ଧୋନିଙ୍କୁ ପାଣ୍ଡ୍ୟାଙ୍କ ସ୍ୱତନ୍ତ୍ର ଜନ୍ମଦିନର ଉପହାର

0

ଲଣ୍ଡନ :  ଜନ୍ମଦିନରେ ନିଜର ଅନ୍ତରଙ୍ଗ ଓ ଶୁଭେଚ୍ଛୁଙ୍କୁ କିଏ କେତେ ପ୍ରକାର ଉପହାର ଦେଇଥାଆନ୍ତି। ତେବେ ଶନିବାର ତାଙ୍କ ୩୭ତମ ଜନ୍ମଦିନରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏପରି ଏକ ଉପହାର ପାଇଥିଲେ; ଜୀବନରେ ଯାହା ସେ କେବେ ବି ଭୁଲିପାରିବେ ନାହିଁ। ଶୁକ୍ରବାର ରାତିରେ ଘରୋଇ ଇଂଲଣ୍ଡ ବିରୋଧରେ ଭାରତର ୨ୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ ପରେ ଦଳର ସମସ୍ତ ଖେଳାଳି କେକ୍‍ କାଟି ଧୋନିଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଉତ୍ସବରେ ଧୋନିଙ୍କ ପତ୍ନୀ ସାକ୍ଷୀ ଓ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ଉପସ୍ଥିତ ଥିଲେ।
ତେବେ ଶନିବାର ସକାଳୁ ତାଙ୍କ ପ୍ରିୟ ‘ମାହି ଭାଇ’ଙ୍କୁ ରୁମ୍‍ରୁ ଡାକି ନେଇଥିଲେ ଯୁବ ଅଲ୍‍ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା। ସ୍ୱିମିଙ୍ଗ୍‍ ପୁଲ୍‍ ପାଖରେ ଏକ ସ୍ଥାନରେ ଧୋନିଙ୍କ କେଶ କାଟିଥିଲେ ପାଣ୍ଡ୍ୟା। ହାର୍ଦିକଙ୍କୁ କେଶ କାଟିବାର କଳା ଜଣାଥିଲା କି ନାହିଁ; ଧୋନି ତାହା ଜାଣିନଥିଲେ। ତଥାପି ଦଳର ଜଣେ ଜୁନିୟର ଖେଳାଳିଙ୍କ ମନରଖିବା ପାଇଁ ଧୋନି ସୁନାପିଲାଟି ପରି ଚୁପ୍‍ଚାପ ବସି ଯାଇଥିଲେ ଏବଂ ପାଣ୍ଡ୍ୟା ଏକ ମେସିନ୍‍ ଦ୍ୱାରା ଧୋନିଙ୍କ କେଶକୁ ଛୋଟ କରିବାରେ ଲାଗିଥିଲେ। ଧୋନିଙ୍କ କେଶ କାଟିବାର ଏହି ଫଟୋକୁ ହାର୍ଦିକ ପାଣ୍ଡ୍ୟା ତାଙ୍କ ଟ୍ୱିଟର ପୃଷ୍ଠାରେ ଛାଡ଼ିଛନ୍ତି ଏବଂ ଏହି ମହାନ୍‍ କ୍ରିକେଟରଙ୍କୁ ଏହା ତାଙ୍କ ଜନ୍ମଦିନର ଉପହାର ବୋଲି ଲେଖିଛନ୍ତି। ସୂଚନାଯୋଗ୍ୟ; ଦିନକ ତଳେ ଧୋନିଙ୍କୁ ତାଙ୍କ ୩୭ତମ ଜନ୍ମଦିନରେ ବିଗତ ଓ ବର୍ତ୍ତମାନର ବହୁ କ୍ରିକେଟର ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ଜନ୍ମଦିନର ଦିନକ ତଳେ ଧୋନି ୩ୟ ଭାରତୀୟ କ୍ରିକେଟର ଭାବେ ୫୦୦ ଆନ୍ତର୍ଜାତିକ ମ୍ୟାଚ୍‍ ଖେଳିବାର ରେକର୍ଡ ପ୍ରତିଷ୍ଠା କରିଥିଲେ।

kalyan agarbati
Leave A Reply