ଦିଲ୍ଲୀରେ କରୋନାର ତୃତୀୟ ଲହର; ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଡ଼ାକିଲେ ଜରୁରୀ ବୈଠକ
ରାଜଧାନୀ ଦିଲ୍ଲୀକୁ ପୁଣି ଫେରିଛି କରୋନା । କରୋନାର ଭୟାନକ ତୃତୀୟ ଲହର ଦିଲ୍ଲୀବାସୀଙ୍କ ଜୀବନ ଓ ଜୀବିକା ଉପରେ ଗୁରୁତର ପ୍ରଭାବ ପକାଇବା ଆଶଙ୍କା ସୃଷ୍ଟି କରିଛି । ଏହି ସ୍ଥିତିର ମୁକାବିଲା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସରକାର ଜରୁରୀ ବୈଠକ ଡ଼ାକିଛନ୍ତି । ଆସନ୍ତାକାଲି ଅପରାହ୍ନରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ଅନୁସାରେ ବୈଠକରେ ଆଇସିୟୁ, ଭେଣ୍ଟିଲେଟର ଉପରେ ଆଲୋଚନା କରାଯିବ। କରୋନା ମାମଲା ବୃଦ୍ଧି ପରେ ଅନେକ ଡାକ୍ତରଖାନାରେ ଭେଣ୍ଟିଲେଟର ଅଭାବ ଦେଖାଦେଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀକେଜ୍ରିୱାଲ କହିଛନ୍ତି ଯେ କିଛି ସମୟ ଲାଗି ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ତୃତୀୟ ତରଙ୍ଗ କୁହାଯାଇପାରେ । ଆସନ୍ତାକାଲି ଏ ସମ୍ପର୍କରେ ବୈଠକ ଅନୁଷ୍ଠିତ ହେବ । ଡାକ୍ତରଖାନାଗୁଡ଼ିକରେ ଶଯ୍ୟା ଅଭାବ ନହେବା ପାଇଁ ନିରନ୍ତର ପ୍ରସ୍ତୁତି ମଧ୍ୟ କରାଯାଉଛି। ଏହା ସହ ଘରୋଇ ଡ଼ାକ୍ତରଖାନାରେ ଆଇସିୟୁ ଶଯ୍ୟା ସଂରକ୍ଷଣ ସଂକ୍ରାନ୍ତରେ ହାଇକୋର୍ଟରେ ରୁଜୁ ମାମଲା ନେଇ ମଧ୍ୟ ବୈଠକରେ ଆଲୋଚନା ହେବ । ଏ ସମ୍ପର୍କରେ ରାଜ୍ୟ ସରକାର ଯେଉଁ ନିର୍ଦେଶନାମା ଦେଇଥିଲେ ତାହାକୁ ହାଇକୋର୍ଟ ଖାରଜ କରି ଦେଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଆବେଦନ କରିବେ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୬୭୨୫ ନୂଆ ସଂକ୍ରମଣ ମାମଲା ନଜରକୁ ଆସିଛି ଓ ମୋଟ ସଂଖ୍ୟା ୪.୦୩ ଲକ୍ଷରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୮ ଜଣଙ୍କ ମୃତ୍ୟୁ ଘଟିଛି ଓ ମୋଟ ମୃତ୍ୟୁ ସଂଖ୍ୟା ୬୬୫୨କୁ ବୃଦ୍ଧି ପାଇଛି ।
Comments are closed.