ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିବା କ୍ୱାକ ଗିରଫ
ଅସ୍ତ୍ରୋପଚାର ସରଞ୍ଜାମ ସମେତ ୩ଲକ୍ଷ ଟଙ୍କାର ଔଷଧ ଜବତ
ଦେବଗଡ଼:ଦେବଗଡ ଆଦର୍ଶ ଥାନା ପୁଲିସ ଆଜି ଲଇମୁରା ଫାଣ୍ଡି ଅନ୍ତର୍ଗତ ଟିପେରସିଙ୍ଗା ଗ୍ରାମରୁ ଜଣେ କ୍ୱାକ୍(ନକଲି ଡାକ୍ତର)କୁ ଗିରଫ କରିବା ସହ ତା’ ନିକଟରୁ ବହୁ ଅସ୍ତ୍ରୋପଚାର ସରଞ୍ଜାମ ସମେତ ୩ ଲକ୍ଷ ଟଙ୍କାର ଔଷଧ ଜବତ କରିଛି। ଗିରଫ ହୋଇଥିବା ନକଲି ଡାକ୍ତର ଜଣକ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲାର ଅର୍ଣ୍ଣବ ମଣ୍ଡଲ ବୋଲି ଜଣାପଡିଛି। ସେ ପ୍ରାୟ ୨ ବର୍ଷ ହେଲା ଆଦିବାସୀ ଅଧ୍ୟୁଷିତ ଲଇମୁରା ଫାଣ୍ଡି ଅନ୍ତର୍ଗତ ଟିପେରସିଙ୍ଗା ଗ୍ରାମରେ ଏକ ବେଆଇନ କ୍ଲିନିକ ଖୋଲି ବିଭିନ୍ନ ରୋଗର ଚିକିତ୍ସା କରୁଥିଲା। ଏପରିକି ବିପଜ୍ଜନକ ଅସ୍ତ୍ରୋପଚାର ଏବଂ ଗର୍ଭପାତ କରି ନିରୀହ ଲୋକଙ୍କ ଜୀବନ ସହିତ ଖେଳୁଥିଲା। ଏନେଇ ଦେବଗଡ ଆଦର୍ଶ ଥାନା ପୁଲିସ ସୂଚନା ପାଇବାପରେ ଥାନା ଅଧିକାରୀ ସୁରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅର୍ଣ୍ଣବର ବେଆଇନ କ୍ଲିନକରେ ସଦଳବଳେ ଚଢାଉ କରିବାସହ କ୍ଲିନିକରୁ ପ୍ରାୟ ୩ ଲକ୍ଷ ଟଙ୍କାର ଔଷଧ ଏବଂ ବହୁ ଅସ୍ତ୍ରୋପଚାର ସରଞ୍ଜାମ (ଯନ୍ତ୍ରପାତି) ଆଦି ଜବତ କରିଥିଲା। ସେହିପରି ଅର୍ଣ୍ଣବ କୌଣସି ବୈଧ ସାର୍ଟିଫିକେଟ କିମ୍ବା ଲାଇସେନ୍ସ ଦେଖାଇ ନପାରିବାରୁ ପୁଲିସ ତାକୁ ବିଭିନ୍ନ ଦଫାରେ ଗିରଫ କରିଥିବା ଦେବଗଡ ଆଦର୍ଶ ଥାନା ଅଧିକାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଯୁକ୍ତଦୁଇ ପର୍ଯ୍ୟନ୍ତ ପାଠ ପଢିଥିବା ଅର୍ଣ୍ଣବ ପ୍ରାୟ ୨ ବର୍ଷ ହେଲା ଟିପେରସିଙ୍ଗା ଗ୍ରାମରେ କ୍ଲିନିକ ଖୋଲି କେବଳ ଥଣ୍ଡା, ଶର୍ଦ୍ଦୀ ଓ ଜ୍ୱର ଆଦି ରୋଗର ଚିକିତ୍ସା କରୁଥିବା ଦର୍ଶାଇ ରୋଗୀମାନଙ୍କ ନିକଟରୁ ଫିସ୍ ବଦଳରେ କେବଳ ଔଷଧ ବାବଦକୁ ଅଧିକ ମୂଲ୍ୟ ନେଉଥିଲା ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛି।
Comments are closed.