‘ଭଦ୍ରକ ପୂର୍ବଭାରତର ସୁରଟ’ ହୋଇପାରିବ : ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ଭୁବନେଶ୍ୱର : ଭଦ୍ରକଠାରେ ଇଣ୍ଡିଆନ ଅଏଲ୍ ତରଫରୁ ପ୍ରସ୍ତାବିତ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟସରକାର ଅନୁମତି ଦେଇ ନଥିବାରୁ ଏଥିପାଇଁ ଆବଶ୍ୟକୀୟ ଜମି ମିଳିବାରେ ଅହେତୁକ ବିଳମ୍ବ ହେଉଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଏଥିରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଆବଶ୍ୟକୀୟ ୭୫ ଏକର ଜମି ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି । ଜମି ଯୋଗାଇ ଦିଆଗଲେ ଏହି ପ୍ରକଳ୍ପ ତୁରନ୍ତ ଆରମ୍ଭ କରାଯିବ ଓ ଅନେକ ଦିନର ସ୍ୱପ୍ନ ସାକାର ହେବ ବୋଲି ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

prayash

ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ପାରାଦ୍ୱୀପ ପୂର୍ବ ଭାରତର ପେଟ୍ରୋଲିୟମ ଶିଳ୍ପର ପ୍ରବେଶ ଦ୍ୱାର ହେବାକୁ ଲାଗିଛି। ପାରାଦ୍ୱୀପ ଅଏଲ୍ ରିଫାଇନାରୀରୁ ବାହାରୁଥିବା ପଲିଷ୍ଟର, ଏମ୍ଇଜି ଓ ପିଟିଏ ପରି ଉତ୍ପାଦ ବ୍ୟବହାରରେ ପଲିଷ୍ଟର ଆଧାରିତ ବୟନ ଓ ବସ୍ତ୍ରଶିଳ୍ପର ବ୍ୟାପକ ସମ୍ଭାବନା ତିଆରି ହୋଇଛି। ଏହି ସମ୍ଭାବନାକୁ ଦେଖି ଇଣ୍ଡିଆନ୍ ଅଏଲ୍ ତରଫରୁ ୧୯୭୧ କୋଟି ଟଙ୍କା ବ୍ୟୟବରାଦରେ ଭଦ୍ରକଠାରେ ବୟନ ଓ ବସ୍ତ୍ରଶିଳ୍ପ ପ୍ରକଳ୍ପ ପାଇଁ ଯୋଜନା କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ହେଲେ ଶିଳ୍ପର ଡ଼ାଇନଷ୍ଟିମ୍ କ୍ଷେତ୍ରରେ ୨୫୦୦ କୋଟି ପୁଞ୍ଜିନିବେଶ ହେବା ସହ ୨୫ରୁ ୩୦ ହଜାର ଲୋକ ରୋଜଗାରକ୍ଷମ ହୋଇପାରିବେ । ଏହି ପ୍ରକଳ୍ପରେ ପ୍ରଚୁର ମାନବସମ୍ବଳ ଆବଶ୍ୟକତା ପରିପ୍ରେକ୍ଷୀରେ ଭଦ୍ରକ ପୂର୍ବଭାରତର ସୁରଟ ହୋଇପାରିବ ଶ୍ରୀ ପ୍ରଧାନ ଚିଠିରେ ଲେଖିଛନ୍ତି । ଯଦି ରାଜ୍ୟସରକାର ଆହୁରି ବିଳମ୍ବ କରନ୍ତି ତେବେ ଏହି ପ୍ରକଳ୍ପ ଶିଳ୍ପ ଅନୁକୂଳ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ସୃଷ୍ଟି ହୋଇପାରେ । ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢାଇବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ପ୍ରକଳ୍ପ ପାଇଁ ୧୬-୧୧-୨୦୧୭ରେ ରାଜ୍ୟସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ଏମ୍ଏସଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଉପସ୍ଥିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ପ୍ରାରମ୍ଭିକ ଭାବେ ଏଥିପାଇଁ ୩୫ ଏକର ଜମି ଆବଶ୍ୟକ ବୋଲି ଆକଳନ କରାଯାଇ ଥିବା ବେଳେ ପରବର୍ତ୍ତୀ ସମୟରେ ୭୫ ଏକର ଜମିର ଆବଶ୍ୟକତା ନେଇ ଆକଳନ ପରେ ଏହି ଜମି ଯୋଗାଇ ଦେବା ପାଇଁ ରାଜ୍ୟସରକାରଙ୍କ ଇପିକଲ୍ ପାଖରେ ଆବେଦନ କରାଯାଇଥିଲା। ଏହି ଜମି ଯୋଗାଇ ଦେବା ପାଇଁ ବାରମ୍ବାର ବିଭିନ୍ନ ତାରିଖରେ ରାଜ୍ୟସରକାରଙ୍କୁ ଯୋଗାଯୋଗ କରାଯିବା ପରେ ମଧ୍ୟ ଜମି ଯୋଗାଇ ଦେବାରେ ରାଜ୍ୟସରକାର ଅହେତୁକ ବିଳମ୍ବ କରୁଥିବା ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି।

kalyan agarbati
Leave A Reply