ଦେବଗଡ଼ : ଫୁଟବଲ ମ୍ୟାଚ ବେଳେ ପଡ଼ିଆ ମଧ୍ୟରେ ଟଳି ପଡ଼ିଲେ ଖେଳାଳି। ଦେବଗଡ଼ରେ ଫୁଟବଲ ମ୍ୟାଚ ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଘଟଣାର ତଦନ୍ତ ସହିତ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଦେବଗଡ଼ ପୌରପରିଷଦ ପକ୍ଷରୁ ଜିଲା କ୍ରୀଡା ସଂସଦ ସହାୟତାରେ ଚେୟାରମ୍ୟାନ/ଚେୟାର ପର୍ସନ ଫୁଟବଲ ପ୍ରତିଯୋଗିତା ଆୟୋଜିତ ହୋଇ ଆସୁଛି। ଚଳିତ ବର୍ଷ ଅଗଷ୍ଟ ୨୧ରୁ ୩୦ ପର୍ଯ୍ୟନ୍ତ କାଉନସିଲର କପ୍ ଫୁଟବଲ ପ୍ରତିଯୋଗିତା ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଆୟୋଜିତ ହେଉଛି। ରବିବାର ଅପରାହ୍ନରେ ଦେବଗଡ଼ ପୌରାଞ୍ଚଳ ୨ ନମ୍ବର ୱାର୍ଡ ଓ ୭ ନମ୍ବର ମଧ୍ୟରେ ମ୍ୟାଚ ଚାଲିଥିଲା। ଖେଳ ଆରମ୍ଭର ପ୍ରାୟ ୨୦/୨୫ ମିନିଟ ମଧ୍ୟରେ ୨ ନମ୍ବର ୱାର୍ଡର ଖେଳାଳି ପ୍ରକାଶ ନାୟକ(୩୨)ପଡ଼ିଆ ମଧ୍ୟରେ ଦୌଡୁଥିବା ବେଳେ ହଠାତ ତଳେ ପଡ଼ିଯାଇ ଅଚେତ ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜଙ୍କ କାର ଯୋଗେ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ସାଥୀ ଖେଳାଳି ଏବଂ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିଯୋଗିତା ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇ ନଥିବାରୁ ଉତ୍ତ୍ୟକ୍ତ ଲୋକେ ଜିଲା କ୍ରୀଡା ସଂସଦ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଥିଲେ। ପୁରୁଣା କୋଠାରେ ଯଦି ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ରହିଥାନ୍ତା କିମ୍ବା ମ୍ୟାଚ ସମୟରେ ଯଦି ଅାମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥାନ୍ତା ତେବେ ହୁଏତ ପ୍ରକାଶଙ୍କ ମୃତ୍ୟୁ ଘଟିନଥାନ୍ତା ବୋଲି ଲୋକେ ଯୁକ୍ତି ବାଢିଥିଲେ। ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦାବି ହୋଇଥିଲା। ଅତିରିକ୍ତ ଜିଲାପାଳ ରେବେକା ବିଲୁଙ୍ଗ ପହଞ୍ଚି ମୃତକଙ୍କ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ଘୋଷଣା କରିଥିଲେ। ଦେବଗଡ଼ ପୌରପରିଷଦ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଭୋଜ ମଧ୍ୟ ପୌରପରିଷଦ ପକ୍ଷରୁ ୧୦ ହଜାର ଟଙ୍କା ସହାୟତା ଘୋଷାଣା କରିଥିଲେ। ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ଜବତ କରି ସଂରକ୍ଷିତ ରଖିଛି। ସୋମବାର ଶବ ବ୍ୟବଚ୍ଛେଦ କରାଯିବ।
ଏ ସମ୍ପର୍କରେ ଜିଲା କ୍ରୀଡା ସଂସଦର ସମ୍ପାଦକ ଧିରେନ୍ଦ୍ର ନାୟକଙ୍କୁ ପଚାରିବାରୁ ପ୍ରତିଯୋଗିତା ସମୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେବାକୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖାଯାଇଥିଲେ ହେଁ ଯୋଗାଇ ଦିଆଯାଇ ନଥିବା କହିଥିଲେ। ଡାକ୍ତରଖାନା ମ୍ୟାନେଜର ଜତିନ ଭଈଁସାଙ୍କୁ ପଚାରିବାରୁ ନିୟମ ଅନୁଯାୟୀ ଆବଶ୍ୟକ ଅର୍ଥ ପଇଠ ପାଇଁ ଜିଲା କ୍ରୀଡା ସଂସଦ ସମ୍ପାଦକଙ୍କୁ ସୂଚିତ କରାଯାଇଥିଲେ ମଧ୍ୟ ଅର୍ଥ ପଇଠ କରିନଥିଲେ। ଗତ ଶୁକ୍ରବାର ଆମ୍ବୁଲାନ୍ସ ପଠାଇବାକୁ ତାଙ୍କୁ ପଚରା ଯାଇଥିଲେ ମଧ୍ୟ ବର୍ଷା ହେଉଥିବା ଦର୍ଶାଇ ଯେଉଁ ଦିନ ଖେଳ ଆରମ୍ଭ ହେବ ସେହିଦିନ ଜଣାଇବୁ ବୋଲି ସମ୍ପାଦକ ଶ୍ରୀ ନାୟକ କହିଥିବା ଡାକ୍ତରଖାନା ମ୍ୟାନେଜର ଶ୍ରୀ ଭଇଁସା କହିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ତଦନ୍ତ ପୂର୍ବକ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏହା ସହିତ ମୃତକଙ୍କ ପରିବାରକୁ ସହାୟତା ପ୍ରଦାନ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ମ୍ୟାଚ୍ ବେଳେ ଟଳିପଡ଼ିଲେ ଖେଳାଳି
Popular Categories



