www.samajalive.in
Friday, December 12, 2025
14.1 C
Bhubaneswar

ଧରଣୀଧରଙ୍କ ନାଁରେ ହେବ ଅତିଥି ଭବନ

କେନ୍ଦୁଝର ସଦର/ଭୁବନେଶ୍ବର: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧରଣୀଧର ମେଡ଼ିକାଲ କଲେଜ ଓ ହସ୍‌ପିଟାଲରେ ଅନ୍ତଃ ଚିକିତ୍ସା ସେବା ଓ ଟ୍ରମା କେୟାର ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଦିନିକିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କେନ୍ଦୁଝରରେ ଟାଉନ​ରେ ନବନିର୍ମିତ ଥାନା ଗୃହ ଓ ରିଜର୍ଭ ପୁଲିସ କାର୍ଯ୍ୟାଳୟ ଉଦ୍‌ଘାଟନ ସହ ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲାର କୁସୁମିତାରେ ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ୫୦ କୋଟି ଟଙ୍କା ବ୍ୟୟବରାଦରେ କୁସୁମିତାରେ ସ୍ମୃତି ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ଜିଲାରେ ପ୍ରାୟ ୧୧୫୫ କୋଟି ଟଙ୍କା ବ୍ୟୟବରାଦର ମୋଟ ୩୪୦ଟି ନୂତନ ପ୍ରକଳ୍ପର ଘୋଷଣା, ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଟ୍ରମା କେୟାର ହସ୍‌ପିଟାଲ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଖଣି ସମୃଦ୍ଧ ଜିଲାରେ ଅଧିକ ଯାନବାହନ ଚଳାଚଳ ଯୋଗୁଁ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ୁଥିବାରୁ ଏହି ଟ୍ରମା କେୟାର ହସ୍‌ପିଟାଲ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଜୀବନ ବଞ୍ଚାଇ ପାରିବ। ସବୁ ଖଣିଜ ଜିଲାର ମେଡ଼ିକାଲ କଲେଜରେ ଟ୍ରମା କେୟାର ସ୍ଥାପନ କରାଯିବ। ନୂଆ ସରକାର ଆସିବା ପରେ ୪ହଜାର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ପଦ ପୂରଣ କରାଯାଇଛି। ଆଗାମୀ ଦିନରେ ୫ହଜାର ଡାକ୍ତର ପଦ
ପୂରଣ କରାଯିବ। ରାଜ୍ୟରେ ଆଉ ୪ଟି ନୂଆ ମେଡ଼ିକାଲ କଲେଜ ଯଥା ଭଦ୍ରକ, ଜଗତସିଂହପୁର, ଢ଼େଙ୍କାନାଳ ଓ ନବରଙ୍ଗପୁରରେ କରାଯିବ। କେନ୍ଦ୍ର ସରକାର ୬୦ପ୍ରତିଶତ ଓ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ଦେବେ। ପରବର୍ତ୍ତୀ ସମୟରେ ଅନ୍ୟ ସବୁ ଜିଲାରେ ମେଡ଼ିକାଲ କଲେଜ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଧରଣୀଧରଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ଅତିଥି ଭବନ ପ୍ରତିଷ୍ଠା କରାଯିବ। ଯେଉଁ ସ୍ମୃତି ପୀଠ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଛି ସେଥିରେ ଧରଣୀଧରଙ୍କ ପୈତୃକ ବାସଗୃହର ସଂରକ୍ଷଣ କରାଯିବ ଏବଂ ତାଙ୍କ ବ୍ୟବହୃତ ସାମଗ୍ରୀଗୁଡ଼ିକୁ ସୁରକ୍ଷିତ କରି ରଖାଯିବ। ଧରଣୀଧରଙ୍କ ଘର ପାଖରେ ଦୁଇ ଏକର ଜମିରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ସହିତ ଏକ ବ୍ୟାଖ୍ୟାନ କେନ୍ଦ୍ର ମଧ୍ୟ ସ୍ଥାପନ କରାଯିବ। ଏହାକୁ ଏକ ପର୍ଯ୍ୟଟନ ଭାବେ ବିକଶିତ କରିବା ପାଇଁ ପାର୍କ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ଟାଉନ ଥାନାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମୁଦାୟ ୩ କୋଟି ୩୪ ଲକ୍ଷ ୧୪ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ଥାନା ଓ ୨ କୋଟି ୭୬ ଲକ୍ଷ ୬୮ ହଜାର ଟଙ୍କା ବ୍ୟୟରେ ନିର୍ମିତ ରିଜର୍ଭ ପୁଲିସ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ସାଧାରଣ ଜନତାଙ୍କୁ ଉତ୍ସର୍ଗୀକୃତ ସେବା ପ୍ରଦାନ କରିବେ। ଏହି ଅବସରରେ ପୁଲିସ କର୍ମଚାରୀଙ୍କ ପାଇଁ ୧୭ଟି ଏସୟୁଭି ଗାଡ଼ି ଏବଂ ୮୦ଟି ମୋଟର ସାଇକଲକୁ ସବୁଜ ପତାକା ଦେଖାଇ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଲେ, ଅପରାଧ ନିୟନ୍ତ୍ରଣ ପାଇଁ ରାଜ୍ୟର ସମସ୍ତ ଥାନାଗୁଡ଼ିକରେ ଦ୍ରୁତଗାମୀ ଏସୟୁଭି ଗାଡ଼ି ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ପୁଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମି ଯୋଗାଇ ଦେବାକୁ ମଧ୍ୟ ଆମ ସରକାର ପ୍ରତିଶ୍ରୁତିବଦ୍ଧ। ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକଙ୍କ ପାଖରୁ ତୁରନ୍ତ ଏଫଆଇଆର ଗ୍ରହଣ ନକଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।
ରାଜ୍ୟରେ ସମୁଦାୟ ୩୨ ହଜାର ନୂଆ ପଦ ସୃଷ୍ଟି କରାଯାଇଥିବା ବେଳେ ୧୬ ହଜାର ଖାଲି ପଡ଼ିଥିବା ପଦ, ନୂତନ ଭାବେ ସୃଷ୍ଟି ହୋଇଥିବା ୧୬ ହଜାର ପଦ ପୂରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗାମୀ ଦିନରେ ରାଜ୍ୟ ପୁଲିସ କର୍ମଚାରୀ ଓ ଅଧିକାରୀ ସଂଖ୍ୟା ୩୨ ହଜାର ବଢ଼ିବ। ଏହାଦ୍ୱାରା ପୁଲିସର ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।
କେନ୍ଦୁଝରରେ ଖୁବ୍‌ଶୀଘ୍ର ଜେଏସ୍‌ଡବ୍ଲ୍ୟୁ ଦ୍ୱାରା ଏକ ମେଗା ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ପ୍ରଥମ ପର୍ଯ୍ୟାୟରେ ୩୫ ହଜାର କୋଟି ଟଙ୍କା ବିନିଯୋଗ ହେବ। ଏଥିସହିତ କେନ୍ଦୁଝରରେ ସମୁଦାୟ ୧,୨୯,୮୦୦ କୋଟି ଟଙ୍କା ପୁଞ୍ଜିନିବେଶରେ ୩୦ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଯାହାଦ୍ୱାରା ୩୦ରୁ ୩୫ ହଜାର ଯୁବକଯୁବତୀ ରୋଜଗାର ପାଇବେ। ଶିଳ୍ପ ପ୍ରତିଷ୍ଠାନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନ ପ୍ରକଳ୍ପଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବ, ଯାହାଦ୍ୱାରା କେନ୍ଦୁଝର ଜିଲା ଅର୍ଥନୈତିକ ଦୃଷ୍ଟିକୋଣରୁ ମଧ୍ୟ ଆଗକୁ ଯିବ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝରର କାଙ୍ଗାଳି ଚରଣ ନାଏକଙ୍କୁ ଧରଣୀଧର ସମ୍ମାନରେ ସମ୍ମାନିତ କରିିଥିଲେ। କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ. ଫକିର ମୋହନ ନାୟକ, ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ, ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ପ୍ରମୁଖ ନିଜ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମରେ ବିପ୍ଲବୀ ଧରଣୀଧର ନାଏକଙ୍କ ବଂଶଧର କଳାକର ନାଏକ ଯୋଗ ଦେଇଥିବାବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ସମ୍ପାଦକ ଶ୍ୟାମ ସୁନ୍ଦର ନାଏକ ବିବରଣୀ ପାଠ କରିଥିଲେ। କେନ୍ଦୁଝର ଜିଲାପାଳ ବିଶାଲ ସିଂହ ସ୍ବାଗତ ଭାଷଣ ଦେଇଥିବାବେଳେ ଭୂୟାଁ ସାଂସ୍କୃତିକ ସଂଗଠନର ଉପଦେଷ୍ଟା ମମିତା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories