା ଧନଦା ତ୍ରୟୋଦଶୀ (ଧନତେରାସ)ଠାରୁ ଆରମ୍ଭ ହୁଏ। ଏହି ଦିନ ଯମଦେବ, କୁବେର ଓ ଧନନ୍ତ୍ବରୀଙ୍କ ପୂଜା କରାଯାଏ। ଦ୍ବିତୀୟ ଦିନ ନରକ ଚତୁର୍ଦଶୀ, ତୃତୀୟ ଦିନ ଲକ୍ଷ୍ମୀଙ୍କ ପ୍ରାକଟ୍ୟ ଦିବସ ଓ ଦୀପୋତ୍ସବ, ବଡ଼ବଡ଼ିଆ ଡାକ ଆଦି କରାଯାଏ। ଚତୁର୍ଥଦିନ ଅନ୍ନକୂଟ ବା ଗୋବର୍ଦ୍ଧନ ପୂଜା ହୁଏ। ଏହି ଦିନରେ ଗୋମାତାଙ୍କୁ ବସ୍ତ୍ର, ଖାଦ୍ୟ ଦାନର ମହତ୍ତ୍ବ ଅଧିକ। ପଞ୍ଚମଦିନ ଭ୍ରାତୃ ଦ୍ବିତୀୟାରେ ଭାଇକୁ ଭଉଣୀ ତିଳକ କରି ମିଠା ଖୁଆଇ ଭାଇର ଶୁଭ ମନାସେ। ଭଉଣୀକୁ ଭାଇ ବସ୍ତ୍ର, ଆଭୂଷଣ, ମିଠା ଆଦି ଦେଇ ଖୁସି କରାଇବା ପରମ୍ପରା ବେଶ୍ ଉତ୍ସାହଜନକ।
ଦୀପାବଳି ଏକ ସାର୍ବଜନୀନ ମହୋତ୍ସବ ହୋଇଥିବାରୁ ସବୁ ସଂପ୍ରଦାୟ ମଧ୍ୟରେ ବନ୍ଧୁତାର ବାତାବରଣ ସୃଷ୍ଟି ହୁଏ। ଐକ୍ୟଭାବର ପ୍ରତିଷ୍ଠା ହୁଏ। ବିଭିନ୍ନ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମାଲିକମାନେ ନୂତନ ବସ୍ତ୍ର ପ୍ରଦାନ କରନ୍ତି। ଦକ୍ଷିଣ ଭାରତରେ ଦୀପାବଳି ପର୍ବ ପାଳନର ସ୍ବତନ୍ତ୍ରତା ରହିଛି। ସେ ଅଞ୍ଚଳରେ ଲୋକମାନେ ବ୍ରାହ୍ମମୁହୂର୍ତ୍ତରୁ ଉଠି ତୈଳ ସ୍ନାନ କରନ୍ତି ଓ ନୂତନ ବସ୍ତ୍ର ପରିଧାନ ପରେ ମିଷ୍ଟାନ୍ନ ବଣ୍ଟନ କରନ୍ତି। ଅଗ୍ନି ପ୍ରଜ୍ବଳନ କରି ଲୋକମାନେ ନାରକାସୁର ପ୍ରତିମୂର୍ତ୍ତି ଦାହ କରିବାର ପରମ୍ପରା ରହିଛି। ଭେଦଭାବ ଭୁଲି ସମସ୍ତେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ପ୍ରଦର୍ଶନପୂର୍ବକ ଆହ୍ଲାଦିତ ହୁଅନ୍ତି। ପ୍ରାତଃକାଳରେ ତୈଳସ୍ନାନକୁ ସେମାନେ ଗଙ୍ଗାସ୍ନାନ ବୋଲି ମନେ କରନ୍ତି।
ପ୍ରତିଦିନ ଭୋର ୪ଟାରେ ଅର୍ଥାତ ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟାତ୍ୟାଗ କରିବା ସ୍ବାସ୍ଥ୍ୟ ପକ୍ଷେ ଅତୀବ ହିତକର ବୋଲି ସର୍ବବାଦୀସମ୍ମତ। ସ୍ବାସ୍ଥ୍ୟର ହିତ ସହିତ ଆଧ୍ୟାତ୍ମିକ ଉନ୍ନତି ସାଧନ ମଧ୍ୟ ଏଥିଯୋଗୁଁ ହୋଇଥାଏ। ବ୍ରାହ୍ମ ମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରିବା ଅର୍ଥ ଅାଧ୍ୟାତ୍ମିକ ଚେତନା ଆସିବା ଓ ପୂଜାପାଠ କରିବାରେ ମନୋନିବେଶ କରିବା। ଏଥିପାଇଁ ଦୀପାବଳିକୁ ଏକ ଉତ୍ତମ ବ୍ୟବସ୍ଥା ରୂପେ ଗ୍ରହଣ କରାଯାଏ। ଉତ୍ତର ଭାରତରେ ବ୍ୟବସାୟୀମାନେ ଏହି ଦିବସରେ ନୂତନ ଖାତା ପ୍ରଚଳନ କରନ୍ତି। ଆଗାମୀ ବର୍ଷରେ ତାଙ୍କ ବ୍ୟବସାୟର ସମୃଦ୍ଧି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରନ୍ତି। ଘରକୁ ପରିଷ୍କାର ପରିଚ୍ଛନ୍ନ କରି ଅତ୍ୟନ୍ତ ସୁନ୍ଦର ଭାବରେ ସଜ୍ଜିତ କରନ୍ତି। ସନ୍ଧ୍ୟା ହେଲେ ଘର ବାହାର ସବୁ ଆଲୋକମାଳାରେ ସଜ୍ଜିତ ହୁଏ। ଏହି ଚିତ୍ତାକର୍ଷକ ଆଲୋକମାଳାର ଦୃଶ୍ୟ ମୁମ୍ବଇ ଓ ଅମୃତସରରେ ଦେଖାଯାଏ। ବିଶେଷତଃ ଅମୃତସରସ୍ଥିତ ସ୍ବର୍ଣ୍ଣମନ୍ଦିର ପରିସରରେ ଥିବା ପବିତ୍ର ପୁଷ୍କରିଣୀର ପାହାଚମାନଙ୍କରେ ଅସଂଖ୍ୟ ଦୀପ ସଜ୍ଜିତ କରାଯାଇ ଏହାକୁ ଅତ୍ୟନ୍ତ ଆକର୍ଷଣୀୟ ଓ ରମଣୀୟ କରାଯାଏ। ବୈଷ୍ଣବମାନେ ଏହି ଦିନ ଗିରି ଗୋବର୍ଦ୍ଧନ ପୂଜା କରି ଦୁଃଖୀରଙ୍କୀମାନଙ୍କୁ ଭୁରି ଭୋଜନ ଦେଇ ଆନନ୍ଦିତ ହୁଅନ୍ତି।
ସୂର୍ଯ୍ୟର ସୁନେଲି କିରଣ, ଚନ୍ଦ୍ରର ରୁପେଲି ଜ୍ୟୋତ୍ସ୍ନା, ଗ୍ରହ ତାରାମାନଙ୍କର ଆଲୋକ, ଅଗ୍ନିର ଶିଖା କିମ୍ବା ବିଦ୍ୟୁତ୍ର ଝଲକ ଯାହା ନିକଟରେ ନିଷ୍ପ୍ରଭ ହୋଇଯାଏ, ସେ ଦିବ୍ୟଜ୍ୟୋତି ହେଉଛନ୍ତି ପରଂବ୍ରହ୍ମ। ସେହି ସ୍ବୟଂଜ୍ୟୋତି ରେଖାରେ ଧ୍ୟାନ ଲଗାଇ ଏକ ଦିବ୍ୟ ଦୀପାବଳି ପାଳନ କରିବାକୁ ହୁଏ।
ପ୍ରକୃତରେ ଦୀପାବଳି ହେଉଛି ଦୀପର ପର୍ବ, ଅନ୍ଧକାରକୁ ଦୂରେଇବା ପାଇଁ ଦୀପ ଜଳାଇ ପୃଥିବୀକୁ ଆଲୋକିତ କରିବାର ଉତ୍ସବ ଅଥଚ ବାଣ ଫୁଟାଇବାର ଏକ ଅପ-ପରମ୍ପରାରେ ଆମେ ପଡ଼ିଯାଇଛୁ। ବାହାରେ ଦୀପ ଜଳାଇ ଅନ୍ଧାରକୁ ଦୂରେଇ ଦେଉଛୁ ସତ; ମାତ୍ର ନିଜ ଭିତରର ଜ୍ଞାନଦୀପକୁ ପ୍ରଜ୍ବଳିତ ନ କରି ଅଜ୍ଞାନତାର ଅନ୍ଧକାରରେ ମୋହଗ୍ରସ୍ତ ହୋଇ ରହିଯାଉଛୁ।
ଏହା ଏକ ବାସ୍ତବ ସତ୍ୟ ଯେ ମଣିଷ ମନରେ ଅମାବାସ୍ୟାର ଅନ୍ଧକାର ପୂରିଯାଇଛି। ଘର ଭିତରେ ଆଲୋକ ଜଳୁଛି ଅଥଚ ମନ ଭିତରେ ଅଜ୍ଞାନ ଅନ୍ଧକାର ଘେରା କାଳିମା ଭରି ରହିଛି। ଏହି ଉତ୍ସବରେ ସମସ୍ତଙ୍କ ହୃୃଦୟରେ ଦିବ୍ୟଜ୍ୟୋତି ପ୍ରତିଭାତ ହେଉ, ହୃଦୟ ସମ୍ବେଦନଶୀଳ ହେଉ। ସମସ୍ତେ ପରମପଦଲାଭ କରନ୍ତୁ। ଅସରନ୍ତି ଆଧ୍ୟାତ୍ମିକ ସମ୍ପଦର ଅଧିକାରୀ ହୁଅନ୍ତୁ ସମଗ୍ର ମାନବ ସମାଜ। ଆଧିଭୌତିକ ଓ ଆଧିଦୈବିକ ଉନ୍ନତି ପାଇଁ ପରମପିତାଙ୍କ ନିକଟରେ ପ୍ରାର୍ଥନା ଆମର ଧ୍ୟେୟ ହେଉ।
ପ୍ରସନ୍ନ କୁମାର ମହାନ୍ତି
ଶିଖରପୁର, କଟକ
ମୋ:୯୪୩୭୪୪୨୫୨୯



