ରାଜ୍ୟ ସରକାର କୃଷକଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବେ:ଧର୍ମେନ୍ଦ୍ର

0

ଭୁବନେଶ୍ୱର :ଚାଷୀଙ୍କ ପାଇଁ କାହାର ଦରଦ କେତେ ତାହା ଦେଶବାସୀ ଉପଲବ୍ଧି କରିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା ପ୍ରତିଶ୍ରୁତି ଦେଇଥିଲେ ପାଳନ କରିଛନ୍ତି। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‍ଏସ୍‍ପି)ରେ ୨୦୦ ଟଙ୍କା ବୃଦ୍ଧି କରିଛନ୍ତି। ହେଲେ ରାଜ୍ୟ ସରକାର ଓଡ଼ିଶାର ଚାଷୀକୁଳଙ୍କୁ ଯେଉଁ ବୋନସ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ତାହା ତାଙ୍କ ପ୍ରତିଶ୍ରୁତିରେ ରହିଛି। ଏଥିରୁ ଚାଷୀଙ୍କ ପାଇଁ କାହାର ଦରଦ କେତେ ବୁଝାପଡୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ରବିବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ କୃଷକ ମୋର୍ଚ୍ଚା ବୈଠକରେ ଶ୍ରୀ ପ୍ରଧାନ ଐତିହାସିକ ଏମ୍‍ଏସ୍‍ପି ନିଷ୍ପତ୍ତିକୁ ସ୍ୱାଗତ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ବରଗଡ ଗସ୍ତ କରି ସୋହେଲାଠାରେ ଧାନ କୁଇଣ୍ଟାଲ ପ୍ରତି ୧୦୦ ଟଙ୍କା ବୋନସ ଚାଷୀଙ୍କୁ ଦେବାକୁ ଘୋଷଣା କରିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ଏହି ଘୋଷଣା କାର୍ଯ୍ୟକାରୀ ହୋଇନାହିଁ। ତେଣୁ ଦୀର୍ଘ ଦିନ ଧରି ଶାସନ କ୍ଷମତାରେ ଥିବା କେନ୍ଦ୍ରରେ କଂଗ୍ରେସ ଏବଂ ରାଜ୍ୟରେ ବିଜେଡି ଉଭୟ ଦଳ କେନ୍ଦ୍ର ସରକାରଙ୍କ ଏଭଳି ଐତିହାସିକ ଘୋଷଣାକୁ ସମାଲୋଚନା କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ ଏବଂ କେବଳ ରାଜନୀତି । ସିଏସିପି କମିଟିର ସୁପାରିସକ୍ରମେ ବିହନ, ସାର, ବିଜୁଳି, ପାରିଶ୍ରମିକ ଆଦି ସମସ୍ତ ଖର୍ଚ୍ଚକୁ ମିଶାଇ ଉତ୍ପାଦିତ ଧାନର କୁଇଣ୍ଟାଲ ପ୍ରତି ୧୧୬୬ ଟଙ୍କା ଖର୍ଚ୍ଚ ହେଉଥିବା ସୁପାରିସ କରିବା ପରେ ସେହି ଆଧାରରେ କେନ୍ଦ୍ର ସରକାର ଏହି ମୂଲ୍ୟ ଉପରେ ୫୦ ପ୍ରତିଶତ ବୃଦ୍ଧିକରି ଧାନର କୁଇଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ ଟଙ୍କା ଘୋଷଣା କରିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଗ ଚାଷୀମାନଙ୍କୁ ଅଧିକାର ଦେବୁ କହି ରାଜ୍ୟସରକାର ନାବାର୍ଡର ଏକ ଯୁଗ୍ମ ଯୋଜନାକୁ ନିଜ ସ୍କିମ ଭାବେ ଘୋଷଣା କରି ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
ଏହି ଅବସରରେ କେନ୍ଦ୍ର ଆଦିବାସୀ କଲ୍ୟାଣମନ୍ତ୍ରୀ ଜୁଏଲ ଓରାମ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ ୨୦୧୯ରେ ଓଡ଼ିଶାରେ ଏବଂ କେନ୍ଦ୍ରରେ ଡବଲ ଇଞ୍ଜିନରେ ଗାଡ଼ି ଚାଲିବ। ଓଡ଼ିଶାରେ ବିଜେପି ସରକାର କ୍ଷମତାକୁ ଆସିଲେ ପ୍ରଥମେ କୃଷିଋଣ ଛାଡ କରାଯିବ। ଗୋଟିଏ ପଟେ କେନ୍ଦ୍ର ସରକାର କୃଷକଙ୍କ ପାଇଁ ବିଭିନ୍ନ ଯୋଜନା କରି ଚାଷୀକୁଳକୁ ସମସ୍ତ ସହାୟତା ଯୋଗାଇ ଚାଲଥିବାବେଳେ ରାଜ୍ୟ ସରକାର ଖାଲି ମିଛ ବାହାସ୍ଫୋଟ ମାରୁଛନ୍ତି। ସେ କହିଛନ୍ତି ଯେ ଦୀର୍ଘ ୧୮ ବର୍ଷ ଶାସନ ପରେ ବି ବିଜେଡିର ଚାଷୀ ମାରଣ ନୀତି ଯୋଗୁଁ ଆଜି ଚାଷୀକୁଳ ହତାଶ ହୋଇଛି। ଏପରିକି କୌଣସି ଉପାୟ ନପାଇ ଚାଷୀ ଶେଷରେ ଆତ୍ମହତ୍ୟା ଭଳି କଠୋର ନିଷ୍ଫତ୍ତିି ନେବାକୁ ବାଧ୍ୟ ହେଉଛି। ଯଦି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିବାର ଡିଣ୍ଡିମ ପିଟୁଛନ୍ତି ତେବେ କୃଷିଋଣ ଛାଡ କରିବାରେ କାହିଁକି ବିଳମ୍ବ କରୁଛନ୍ତି ବୋଲି ଶ୍ରୀ ଓରାମ ପ୍ରଶ୍ନ ଉଠାଇଛନ୍ତି। ଦେଶର ବିଜେପି ଶାସିତ ରାଜ୍ୟରେ କୃଷକ କଲ୍ୟାଣକାରୀ ଯୋଜନା ଦ୍ୱାରା ଚାଷୀମାନେ ଅଧିକ ଲାଭବାନ ହେଉଛନ୍ତି। କିନ୍ତୁ ବିଜେଡି ସରକାର ଚାଷୀମାନଙ୍କୁ ହତାଦର କରି ଚାଲିଛି। ଏହାର ଜବାବ ଆଗାମୀ ଦିନରେ ଓଡିଶାବାସୀ ଦେବେ ବୋଲି ଶ୍ରୀ ଓରାମ ଦୃଢୋକ୍ତି ପ୍ରକାଶ କରିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ସିଞ୍ଚାଇ ଯୋଜନା,ଫସଲ ବୀମା ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ, ନିମ କୋଟେଡ ୟୁରିଆ ଭଳି କେନ୍ଦ୍ର ସରକାରଙ୍କ ସମସ୍ତ କୃଷକ କଲ୍ୟାଣ ଯୋଜନାଗୁଡିକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବାକୁ କୃଷକମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଓ କୃଷକମୋର୍ଚ୍ଚା କର୍ମକର୍ତ୍ତା ଉପସ୍ଥିତ ଥିଲେ।

Leave A Reply