ଧରଣୀଧର ବିଶ୍ୱବିଦ୍ୟାଳୟ: ଶିକ୍ଷାଦାନ ପାଇଁ ଭରସା ଅତିଥି ଅଧ୍ୟାପକ

କେନ୍ଦୁଝରଗଡ଼଼: ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ବିଜ୍ଞପ୍ତି ନଂ ୬୦୩୮/ଏଚଇ ତା ୧୧/୦୨/୨୦୨୩ରିଖ ଅନୁଯାୟୀ କେନ୍ଦୁଝରସ୍ଥିତ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟ ଫେବୃଆରୀ ୧୧ ତାରିଖ ତା’ର ଦ୍ୱିତୀୟବାର୍ଷିକୀ ପ୍ରତିଷ୍ଠା ଦିବସ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ବିଶ୍ୱବିଦ୍ୟାଳୟ ଘୋଷଣାର ୬ମାସ ପରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେରାଇନ ସାଇନ୍ସ ପ୍ରଫେସର ତଥା ପି.ଜି. କାଉନସିଲ ଚେୟାରମ୍ୟାନ ପ୍ରତାପ କୁମାର ମହାନ୍ତିଙ୍କୁ ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଅଫିସର ଅନ୍‌‌ ସ୍ପେଶାଲ ଡ୍ୟୁଟି (ଓଏସ୍‌‌ଡି) ଭାବେ ନିଯୁକ୍ତି ଦିଆଯାଇଛି।

ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦେଢ଼ବର୍ଷ ପରେ ୯ ଅକ୍ଟୋବର ୨୦୨୪ରେ ରାଜ୍ୟ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଦୁଃଖବନ୍ଧୁ ନାଏକଙ୍କୁ କୁଳସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ବିତ୍ତୀୟ କାରବାର ପାଇଁ ରେଙ୍ଗାଳି ଦକ୍ଷିଣ କେନାଲର ଏଫଏ ଆଣ୍ଡ ସିଏଓ ଠାକୁର ଦାସ ହାଁସଦାଙ୍କୁ ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଭାବେ ୨ ନଭେମ୍ବର ୨୦୨୪ରୁ ନିଯୁକ୍ତି ଆଦେଶ ହୋଇଥିଲେ ହେଁ ସେ ଅଦ୍ୟାବଧି କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ସେିହଭଳି ପରୀକ୍ଷା ନିୟନ୍ତ୍ରକ ଓ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ମଧ୍ୟ ଖାଲି ପଡ଼ିଥିବା ବେଳେ ବିଶ୍ୱବିଦ୍ୟାଳୟ ପାଇଁ ଅଧ୍ୟାପକ ନିଯୁକ୍ତି ଶୂନ ଥିବା ଜଣାପଡିଛି।

ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ନୃତତ୍ତ୍ୱ, ଅର୍ଥନୀତି, ଶିକ୍ଷା, ଇତିହାସ, ଗଣିତ, ଦର୍ଶନଶାସ୍ତ୍ର, ରାଜନୀତି ବିଜ୍ଞାନ, ସମାଜବିଜ୍ଞାନ, ପ୍ରାଣୀବିଜ୍ଞାନ, ଉଦ୍ଭିଦବିଜ୍ଞାନ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ ବାଣିଜ୍ୟ ବିଷୟକୁ ମିଶାଇ ମୋଟ ୧୩ଟି ବିଷୟ ପାଇଁ ଜଣେ ପ୍ରଫେସର, ୨ଜଣ ସହଯୋଗୀ ପ୍ରଫେସର ଓ ୪ଜଣ ସହକାରୀ ପ୍ରଫେସର ଏବଂ ସ୍ନାତ୍ତକ ବିଭାଗ କମ୍ପ୍ୟୁଟର ବିଜ୍ଞାନ ଓ ବିଇଡି ବିଷୟ ନିମନ୍ତେ ୨ଜଣ ସହଯୋଗୀ ପ୍ରଫେସର ଓ ୪ଜଣ ସହକାରୀ ପ୍ରଫେସରଙ୍କୁ ମିଶାଇ ୧୩ଜଣ ପ୍ରଫେସର, ୨୮ଜଣ ସହଯୋଗୀ ପ୍ରଫେସର ଓ ୫୬ଜଣ ସହକାରୀ ପ୍ରଫେସରଙ୍କୁ ମିଶାଇ ମୋଟ ୯୭ଟି ନୂତନ ଅଧ୍ୟାପକ ପଦ ମଞ୍ଜୁର ନିମନ୍ତେ ରାଜ୍ୟ ସରକାରଙ୍କ ଚିଠି ନଂ ୪୨୭୫୮ ତା ୨୯/ ୧୦/୨୦୨୪ରିଖରେ ବିଜ୍ଞପ୍ତି ପ୍ରକାଶ ପାଇସାରିଛି।

ତେବେ ମଞ୍ଜୁର ଏହି ୯୭ଟି ଅଧ୍ୟାପକ ପଦ ପୂରଣ ନିମନ୍ତେ କିଏ ନିଯୁକ୍ତି ଦେବେ ସେ ନେଇ କୌଣସି ନିର୍ଦ୍ଧିଷ୍ଟ ନିୟମାବଳୀ ନଥିବାରୁ ଏହି ପଦ କିଭଳି ପୂରଣ ହେବ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଆଶା ଓ ଆଶଙ୍କା ଦେଇ ଗତି କରୁଛନ୍ତି। ସେହିଭଳି ପୂର୍ବରୁ କାର୍ଯ୍ୟକ୍ଷମ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ କେନ୍ଦୁଝର ପରିସର ପାଇଁ ମଞ୍ଜୁର ଓଡିଆ, ସଂସ୍କୃତ, ଇଂରାଜୀ, ଭୂତତ୍ତ୍ୱ ଓ ବସ୍ତୁବିଜ୍ଞାନ ବିଷୟ ନିମନ୍ତେ ନିଯୁକ୍ତ ହୋଇଥିବା ମୋଟ ୮ଜଣ ଅଧ୍ୟାପକଙ୍କ ମଧ୍ୟରୁ ୫ଜଣ ଧରଣୀଧର ବିଶ୍ୱବିଦ୍ୟାଳୟରେ ଅବସ୍ଥାପିତ ହେବା ଏବଂ ୩ଜଣ ସେମାନଙ୍କ ପୂର୍ବ ନିଯୁକ୍ତି ସ୍ଥାନକୁ ଫେରିଯିବା ଦ୍ୱାରା ଏହି ୫ଟି ବିଷୟ ପାଇଁ ୫ଜଣ ପ୍ରଫେସର, ୯ଜଣ ସହଯୋଗୀ ପ୍ରଫେସର ଓ ୧୬ଜଣ ସହକାରୀ ପ୍ରଫେସର ପଦକୁ ମିଶାଇ ଆହୁରି ଅଧିକ ୩୦ଜଣ ଅଧ୍ୟାପକ ପଦ ମଞ୍ଜୁର ହେବା ଆବଶ୍ୟକତା ରହିଛି।

ପୂର୍ବରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିଯୁକ୍ତ ୬୭ଜଣ ଅଧ୍ୟାପକ ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ କରି ଆସୁଥିବା ବେଳେ ସମ୍ପୃକ୍ତ ଅଧ୍ୟାପକ କିଏ ରାଜ୍ୟର କେଉଁ ମହାବିଦ୍ୟାଳୟରେ ନିଯୁକ୍ତ ହେବେ ସେ ନେଇ ସରକାରଙ୍କ ଆଦେଶନାମା ପରେ ଏବେ ସମ୍ପୃକ୍ତ ଅଧ୍ୟାପକ ପଦ ଖାଲି ହେଲେ ବିଶ୍ୱବିଦ୍ୟାଳୟର ଶିକ୍ଷାଦାନ ପ୍ରକ୍ରିୟା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସୁନିଶ୍ଚିତ। ବିଶ୍ୱବିଦ୍ୟାଳୟ ପକ୍ଷରୁ ୬୩ଜଣ ଅତିଥି ଅଧ୍ୟାପକ ନିଯୁକ୍ତି ଦିଆଯାଇ ଶିକ୍ଷାଦାନ ଜାରି ରହିଥିବା ବେଳେ ଶୀଘ୍ର ମଞ୍ଜୁର ଅଧ୍ୟାପକ ପଦ ପୂରଣ କରାନଗଲେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନରେ ଅବ୍ୟବସ୍ଥା ନେଇ ଛାତ୍ର ଅଶାନ୍ତିକୁ ଏଡାଇ ଦିଆଯାଇନପାରେ।

ସେହିଭଳି ବିଶ୍ୱବିଦ୍ୟାଳୟ ପାଇଁ ୯୧ଟି ଶିକ୍ଷା କର୍ମଚାରୀ ପଦ ମଞ୍ଜୁର ସହ ନିଯୁକ୍ତି ଆଦେଶ ହୋଇଥିଲେ ହେଁ ତାହା ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ୨ଜଣ ଏବଂ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାୟ ୨୦ଜଣ ଶିକ୍ଷା କର୍ମଚାରୀଙ୍କୁ ନେଇ ବିଶ୍ୱବିଦ୍ୟାଳୟର ଦୈନଦିନ ପରିଚାଳନା କାର୍ଯ୍ୟ ଚାଲିଥିବା ବେଳେ ଖାଲି ପଡ଼ିଥିବା ପଦ ପୂରଣ ନହେବା ଯୋଗୁଁଁ ଅନେକ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇପାରୁନାହିଁ। ଏହି ବିଶ୍ୱବିଦ୍ୟାଳୟ ଅଧିନରେ ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷାଦାନ କାର୍ଯ୍ୟ ଜାରି ରହିଥିବା ବେଳେ ଜଣେହେଲେ ଅଧ୍ୟାପକ ନଥିବାରୁ ଉଚ୍ଚ ମାଧ୍ୟମିକ ଶିକ୍ଷାଦାନ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ କରିଛି।

ବିଶ୍ୱବିଦ୍ୟାଳୟରେ ଉଚ୍ଚ ମାଧ୍ୟମିକ ଠାରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ମୋଟ ୫୦୦୦ରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷାଗ୍ରହଣ କରୁଥିବା ବେଳେ ଆବଶ୍ୟକ ଶ୍ରେଣୀଗୃହ ଅଭାବ ଶିକ୍ଷାଦାନରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ସେହିଭଳି ବିଶ୍ୱବିଦ୍ୟାଳୟ ଗଠନ ପରେ ଏହା ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର ଜରୁରୀ ହୋଇପଡ଼ିଛି। ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ଥିବା ଏକାଡେମିକ୍‌‌ ଗୃହକୁ ଇଡକୋ ହସ୍ତାନ୍ତର କରିନଥିବା ବେଳେ ଏହାକୁ ତୁରନ୍ତ ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର ସହ ଶିକ୍ଷାଦାନ ନିମନ୍ତେ ଆବଶ୍ୟକ ସାମଗ୍ରୀ ଯୋଗାଣ କରିବାକୁ ବୁଦ୍ଧିଜୀବୀ ମହଲରେ ବାରମ୍ବାର ଦାବି ହୋଇଆସୁଛି।

ସେହିଭଳି ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ମୂଲ୍ୟବାନ ଜମିକୁ ଚିହ୍ନଟ ସହ କିଭଳି ପଟ୍ଟା ମିଳିପାରିବ ଏବଂ ଦକ୍ଷିଣ ପରିସର ସଂଲଗ୍ନ ୧୦ଏକରରୁ ଅଧିକ ଜମିକୁ କିଭଳି ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରାଯିବ ସେ ନେଇ ପ୍ରଶାସନିକସ୍ତରରେ ସହଯୋଗ ନିହାତି ଆବଶ୍ୟକ ବୋଲି ଶିକ୍ଷାବିତ୍‌‌ ଡ. ବନବିହାରୀ ମିଶ୍ର ଏହା କହିଛନ୍ତି। ୨ଟି ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ବିଶ୍ୱବିଦ୍ୟାଳୟ ଅଧିନରେ କାର୍ଯ୍ୟକ୍ଷମ ଥିବାବେଳେ ଆହୁରି ଅଧିକ ସଂଖ୍ୟକ ଛାତ୍ରାବାସ ଓ ଛାତ୍ରୀନିବାସର ଆବଶ୍ୟକତା ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଉତ୍ତର ପରିସରରୁ ଦକ୍ଷିଣ ପରିସର ପ୍ରାୟ ୧୦କି.ମି. ଦୂରତ୍ୱ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ଯାତାୟାତ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ଅତିକମ୍‌‌ରେ ୨ଟି ବସ୍‌‌ ଯୋଗାଇ ଦେବାକୁ ଦାବି ହୋଇଆସୁଛି।

Comments are closed.