ଆଠଗଡ : ଆଠଗଡ ବନାଞ୍ଚଳ ଅନ୍ତର୍ଗତ ଗୁଣ୍ଡିଚାପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ବାଟ ହୁଡି ପଳାଇ ଆସିଥିବା ଏକ ହରିଣ ଛୁଆକୁ ବୁଲା କୁକୁର ଗୋଡାଇବାରୁ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିଲା। ଖବର ପାଇ ବନବିଭାଗ ପକ୍ଷରୁ ହରିଣ ଛୁଆଟିକୁ ଉଦ୍ଧାର କରି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ,୫ମାସର ହରିଣ ଛୁଆଟି ଖାଦ୍ୟ ପାନୀୟ ଅନ୍ୱେଷଣରେ ଜଙ୍ଗଲରୁ ଗ୍ରାମଆଡକୁ ଚାଲିଆସିଥିଲା। ତେବେ ଗ୍ରାମ ନିକଟରେ ବୁଲା କୁକୁର ଗୋଡାଇବାରୁ ଗୁଣ୍ଡିଚାପୁର ଗ୍ରାମର ବଂଶୀଧର ପାତ୍ରଙ୍କ ଠାକୁର ଘରେ ହରିଣ ଛୁଆଟି ପଶି ଯାଇଥିଲା। ଶ୍ରୀ ପାତ୍ରଙ୍କ ପରିବାର ଲୋକ ଠାକୁର ଘର ବାହାରୁ କବାଟ କିଳି ସାମ୍ବାଦିକ ସନ୍ତୋଷ ବାରିକଙ୍କୁ ଏ ସଂପର୍କରେ ଜଣାଇଥିଲେ। ଶ୍ରୀ ବାରିକଙ୍କଠାରୁ ସୂଚନା ପାଇଁ ରେଞ୍ଜର ଆୟିଶା ଅଖତରୀ ନିଶା ଅନ୍ୟ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ତୁରନ୍ତ ପହଞ୍ଚି ହରିଣ ଛୁଆଟିକୁ ଶ୍ରୀ ପାତ୍ରଙ୍କ ଠାକୁର ଘରୁ ଉଦ୍ଧାର କରିଥିଲେ। ଉଦ୍ଧାର ହରିଣ ଛୁଆଟିକୁ ପ୍ରାଣୀ ଚିକିତ୍ସାଳୟରେ ପରୀକ୍ଷା ନିରୀକ୍ଷା ପରେ ତାହା ସୁସ୍ଥ ଥିବାରୁ ଆଠଗଡ ନିକଟସ୍ଥ ବୌଦା-ବନଖଣ୍ଡି ସଂରକ୍ଷିତ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଏବେ ଜଙ୍ଗଲରେ ଖାଦ୍ୟ ଓ ପାନୀୟ ଅଭାବ ଯୋଗୁଁ ହରିଣ ସମେତ ଅନ୍ୟ ବନ୍ୟପ୍ରାଣୀ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲରୁ ବାହାରି ଗ୍ରାମାଭିମୁଖୀ ହେଉଥିବା ଦେଖାଯାଉଛି।
Popular Categories



