ବୈଦ୍ୟୁତିକ ଯାନ : ଚାହିଦା ବଢ଼ୁଛି, ଚାର୍ଜ ପାଇଁ ପଏଣ୍ଟ ଅଭାବ
ବିକ୍ରି ହେଲାଣି ୨,୨୮,୦୦୦ ଗାଡ଼ି
ଭୁବନେଶ୍ବର : ରାଜ୍ୟରେ ବିଦ୍ୟୁତ୍ ଚାଳିତ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହି ଗାଡ଼ି ଚାର୍ଜ ପାଇଁ ଆବଶ୍ୟକ ଚାର୍ଜିଂ ପଏଣ୍ଟର ବ୍ୟବସ୍ଥା ନାହିଁ। ଗାଡ଼ି ଚାଳକ ନିଜସ୍ବ ବ୍ୟବସ୍ଥାରେ ଚାର୍ଜ କରୁଥିବା ବେଳେ ସାଧାରଣ ସ୍ଥାନରେ ଚାର୍ଜିଂ ପଏଣ୍ଟ ନ ଥିବାରୁ ଦୂରଦୂରାନ୍ତକୁ ଯିବାକୁ ଭୟ କରୁଛନ୍ତି ଚାଳକ। ରାଜ୍ୟରେ ବିଦ୍ୟୁତ୍ ଚାଳିତ ଗାଡ଼ି ପାଇଁ ସରକାରଙ୍କ ପକ୍ଷରୁ ରିଆତି ଦିଆଯାଉ ଥିବାବେଳେ ସରକାରୀ କର୍ମଚାରୀଙ୍କ ପାଇଁ ଅଗ୍ରିମ ଅର୍ଥ ବ୍ୟବସ୍ଥା ରହିଛି। ଅଥଚ ଚାର୍ଜିଂ ପଏଣ୍ଟ ନ କରିବା ବିଦ୍ୟୁତ୍ ଗାଡ଼ି ଚାଳକଙ୍କୁ ନିରୁତ୍ସାହତି କରୁଛି। କେବଳ ଭୁବନେଶ୍ବର ନୁହେଁ କଟକ, ରାଉରକେଲା, ବ୍ରହ୍ମପୁର ଏବଂ ସମ୍ବଲପୁର ଆଦି ମୁଖ୍ୟ ସହରରେ ଏଥିପାଇଁ ଉପଯୁକ୍ତ ବ୍ୟବସ୍ଥା ନାହିଁ।
ରାଜ୍ୟର ଜନବହୁଳ ସ୍ଥାନଗୁଡିକରେ ୧୫୦ଟି ଚାର୍ଜିଂ ପଏଣ୍ଟ ଥିବାବେଳେ ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୨୨ଟି କେଉଁ ଜିଲାରେ ଗୋଟିଏ ରହିଛି ଆଉ କେଉଁ ଜିଲାରେ ମୂଳରୁ ଚାର୍ଜିଂ ପଏଣ୍ଟ ନାହିଁ। ନିଜସ୍ବ ଉଦ୍ୟମରେ ଘରେ ଚାର୍ଜିଂ ବ୍ୟବସ୍ଥା କରିବାକୁ ପଡୁଛି। ୨୦୨୧ରେ ବିଦ୍ୟୁତ୍ ଚାଳିତ ଗାଡ଼ି ନୀତି ଆଣିଥିଲେ ରାଜ୍ୟ ସରକାର। ୨୦୨୫ ମସିହା ସୁଦ୍ଧା ରାଜ୍ୟରେ ବିଦ୍ୟୁତ୍ ଚାଳିତ ଗାଡ଼ି ସଂଖ୍ୟା ୨୦% ବୃଦ୍ଧି ପାଇବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ଦୁଇ ଚକିଆ ଯାନ କ୍ରୟ ଉପରେ ୨୦ ହଜାର ଟଙ୍କା ରିଆତି ଦିଆଯାଉ ଥିବାବେଳେ ତିନି ଚକିଆ ପାଇଁ ୩୦ ହଜାର ଏବଂ ଚାରି ଚକିଆ ପାଇଁ ୧.୫ଲକ୍ଷ ଟଙ୍କା ରିଆତି ଦିଆଯାଉଛି। ସୂଚନାଯୋଗ୍ୟ ଯେ ୨୦୨୦ରୁ ୨୦୨୩ ଏପ୍ରିଲ ମଧ୍ୟରେ ରାଜ୍ୟରେ ମୋଟ ୨,୨୮,୦୦୦ ବୈଦ୍ୟୁତିକ ଯାନ ବିକ୍ରି ହେଲାଣି।
ଭୁବନେଶ୍ବରରେ ୨୦୨୦ରେ ୨୯ହଜାର ଦୁଇ ଚକିଆ ଯାନ ପଞ୍ଜୀକରଣ ହୋଇଥିବା ବେଳେ ୨୦୨୧େର ୩୧ହଜାର, ୨୦୨୨ରେ ୪୨ହଜାର ଏବଂ ୨୦୨୩ ଏପ୍ରିଲ ସୁଦ୍ଧା ୧୯ହଜାର ବିଦ୍ୟୁତ୍ ଚାଳିତ ଯାନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡିକରେ ପଞ୍ଜୀକରଣ ହୋଇଛି। ୧୧ହଜାର ବିଦ୍ୟୁତ ଚାଳିତ କାର ପଞ୍ଜୀକରଣ କରାଯାଇଛି। ସେପ୍ଟେମ୍ବର ୨୦୨୧ରୁ ଏପ୍ରିଲ ୨୦୨୩ ମଧ୍ୟରେ ବରଗଡ଼ ଜିଲାରେ ୧୫ଶହ ବିଦ୍ୟୁତ୍ ଚାଳିତ ଗାଡି ପଞ୍ଜୀକରଣ ହୋଇଥିବା ବେଳେ ଏହି ଅବଧି ମଧ୍ୟରେ ସୁବର୍ଣ୍ଣପୁରରେ ୭୧୯, କଳାହାଣ୍ଡିରେ ୧୦୬ଟି ଗାଡ଼ି ଚଳାଚଳ କରୁଛି। ରାଜଧାନୀରେ ବିଦ୍ୟୁତ୍ ଚାଳିତ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଛି। ପରିବେଶକୁ ଦୃଷ୍ଟିରେ ରଖି କ୍ରୁଟ ପକ୍ଷରୁ ୫୦ଟି ଇ-ବସ୍ ଚଳାଚଳ କରୁଥିବା ବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ୨୫୦ଟି ଇ-ବସ୍ ଚଳାଇବାକୁ ଏହାର ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଏକ ସମୀକ୍ଷା ବୈଠକରେ କହିଥିଲେ।
ରାଜଧାନୀରେ ବିଦ୍ୟୁତ୍ ଚାଳିତ ଗାଡ଼ି ବୃଦ୍ଧି ପାଉଥିଲେ ମଧ୍ୟ ଚାର୍ଜିଂ ପଏଣ୍ଟ ବଢୁନାହିଁ। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ଼ (ବିଏସ୍ସିଏଲ୍)ପକ୍ଷରୁ ୭ଟି ଚାର୍ଜିଂ ପଏଣ୍ଟ କରାଯାଇଛି। ରାଜମହଲ ବହୁତଳ ପାର୍କିଂସ୍ଥଳ ଏବଂ ସହିଦ ନଗର ବହୁତଳ ପାର୍କିଂ ସ୍ଥଳରେ ଚାର୍ଜିଂ ପଏଣ୍ଟ ରହିଥିବା ବେଳେ ବିଦ୍ୟୁତ୍ ଚାଳିତ ବସ୍ ଚାର୍ଜିଂ ପାଇଁ ଚନ୍ଦ୍ରଶେଖରପୁରରେ ପଏଣ୍ଟ ବ୍ୟବସ୍ଥା ରହିଛି। ଚାର୍ଜିଂ ପଏଣ୍ଟ ବୃଦ୍ଧି ନିମନ୍ତେ ଆର୍ଥିକ ସହାୟତା ଦିଆଯିବା ବ୍ୟବସ୍ଥା ରହିଛି। ଆବାସିକ କୋଠାସ୍ଥଳରେ ଏହି ପଏଣ୍ଟ ପାଇଁ ୫ ହଜାର ଟଙ୍କା ସହାୟତା ରାଶି ଥିବାବେଳେ ଅଣଆବାସିକ ସ୍ଥଳରେ ଚାର୍ଜିଂ ପଏଣ୍ଟ ବସାଇବା ପାଇଁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଦିଆଯିବା ବ୍ୟବସ୍ଥା ରହିଛି। ଏତେସବୁ ବ୍ୟବସ୍ଥା ଥିଲେ ମଧ୍ୟ ସଚେତନତା ଅଭାବରୁ ରାଜଧାନୀର ବହୁ ଆବାସିକ ଓ ଅଣଆବାସିକ ଅଞ୍ଚଳରେ ଚାର୍ଜିଂ ପଏଣ୍ଟ ବ୍ୟବସ୍ଥା ହୋଇପାରୁ ନାହିଁ।
ବିଏମ୍ସି ଆୟୁକ୍ତ ତଥା ସ୍ମାର୍ଟସିଟି ମୁଖ୍ୟ ପରିଚାଳନା ଅଧିକାରୀ (ସିଇଓ) ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଅଧିକ ସଂଖ୍ୟକ ବିଦ୍ୟୁତ୍ ଚାର୍ଜିଂ ପଏଣ୍ଟ ବସାଇବା ପାଇଁ ବ୍ୟବସ୍ଥା ଚାଲିଛି। ପାର୍କିଂସ୍ଥଳ ଏବଂ ଜନଗହଳି ସ୍ଥାନଗୁଡିକରେ ଏହି ଚାର୍ଜିଂ ପଏଣ୍ଟ କରାଯିବ ଏବଂ ଏଥିପାଇଁ ଖୁବ୍ଶୀଘ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ କହିଥିଲେ, ସବୁ ସହରରେ ଚାର୍ଜିଂ ପଏଣ୍ଟ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।
Comments are closed.