www.samajalive.in
Sunday, December 7, 2025
23.1 C
Bhubaneswar

କରଞ୍ଜମାଳ ପଞ୍ଚାୟତରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଦାବୀ

ଧାମରା: କରଞ୍ଜମାଳଠାରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ଅଞ୍ଚଳବାସୀ ପୁଣି ନିଜର ଦାବୀ ରଖିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ଚାନ୍ଦବାଲି ତହସିଲଦାର ଚାନ୍ଦବାଲି ତହସିଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରୁଥିବା ବେଳେ କରଞ୍ଜମାଳ ପଂଚାୟତ ଅଧିନସ୍ଥ ବଇଁଚାଠାରେ ଥିବା ଏକ ଦ୍ୱିତଳ ମାର୍କେଟ କଂପ୍ଲେକ୍ସ ସରକାରୀ ଜମିରେ ଥିବା ସତ୍ୱେ କଣ ପାଇଁ ଉଚ୍ଛେଦ କରୁ ନାହାନ୍ତି ତାହା ମଧ୍ୟ ଚର୍ଚ୍ଚାରେ। ପ୍ରାପ୍ତ ଖବରରୁ ଜଣାଯାଇଛି, ଭଦ୍ରକ ଜିଲାରେ ଜଣେ ବିବାଦୀୟ ତହସିଲଦାର ଭାବେ ସୁଶାନ୍ତ ସୂତାର ଖ୍ୟାତ। ଆଜି ଭଳି ଦିନରେ କୌଣସି ସ୍ଥାନରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଲେ ଭଦ୍ରକ ଜିଲାପାଳ ତୁରନ୍ତ ଚାନ୍ଦବାଲି ତହସିଲଦାରଙ୍କୁ ସେହି ସ୍ଥାନରେ ଆଇନର ରକ୍ଷକ ଭାବେ ପଠାଉଥିବା ବେଳେ କରଞ୍ଜମାଳ ପଂଚାୟତରେ ଥିବା ବଇଁଚା ମାର୍କେଟ କଂପ୍ଲେକ୍ସ ପ୍ରତି ସଂପୃକ୍ତ ତହସିଲଦାର ପାତର ଅନ୍ତର ନୀତି ଆପଣାଉଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ବଇଁଚା ଅଞ୍ଚଳର ଜନୈକ ବ୍ୟକ୍ତି ବଇଁଚାଠାରେ ଥିବା ସରକାରୀ ଜମି ଖତିୟାନ ନଂ୨୬୨ ଏବଂ ପ୍ଲଟ ନଂ-୪୬୧/୭୩୪ରେ ଥିବା ଏ୧.୧୨କର ଜମି ଉପରେ ଜୋର ଜବରଦସ୍ତ ଏକ ମାର୍କେଟ କଂପ୍ଲେକ୍ସ ନିର୍ମାଣ କରିଥିଲେ। ଏହାର ନିର୍ମାଣ ସମୟରେ ଅଞ୍ଚଳବାସୀ ଏହାକୁ ଘୋର ବିରୋଧ କରିବା ପରେ ମଧ୍ୟ ସଂପୃକ୍ତ ବ୍ୟକ୍ତି ଜଣକ ସମସ୍ତଙ୍କ କଥାକୁ ହେୟ ମନେକରି ଏହା ନିର୍ମାଣ କରିଥିଲେ। ଆଜି ଭଳି ଦିନରେ ଏହି ମାର୍କେଟ କଂପ୍ଲେକ୍ସ ଅଞ୍ଚଳରେ ଚୋରା ମଦ ବେପାର ହେଉଥିବା ସହ ବିଭିନ୍ନ ଅନୈତିକ କାର୍ଯ୍ୟ ହେଉଥିବା ଅଭିଯୋଗ ମଧ୍ୟ ହେଉଥିବା ଜଣାଯାଇଛି। ଏହାକୁ ସଂପୂର୍ଣ୍ଣ ବିରୋଧ କରି ଅଞ୍ଚଳବାସୀ ଏହି ସରକାରୀ ଜମିରେ ଥିବା ମାର୍କେଟ କଂପ୍ଲେକ୍ସକୁ ଭାଙ୍ଗି ଦେବାକୁ କେନ୍ଦ୍ରାଞ୍ଚଳ ଆୟୋଗ, ଭଦ୍ରକ ଜିଲାପାଳ, ଚାନ୍ଦବାଲି ତହସିଲଦାରଙ୍କ ନିକଟରେ ଦାବୀ କରିଥିଲେ। ଏହି ଦାବୀ ହେବା ପରେ ସଂପୃକ୍ତ ବ୍ୟକ୍ତି ଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କ ବିବୃତିରେ ଏହାକୁ ଭଦ୍ରକ ଉପଜିଲାପାଳଙ୍କ କୋର୍ଟକୁ ପଠାଇବା ସହ ତୁରନ୍ତ ଏହାର ସମାଧାନ କରିବାକୁ ନିର୍ଦେଶ ମଧ୍ୟ ଦେଇଥିଲେ। ଭଦ୍ରକ ଉପଜିଲାପାଳଙ୍କ ନିର୍ଦେଶରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର କରଞ୍ଜମାଳ ପଂଚାୟତ ଅଧିନରେ ଥିବା ବଇଁଚା ମାର୍କେଟ କଂପ୍ଲେକ୍ସଟି ସରକାରୀ ଜମି ଉପରେ ଥିବା କଥା ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଉପଜିଲାପାଳ ସମସ୍ତ କଥା ବୁଝିବା ପରେ ତୁରନ୍ତ ଏହି ସରକାରୀ ଜମିରୁ ଅବରୋଧକାରୀଙ୍କୁ ହଟାଇବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି। ଇତି ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ସରକାରୀ ଜମି ସରକାରଙ୍କ ଖାତାକୁ ଫେରି ନଥିବା ଜଣାପଡ଼ିବା ପରେ ତୁରନ୍ତ ନ୍ୟାୟ ପ୍ରଦାନ ଦାବୀରେ ଅଞ୍ଚଳବାସୀ ତୁରନ୍ତ ଏହି ମାର୍କେଟ କଂପ୍ଲେକ୍ସକୁ ଭାଙ୍ଗିବାକୁ ଦାବୀ ରଖିବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ଶଚିବ, କେନ୍ଦ୍ରାଞ୍ଚଳ ଆୟୋଗ, ଭଦ୍ରକ ଜିଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଏହା ଭଙ୍ଗା ନଗଲେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ବାକି ଥିବା ସମସ୍ତ ସରକାରୀ ଜମିକୁ ନିଜ ଦଖଲକୁ ନେବେ ବୋଲି ମଧ୍ୟ ଦାବୀ ରଖିଛନ୍ତି। ଅନ୍ୟ ପକ୍ଷରେ ଚାନ୍ଦବାଲି ତହସିଲଦାର ଖୁବଶୀଘ୍ର ଏହି ଅବରୋଧକାରୀମାନଙ୍କୁ ହଟାଇବା ସହ ଏହି ଜାଗା ସରକାରୀ ଖାତାକୁ ଫେରାଇଆଣିବେ ବୋଲି କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories