ଦେଶ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ନାହିଁ: ସୀତାରମଣ

ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗ, କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ : ଆଗାମୀ ଦିନରେ ଭାରତ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାର ନାହିଁ। ଭାରତର ଅର୍ଥନୀତି ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ବେଶ ଉନ୍ନତ। ଏହା ଏକ ଦ୍ରୁତ ବିକାଶଶୀଳ ଅର୍ଥନୀତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସୋମବାର ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗ ଆଲୋଚନା କାଳରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବ୍ଲମବର୍ଗର ସର୍ଭେ ଅନୁଯାୟୀ ଭାରତ ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବାର କୌଣସି ଆଶଙ୍କା ନାହିଁ। ସେ କହିଛନ୍ତି ଯେ ଦରବୃଦ୍ଧି ପ୍ରସଙ୍ଗରେ ରାଜନୈତିକ ଦୃଷ୍ଟିକୋଣରୁ ଆଲୋଚନା ନ କରି ତଥ୍ୟ ଆଧାରିତ ଆଲୋଚନା କରାଯିବା ଦରକାର। ପ୍ରାୟ ୩୦ଜଣ ସାଂସଦ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଥିବାବେଳେ ଅଧିକାଂଶ ରାଜନୈତିକ ଦୃଷ୍ଟିକୋଣକୁ ଆକ୍ଷେପ କରିଛନ୍ତି। ଦରଦାମ ବୃଦ୍ଧି ଓ ମୁଦ୍ରାସ୍ଫୀତି ପ୍ରସଙ୍ଗରେ ଆଲୋଚନା ଦାବି କରି ବିରୋଧୀ ଦଳଗୁଡିକ ସଂସଦକୁ ବାରମ୍ବାର ଅଚଳ ରଖିବା ପରେ ସରକାର ଏହା ଉପରେ ଆଲୋଚନା କରିବାକୁ ବାଧ୍ୟ ହୋଇଛନ୍ତି। ସୀତାରମଣ କହିଛନ୍ତି ଯେ ବିବିଧତା ସତ୍ତ୍ବେ ଭାରତବାସୀ ଦେଶର ଅର୍ଥନୀତିକୁ ଆଗକୁ ବଢାଇବାରେ ସମ୍ମିଳିତ ପ୍ରୟାସ ଚଳାଇଛନ୍ତି। ସରକାର ମଧ୍ୟ ଖାଉଟି ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ଲାଗି ନିୟମିତ ପ୍ରୟାସ ଚଳାଇଛନ୍ତି। ଖାଉଟି ମୁଦ୍ରାସ୍ଫୀତିକୁ ୭% ତଳକୁ ଆଣିବା ଲାଗି ସରକାର ଉଦ୍ୟମ ଚଳାଇଛନ୍ତି। କଂଗ୍ରେସକୁ ସମାଲୋଚନା କରି ମନ୍ତ୍ରୀ ସୀତାରମଣ କହିଛନ୍ତି ଯେ ୟୁପିଏ ସରକାର ଅମଳରେ ମୁଦ୍ରାସ୍ଫୀତି ଦୁଇଅଙ୍କ ଛୁଇଁଥିଲା। ୨୨ମାସ ଧରି ଦେଶର ମୁଦ୍ରାସ୍ଫୀତି ୯% ଉପରେ ରହିଥିଲା। ମନ୍ତ୍ରୀ ଗୃହକୁ ସୂଚନା ଦେଇଛନ୍ତି ଯେ କ୍ରମାଗତ ୫ମାସ ଧରି ଦେଶର ଜିଏସଟି ସଂଗ୍ରହ ପରିମାଣ ୧.୪ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି।
ମୌସୁମୀ ଅଧିବେଶନ ଆରମ୍ଭରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଦାବି କରି ଗୃହକୁ ଅଚଳ ରଖିଛନ୍ତି। ସୋମବାର ଦରବୃଦ୍ଧି ପ୍ରସଙ୍ଗରେ ସରକାର ଆଲୋଚନା ଆରମ୍ଭ କରିବା ମାତ୍ରେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଅର୍ଥମନ୍ତ୍ରୀଙ୍କ ଉତ୍ତର ଉପରେ ଜବାବ ଦେଇ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ମାତ୍ର ସରକାର ଅନ୍ୟ ଦେଶକୁ ସହାୟତା କରି ବାହାଦୁରି ନେଉଛନ୍ତି। ସରକାରଙ୍କର ଯଦି ସାହାଯ୍ୟ କରିବାର ଅଛି ତେବେ ପ୍ରଥମେ ନିଜ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଦଳର ଅନ୍ୟତମ ନେତା ମନୀଷ ତିୱାରୀ କହିଛନ୍ତି ଯେ ସରକାରଙ୍କ କଥାରୁ ଜଣା ଯାଉଛି ଯେ ଦେଶରେ ମୁଦ୍ରାସ୍ଫୀତି ହୋଇ ନାହିଁ। ସମସ୍ତେ ଖୁସିରେ ଅଛନ୍ତି। ବିରୋଧୀ ଦଳ ଦେଶବାସୀଙ୍କ ସମସ୍ୟା ସରକାରଙ୍କୁ ଜଣାଇବାକୁ ଚାହଁୁଥିବାବେଳେ ଯଦି ଏପରି ଉତ୍ତର ମିଳିବ ତେବେ ଏହାକୁ ଶୁଣିବାର ଆବଶ୍ୟକତା ନାହିଁ। ଦରବୃଦ୍ଧି ପ୍ରସଙ୍ଗରେ ଗୃହରେ ବିରୋଧ ପ୍ରଦର୍ଶନ ନିମନ୍ତେ ତୃଣମୂଳ କଂଗ୍ରେସ ସାଂସଦ କାକଳୀ ଘୋଷ ଦୋସ୍ତିଦାର ବାଇଗଣ ପ୍ରଦର୍ଶନ କରିଥିଲେ। ବାଇଗଣ ଦେଖାଇ ସେ ପ୍ରଶ୍ନ କରିଥିଲେ ଯେ ସରକାର ଚାହଁୁଛନ୍ତି ଲୋକେ କଞ୍ଚା ବାଇଗଣ ଖାଆନ୍ତୁ। ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ଦାବିରେ ସୋମବାର ମଧ୍ୟ ଉଭୟ ଗୃହରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ ଫଳରେ ଉଭୟ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଅପରାହ୍ଣ ୨ଟା ପରେ ଲୋକସଭାରେ ଦରବୃଦ୍ଧି ପ୍ରସଙ୍ଗ ଆଲୋଚନା ହୋଇଥିଲା। ମାତ୍ର ରାଜ୍ୟସଭାକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ମଙ୍ଗଳବାର ରାଜ୍ୟସଭାରେ ଦରବୃଦ୍ଧି ପ୍ରସଙ୍ଗ ଆଲୋଚନା ହେବ।

kalyan agarbati

Comments are closed.