ଆସୁଛି ଦୀପାବଳି : କମିଛି ମାଟି ଦୀପର ଚାହିଦା, କ୍ଷତିଗ୍ରସ୍ତ କୁମ୍ଭକାର ପରିବାର
ପଦ୍ମପୁର : ଆଉ ଦିନ କେଇଟାରେ ଆଲୋକର ପର୍ବ ଦୀପାବଳି । ହେଲେ ପୂର୍ବଭଳି ଆଉ ଦୀପର ଏବେ ଚାହିଦା ନାହିଁ । ଯାହାଫଳରେ କୁମ୍ଭକାର ପରିବାର କ୍ଷତିଗ୍ରସ୍ତ ହେଉଛନ୍ତି। କେବଳ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ପାଇଁ କିଛି କୁମ୍ଭକାର ପରିବାର ମାଟି ଦୀପ ନିର୍ମାଣ କରୁଛନ୍ତି । କିନ୍ତୁ ବେପାର ନାହିଁ। ଚାଇନା ଦୀପ ସହ ଡିଜାଇନ ଦୀପ, ଏଲଇଡି ଲାଇଟ ସହ ମହମବତୀ ଏବେ ଦୀପର ସ୍ଥାନ ନେଇଛି । ଲୋକେ ଦୀପ ପ୍ରତି ମୁହଁ ଫେରାଇ ନେଉଛନ୍ତି । ଗତ କିଛିବର୍ଷ ହେଲା ବଜାରରେ ମାଟି ଦୀପର ଚାହିଦା କମି କମି ଚାଲିଛି ବୋଲି କୁମ୍ଭକାର ମାନେ କହିଛନ୍ତି । ପଦ୍ମପୁର ଅଞ୍ଚଳର ଖମାପଦର, ରାଉତରାଙ୍ଗା, ଗ୍ରାମରେ ବସବାସ କରୁଥିବା କୁମ୍ଭକାର ମାନେ ଦୀପାବଳିକୁ ଅପେକ୍ଷା କରି ବସିଥାନ୍ତି । ଏହି ସମୟରେ ସେ ଦୀପ ବ୍ୟବସାୟ କରି ବେଶ ଭଲ ରୋଜଗାର କରିଥାନ୍ତି । କିନ୍ତୁ କିଛି ବର୍ଷ ହେଲା ଦୀପର ଚାହିଦା କମିବା ଯୋଗୁଁ ବ୍ୟବସାୟ ସମ୍ପୂର୍ଣ୍ଣ ମାନ୍ଦା ହୋଇଛି । ବିଶେଷ କରି କୋରନା ଯୋଗୁଁ ୨ବର୍ଷ ହେଲା ବେପାର ପୁରା ବୁଡି ଯାଉଥିବା ଅନେକ କୁମ୍ଭକାର କହିଛନ୍ତି । ଆଉ କେତକ କହିଛନ୍ତି ବଜାରରେ ଯେବେ ଠାରୁ ଚାଇନା ଦୀପ, ରଙ୍ଗୀନ ଏଲଇଡି ଉପଲବ୍ଧ ହେଲା ସେବେଠାରୁ ବେପାର ବୁଡିଛି । ସହରରେ ଏବେ ସୁନ୍ଦର ଅଟ୍ଟାଳିକା ସହିତ ମାର୍ବଲ ଓ ଟାଇଲସ ଚଟାଣ ଯୋଗୁଁ ଲୋକେ ଦୀପ ବଦଳରେ ମହମବତୀ ନେଇ କାମ ଚଲାଉଛନ୍ତି । ଆଉ କେତକ ତେଲ ଦର ଅଧିକା ଥିବାରୁ ମାଟି ଦୀପ ଜଳିବା କଷ୍ଟ ବୋଲି କୁହନ୍ତି । ତେଣୁ ମାଟିଦୀପ ପ୍ରତି ଲୋକେ ମୁହଁ ଫେରାଇ ନେଲେଣି । କେବଳ ବିଧି ରକ୍ଷା କରିବା ପାଇଁ ତୁଳସୀ ଚଉରା ମୂଳରେ ମାଟି ଦୀପ ଜାଳୁଛନ୍ତି । ତେଣୁ ଦୀପ ତିଆରି କରୁଛୁ ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିଛୁ । ଦୀପାବଳିରେ ମାଟି ଦୀପରେ ଜଡ଼ା ତେଲ ବା ଟୁଲ ତେଲ ପକାଇ ଜାଳିବା ବିଧି ରହିଛି । ଲୋକେ ଆଧୁନିକ ଆଡକୁ ଯାଉଥିବା ବେଳେ ପରମ୍ପରାକୁ ଭୁଲି ଯାଉଛନ୍ତି । ଓଡ଼ିଆ ପରମ୍ପରା ଅନୁଯାୟୀ ମାଟି ଦୀପ ଜାଳିବାର ଵିଧି ରହିଛି କିନ୍ତୁ ଆଧୁନିକତା ଭିତରେ ଏସବୁକୁ ଲୋକେ ଏବେ ଭୁଲି ଗଲେଣି । ସଂସ୍କୃତି ଏବେ ବି ଜୀବିତ ଅଛି ମରିନାହିଁ ତେଣୁ ମାଟି ଦୀପର କିଛି ମାତ୍ରାରେ ଆଦର ଅଛି । ମନ୍ଦିରରେ ମାଟି ଦୀପ ଲାଗୁଛି । ତେଣୁ ଅଧିକ ସଂଖ୍ୟାରେ ନହଲେ ବି କିଛି ମାତ୍ରାରେ ବଜାରରେ ମାଟି ଦୀପର ଚାହିଦା ଅଛି । ଗ୍ରାମାଞ୍ଚଳରେ ରହୁଥିବା କୁମ୍ଭକାର ପରିବାର ମାନେ ଦୀପ ତିଆରିରେ ଲାଗି ପଡିଛନ୍ତି । କୁମ୍ଭକାର ପରିବାର ଏବେ ଟିକେ ଚଳଚଞ୍ଚଳ ହୋଇ ଉଠିଛନ୍ତି । କିନ୍ତୁ ପୂର୍ବରୁ ଦୀପାବଳିର ମାସକ ଆଗରୁ ଦୀପ ତିଆରିରେ ପରିବାର ଲୋକେ ନିୟୋଜିତ ହୋଇଥାନ୍ତି । ହେଲେ ଏବେ କିଛି ବର୍ଷ ହେଲା ବ୍ୟବସାୟ କମିଥିବାରୁ ଦୀପାବଳିର ୫-୧୦ ଦିନ ପୂର୍ବରୁ ଦୀପ ନିର୍ମାଣ କରାଯାଉଛି । ଦୀପାବଳି ସମୟରେ ଲକ୍ଷେରୁ ଦେଢ ଲକ୍ଷ ଟଙ୍କା ପୂର୍ବରୁ ଦୀପ ବ୍ୟବସାୟ ହେଉଥିଲା । ଏବେ ୧୦ ହଜାର ଟଙ୍କା ବ୍ୟବସାୟ ହେବା କଷ୍ଟ ହୋଇପଡୁଛି । ବର୍ତ୍ତମାନ ଗାଁ ଗାଁ ବୁଲି ଦୀପ ବିକ୍ରୀ କରିବାକୁ ପଡୁଛି । ଯଦି ସରକାର କିଛି ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ତେବେ କୁମ୍ଭକାର ବୃତ୍ତି ବଞ୍ଚିବା ସହିତ ଦୀପର ଚାହିଦା ବଢନ୍ତା ବୋଲି କିଛି କୁମ୍ଭକାର କହିଛନ୍ତି ।
Comments are closed.