ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ କୁଟାସିଂଗା ନିକଟସ୍ଥ ୫୫ ନଂ ଜାତୀୟ ରାଜପଥର ଏକ ପୋଲ ତଳୁ ଜଣେ ଢାବା ମିସ୍ତ୍ରୀଙ୍କ ମୃତଦେହ ଶୁକ୍ରବାର ପୁଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଅନୁଗୋଳ ଜିଲ୍ଲା ଜରପଡା ଥାନା ମରାତିରା ଗ୍ରାମର କୃତାର୍ଥ ସ୍ୱାଇଁ(୬୫) ବୋଲି ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ, ରେଢ଼ାଖୋଲ ଥାନା କୁଟାସିଂଗା ଗ୍ରାମ ନିକଟସ୍ଥ ୫୫ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ଢାବାରେ ମିସ୍ତ୍ରୀ ଭାବେ କାମକରୁଥିଲେ। ଗୁରୁବାର ସଂଧ୍ୟାରେ ଢାବାରୁ କାମସାରି ବୁଲାବୁଲି କରିବା ପାଇଁ ଯାଇଥିଲେ। ହେଲେ ରାତ୍ରି ପର୍ଯ୍ୟନ୍ତ ଢାବାକୁ ସେ ନ ଫେରିବାରୁ ଢାବା ମାଲିକ କାଳେ ସଂଧ୍ୟା ବସରେ ଘରକୁ ଯାଲିଯାଇଥିବେ ବୋଲି ଭାବିଥିଲେ। ଶୁକ୍ରବାର ସକାଳୁ ତାଙ୍କ ପରିବାର ସଦସ୍ୟଙ୍କୁ ଫୋନ କରି ଜାଣିବାକୁ ପାଇଲେ ଯେ ସେ ଘରକୁ ଯାଇ ନ ଥିବା ଜାଣି ପାଖାପାଖି ଅଂଚଳରେ ଖୋଜାଖୋଜି କରୁଥିବା ବେଳେ ଢାବା ଠାରୁ ଅଳ୍ପ ଦୂରରେ ଥିବା ଏକ ପୋଲ ତଳେ ତାଙ୍କ ମୃତଦେହ ପଡିଥିବା ନେଇ ଦେଖି ଢାବାକୁ ସୁଚନା ଦେଇଥିଲେ। ଖବରପାଇ ଢାବା କର୍ମଚାରୀମାନେ ତାଙ୍କୁ ଚିହ୍ନଟ କରିବା ପରେ ପୁଲିସକୁ ଜଣାଇଥିଲେ।ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ କୃତାର୍ଥଙ୍କ ଶବ ଜବତ କରି ଏକ ଅପମୃତ୍ୟୁ ଜନିତ ମାମାଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ସମ୍ବଲପୁରରୁ ସାଇଣ୍ଟିଫିକ୍ ଟିମ ଆସିଲା ପରେ ଶବବ୍ୟବଚ୍ଛେଦ କରାଇ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବ ବୋଲି ଏସଆଇ ସୋମ୍ୟ ରଂଜନ ମହାଲିକ ପ୍ରକାଶ କରିଛନ୍ତି। ସେହିପରି ସ୍ୱାଇଁଙ୍କ ମୃତଦେହ ପଡିଥିବା ସ୍ଥାନକୁ ଦେଖି ସାଧାରଣରେ ସଂଦେହ ପ୍ରକାଶ ପାଉଥିବା ବେଳେ ଏନେଇ ତାଙ୍କ ପୁଅ କୁମର ସ୍ୱାଇଁ କେହି ହତ୍ୟା କରିଥିବା ସଂଦେହ ପ୍ରକାଶ କରିଛନ୍ତି।
ପ୍ରକାଶ ଥାଉକି, ଗତ ଅଗଷ୍ଟ ମାସ ୧୧ ତାରିଖ ଦିନ ଏହି ଢାବା ଠାରୁ ମାତ୍ର ଅଳ୍ପ ଦୂରରେ ଢାବାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ମୃତଦେହ ପୁଲିସ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା।



