www.samajalive.in
Sunday, December 14, 2025
26.1 C
Bhubaneswar

ଉଜୁଡ଼ିଗଲା ପରିବାର, ହତ୍ୟାକାରୀକୁ ଫାଶୀ ଦିଅ

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ ବ୍ରହ୍ମପୁରା ସଅଁରାପଡ଼ାରେ ରହୁଥିବା ବୁଲୁ ଜାନୀ, ସ୍ତ୍ରୀ ଜ୍ୟୋତି ଓ ୪ ପୁଅ/ଝିଅଙ୍କୁ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବିଭତ୍ସ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ନେଇ ପାଟଣାଗଡ ସହ ବଲାଙ୍ଗିର ଜିଲା ସ୍ତବ୍ଧ ହୋଇଯାଇଥିଲା। ଗୁରୁବାର ମୃତକଙ୍କ ସମ୍ପର୍କୀୟ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ ହୋଇଛି। ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। କାନ୍ଦବୋବାଳିରେ ସମଗ୍ର ଅଞ୍ଚଳ ଫାଟି ପଡୁଥିବା ବେଳେ ହତ୍ୟାକାରୀଙ୍କୁ ଫାଶୀ ଦିଆଯାଉ ବୋଲି ସମ୍ପର୍କୀୟ ଦାବି କରିଛନ୍ତି । ୧୦ ତାରିଖ ବିଳମ୍ବିତ ରାତିରେ ବୁଲୁ ଜାନୀ, ସ୍ତ୍ରୀ ଓ ୪ପୁଅ ଝିଅଙ୍କୁ ହତ୍ୟା କରାଯାଇ ସେମାନଙ୍କୁ କମ୍ବଳ ଢାଙ୍କି ହତ୍ୟାକାରୀ ଚମ୍ପଟ ମାରିଥିଲେ। ବୁଧବାର ସକାଳେ ଖବର ପ୍ରଚାରିତ ହେବା ପରେ ପୁଲିସ, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚିଥିଲେ।

ଭୁବନେଶ୍ୱରରେ ରହୁଥିବା ମୃତକଙ୍କ ୫ ପୁଅ, ୩ ବୋହୂ ଓ ନାତିନାତୁଣୀ ଗୁରୁବାର ପାଟଣାଗଡରେ ପହଞ୍ଚିିଥିଲେ। ସେମାନଙ୍କୁ ୬ଜଣଙ୍କ ମୃତଦେହ ହସ୍ତାନ୍ତର କରାଯାଇଥିଲା। ପୁଲିସ ଏହି ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବଲାଙ୍ଗିର ଏସପି ଏମ୍‌.ସନ୍ଦୀପ ସମ୍ପଦ, ଏଏସପି ମନୋରଞ୍ଜନ ପ୍ରଧାନ, ପାଟଣାଗଡ ଏସଡିପିଓ ସୁରେଶଚନ୍ଦ୍ର ନାଏକ, ଥାନା ଅଧିକାରୀ କେ ପ୍ରୟଙ୍କା ରାଉତରାୟ ପ୍ରମୁଖ ପାଳି କରି ଜେରା କରୁଥିବା ବେଳେ କିଛି ବି ସୂଚନା ମିଳି ପାରୁ ନାହିଁ।

- Advertisement -

ଭୁବନେଶ୍ୱରର ଷ୍ଟେସନରୋଡରେ ରହୁଥିବା ମୃତ ବୁଲୁ ଜାନୀଙ୍କ ପୁଅ ସରୋଜ, ବିକାଶ, ଫିରୋଜ, ସମୀର ଓ ଶ୍ରୀଲାଲ ଗୁରୁବାର ପହଞ୍ଚିବା ପରେ ବାପା-ମାଆ, ଭାଇ-ଭଉଣୀଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବାକୁ ସାହାସ କରି ନଥିଲେ। ଦୁଃଖରେ ମ୍ରିୟମାଣ ହୋଇପଡିଥିବା ପୁଅ, ତିନିବୋହୂ ହତ୍ୟାକାରୀଙ୍କୁ ଫାଶୀ ଦିଅ ବୋଲି ଦାବି କରିଥିଲେ। ଯଦି ହତ୍ୟାକାରୀଙ୍କୁ ଫାଶୀ ଦିଆ ନଯାଏ, ତାହେଲେ ଜାନୀ ପରିବାରର ବଞ୍ଚି ରହିଥିବା ସମସ୍ତ ସଦସ୍ୟଙ୍କୁ ଫାଶୀ ଦେବାକୁ ସେମାନେ ଅନୁରୋଧ କରିଥିଲେ। ବାପା-ମାଆ ଓ ଭାଇ-ଭଉଣୀଙ୍କୁ ହରାଇବା ପରେ କାହା ମୁହଁ ଦେଖି ବଞ୍ଚିବେ ବୋଲି ଭାବବିହ୍ୱଳ କଣ୍ଠରେ ସେମାନେ କହୁଥିଲେ। ପୁଲିସ ଜାନୀ ପରିବାର ସଦସ୍ୟମାନଙ୍କୁ ଗୁଡେଇ ତୁଡେଇ ବିଭିନ୍ନ ପ୍ରଶ୍ନ ପଚାରିବା ପରେ ସମସ୍ତ ସଦସ୍ୟ ପହଞ୍ଚିଥିଲେ ଡାକ୍ତରଖାନାରେ। ବାପା-ମାଆ ଓ ଭାଇ-ଭଉଣୀଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବା ପରେ ସେଠାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଗୋଟିଏ ଗାଡିରେ ୬ ଶବ ନିଆଯାଇଥିବା ବେଳେ ୩ ଜଣ ଡାକ୍ତର ଶବ ବ୍ୟବଚ୍ଛେଦ କରିଥିଲେ। ବ୍ୟବଚ୍ଛେଦ ପରେ ମାୟାବତୀ ନଦୀକୂଳ ଶ୍ମଶାନରେ ସେବା ଚ୍ୟାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶେଷକୃତ୍ୟ କରାଯାଇଥିଲା।

ସୂଚନାଯୋଗ୍ୟ ଯେ ଝାଡଖଣ୍ଡ ଟାଟା ନିକଟସ୍ଥ ବାଗବେହେରା ଅଞ୍ଚଳରୁ ପ୍ରାୟ ୧୫ ବର୍ଷ ତଳୁ ସେମାନେ ଆସି ପାଟଣାଗଡରେ ରହୁଥିବା ସୂଚନା ଦେଇଥିଲେ ମୃତକଙ୍କ ପୁଅ ସରୋଜ। ତିନିବର୍ଷ ତଳେ ସେହି ଅଞ୍ଚଳରୁ ଆସି ଏଠାରେ ରହୁଥିବା କେତେକଙ୍କ ସହ ସେମାନଙ୍କ ପାରିବାରିକ କଳହ ରହିଥିଲା। ଏ ସମ୍ପର୍କରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଆପୋଷ ବୁଝାମଣା ମାଧ୍ୟମରେ ତାହା ସମାଧାନ ହୋଇଥିଲା। ବର୍ଷେ ତଳେ ବଡଭାଇ ସଂଗ୍ରାମ ଜାନୀଙ୍କୁ କୋଟପାଡ ଅଞ୍ଚଳରେ ହତ୍ୟା କରାଯାଇଥିବା କହିଥିଲେ ସରୋଜ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଯାଇଥିବା ସେ କହିବା ସହ କିଛି ଲୋକ ଏହି ଘଟଣା ସହ ସମ୍ପୃକ୍ତ ଥାଇପାରନ୍ତି ବୋଲି କହି ସେମାନଙ୍କ ନାଁ ନେଇଥିଲେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories