ଲୋକେ ବୁଝିବା ପରେ ସରକାର ବଦଳିଛି, ପ୍ରତି ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର
ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ଓ କେନ୍ଦ୍ର ବଜେଟକୁ ନେଇ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ବଜେଟ ଲୋକାଭିମୁଖୀ, ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ବଜେଟ ପ୍ରସ୍ତୁତ କରାଯାଇଛି । ୨୦୩୬ସୁଧା ବିକଶିତ ଓଡ଼ିଶା ଲକ୍ଷ୍ୟକୁ ନେଇ ବଜେଟରେ ପ୍ରତିଫଳିତ କରାଯାଇଛି । ଲୋକମାନେ ଏଥର ତାଙ୍କ ମତ ପରିବର୍ତ୍ତନ କରିଛନ୍ତି । ଲୋକେ ବୁଝିବା ପରେ ସରକାର ବଦଳିଛି । ଆମ ସରକାର ଗରିବ, ମହିଳା, ଯୁବକ, କୃଷକମାନଙ୍କ ପାଇଁ ବଜେଟରେ ସବୁ ବ୍ୟବସ୍ଥା କରାଯାଇଛି । ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ହଜାର ଟଙ୍କାର ସହାୟତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଏବଂ ଶ୍ରୀମନ୍ଦିର ପାଇଁ ୫୦୦କୋଟି ଟଙ୍କାର କର୍ପସ ଫଣ୍ଡ ପ୍ରଥମ ଐତିହାସିକ ନିଷ୍ପତି ନିଆଯାଇଥିଲା ।
ଶ୍ରୀ ପାତ୍ର ପୁଣି କହିଛନ୍ତି ଯେ ବଜେଟରେ କୃଷକ ସମ୍ମାନ ନିଧି ଭାବେ ରାଜ୍ୟ ସରକାର ୮୦୦ ଟଙ୍କା ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ନବୀନ ସରକାର କୃଷକଙ୍କୁ ୧୦୦ଟଙ୍କା ବୋନସ ଦେବେବୋଲି ଘୋଷଣା କରିମଧ୍ୟ ଦେଇପାରି ନଥିଲେ। ସବୁପ୍ରକାର ଭତା ଯୋଜନାରେ ଧିରେ ଧିରେ ପ୍ରତ୍ୟେକଙ୍କୁ ୩୫୦୦ଟଙ୍କା ଦିଆଯିବ। ଏବେ ଆମ ସରକାର ୫୮ଟି ଶୀତଳ ଭଣ୍ଡାର ନିର୍ମାଣ ପାଇଁ ବ୍ୟବସ୍ଥା କରିଛନ୍ତି। ଏହା କାର୍ଯ୍ୟକ୍ଷମ ହେବାପରେ ପ୍ରତି ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ ହେବ।
ରାଜ୍ୟ ସରକାର ୨ଲକ୍ଷ ୬୫ହଜାର କୋଟି ଟଙ୍କାର ବଜେଟରେ ୨୫ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ବ୍ୟବସ୍ଥା କରିଛନ୍ତି। ଶିକ୍ଷକ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି। ବଜେଟରେ ୧୭ହଜାର ନୂଆ ଶିକ୍ଷକ ନିଯୁକ୍ତି କରାଯିବା ସହ ମହାବିଦ୍ୟାଳୟ ଗୁଡିକରେ ଅଧ୍ୟାପକ ନିଯୁକ୍ତି କରାଯିବ। ଯଦି ୫-ଟି ନାଁରେ କେବଳ କାନ୍ଥରେ ରଙ୍ଗ ମରାଯିବ ତେବେ ଶିକ୍ଷା ବ୍ୟବସ୍ଥା ଭୁଷୁଡିବ। ସ୍କୁଲ ଗୁଡିକ ପାଇଁ ଭଲ ଶିକ୍ଷକ ଦରକାର। ରାଜ୍ୟ ସରକାର ସଂଗ୍ରାମୀ ମାଧୋ ସିଂଙ୍କ ନାଁରେ ହାତଖର୍ଚ୍ଚ ଯୋଜନା କରିଛନ୍ତି । ଆମେ କାହା ନାଁ କାଟିବୁ ନାହିଁ ବରଂ ଯୋଡିବୁ ବୋଲି କହିଛନ୍ତି । ବାଜିରାଉତଙ୍କ ନାଁରେ ମଧ୍ୟ ଯୋଜନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
ଓଡ଼ିଆ ଅସ୍ମିତା ସଂପର୍କରେ ବଜେଟରେ ବ୍ୟବସ୍ଥା କରାଯାଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ ହେବ, ଯେଉଁଥିରେ ଓଡ଼ିଆ ତାଳପତ୍ର ପୋଥି ଆଦି ସଂରକ୍ଷିତ କରାଯିବ । ଓଡ଼ିଆରେ ପାଠପଢ଼ା ହେବ । ମେଡିକାଲ ପାଠ ଓଡ଼ିଆରେ ପଢ଼ାଯିବ । ଓଡ଼ିଶା ଭାଷାରେ ଶାସନ ଚାଲିବ । ଜଣେ ଅଫିସର ଇଂରାଜୀ କହିଲେ ଆମେ ନିଜକୁ ହୀନମନ୍ୟତା ମନେ କରୁଛୁ, କିନ୍ତୁ ତାକୁ ଓଡ଼ିଆ ଆସିନି ବୋଲି ସେ ଓଡ଼ିଆ କହୁନି, ବୁଝିବାକୁ ହେବ । ମେଗା ପାନୀୟଜଳ ପ୍ରକଳ୍ପ ପାଇଁ କେନ୍ଦ୍ରରୁ ଆସୁଥିବା ଟଙ୍କା ବାଟମାରଣା ହେଉଛି । ନିମ୍ନମାନର କାମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
କେନ୍ଦ୍ର ବଜେଟରେ ଓଡ଼ିଶା ପର୍ଯ୍ୟଟନର ହବ୍ ହେବ ବୋଲି ବ୍ୟବସ୍ଥା ରହିଛି । ଓଡ଼ିଶାର ୬୩ହଜାର ଜନଜାତି ଗାଁକୁ ବିକଶିତ କରାଯିବ । ୩୦ଲକ୍ଷ ବାସଗୃହ ଯୋଗାଇ ଦିଆଯିବ । ରେଳ ବିକାଶ ପାଇଁ ପୂର୍ବରୁ ୟୁପିଏ ସରକାର ମାତ୍ର ୮୦୦ କୋଟି ଟଙ୍କା ଦେଇଥିଲେ, ଚଳିତ ବର୍ଷ ଓଡ଼ିଶା ପାଇଁ ୧୦ହଜାର ୫୦୦ଟଙ୍କା ବ୍ୟବସ୍ଥା ହୋଇଥିବା ମନ୍ତ୍ରୀ କହିଥିଲେ । ବିଜେପି ଜିଲା ସଭାପତି ନରେଶ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ତେଜେଶ୍ୱର ପରିଡ଼ା ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ବଜେଟର ବ୍ୟାପକତାକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ସାମ୍ବାଦିକ ସମ୍ମିଳନୀ ପ୍ରତି ଜିଲ୍ଲାରେ ଆୟୋଜିତ ହେଉଛି ବୋଲି କହିଥିଲେ।
ବିଜେପି ତା’ର ଘୋଷଣା ପତ୍ରରେ ଯାହା ଯାହା କହିଥିଲା, ବଜେଟରେ ତାକୁ ପ୍ରାଥମିକତା ଦିଆଯାଇଥିବା ସୂଚନା ଦେଇଥିଲେ । ସାମ୍ବାଦିକମାନଙ୍କ ପାଇଁ ପୂର୍ବରୁ ଲୋକସେବା ଭବନ ବନ୍ଦ ଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ତାହା ଖୋଲାଗଲା । ଚତୁର୍ଥ ସ୍ତମ୍ଭର ଗୁରୁତ୍ୱ କ’ଣ ମୁଖ୍ୟମନ୍ତ୍ରୀ ବୁଝିଛନ୍ତି ବୋଲି ପ୍ରକାଶ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲା ମିଡିଆ ସେଲ୍ ପ୍ରଭାରୀ ନବକିଶୋର ଗୁରୁ, କୃଷକମୋର୍ଚ୍ଚା ରାଜ୍ୟ ଉପସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ଶର୍ମ୍ମା, ମାତୃ ପ୍ରସାଦ ନନ୍ଦ, ବିଷ୍ଣୁପ୍ରସାଦ ଲେଙ୍କା ଏବଂ ଜିଲା ଯୁବମୋର୍ଚ୍ଚା ସଭାପତି ଏମ୍ ମହିମା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.