ନୂଆଦିଲ୍ଲୀ : ଜାଡ଼ରେ ଥରୁଛି ରାଜଧାନୀ ନୂଆଦିଲ୍ଲୀ । ନୂଆଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ଥିବା ରେକର୍ଡ ହୋଇଛି । ଆଗାମୀ ଦୁଇଦିନ ପରେ ଦିଲ୍ଲୀରେ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଦିଲ୍ଲୀର ଆକାଶରେ କୁହୁଡ଼ି ଦେଖାଦେବ । ପରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେବା ଦ୍ୱାରା ଦିଲ୍ଲୀରେ ଶୀତର ପ୍ରକୋପ କମିବ ।
ହେଲେ ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ରାତିର ତାପମାତ୍ରା ସାଢ଼େ ୪ ଡିଗ୍ରୀ କମିପାରେ । ଯାହା ଦ୍ୱାରା ପ୍ରବଳ ଶୀତ ଅନୁଭୂତ ହେବ । କିନ୍ତୁ ଏହା ପରେ ରାତି ଓ ସକାଳର ତାପମାତ୍ରା ସାଧାରଣ ପାଖାପାଖି ହେବ। ବର୍ତ୍ତମାନ ସମୟରେ ଆଫଗାନିସ୍ତା-ପାକିସ୍ତାନ ସମେତ ପୂରା ଉତ୍ତର ଏବଂ ପଶ୍ଚିମ ଭାରତରେ ଶୀତଲହରର ପ୍ରଭାବ ରହିଛି । ଏହାରି କାରଣରୁ ପଶ୍ଚିମରୁ ପ୍ରବାହିତ ହେଉଥିବା ପବନ ବରଫ ଭଳି ଅନୁଭୂବ ହେଉଛି। ଏପଟେ ଓଡ଼ିଶାରେ ବି ଜାରି ରହିଛି ଶୀତର ଲହରି । ସମସ୍ତ ଜିଲ୍ଲାରେ ଶୀତର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ୟ ବରଫପାତ ହୋଇଥିବା ଦେଖିବାକୁ ମିଳିଲାଣି ।



