Patra electronics

ପୂର୍ବତନ ମନ୍ତ୍ରୀ ମୁକେଶ ସାହାଣୀଙ୍କ ବାପାଙ୍କୁ ନିମର୍ମ ହତ୍ୟା, ପୁଲିସ ଦେଲା ଏମିତି ବୟାନ

ସମାଜ ଡିଜିଟାଲ ଡେସ୍କ: ବିହାର ଦରଭଙ୍ଗା ଜିଲ୍ଲାରେ ଚାଞ୍ଚଲ୍ୟ । ସୋମବାର ବିଳମ୍ବିତ ରାତିରେ ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟିର ରାଷ୍ଟ୍ରୟ ଅଧ୍ୟକ୍ଷ ମୁକେଶ ସାହାଣୀଙ୍କ ପିତାଙ୍କୁ ନିମର୍ମ ହତ୍ୟା କରାଯାଇଛି । ଘର ଭିତରୁ ମୃତଦେହ ଉଦ୍ଧାର କରିଛି ପୁଲିସ । ଏହି ଘଟଣା ବିହାରରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ କରିଛନ୍ତି ବିରୋଧୀ । ମୁକେଶଙ୍କ ପିତାଙ୍କ ନାମ ଜୀତନ ସାହାଣୀ । ତେବେ କାହିଁକି ମୁକେଶଙ୍କ ପିତାଙ୍କୁ ହତ୍ୟା କରାଗଲା ତାହାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରାଥମିକ ଯାଞ୍ଚ ଅନୁସାରେ ଦେଇଥିବା ବୟାନ ସଭିଁଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦରଭଙ୍ଗା ଜିଲାର ଅଫଜଲା ପଞ୍ଚାୟତରେ ଜୀତନ ସାହାଣୀଙ୍କ ପୈତୃକ ଘର । ସେଠାରେ ତାଙ୍କୁ ହତ୍ୟା କରାଯାଇଥିବା ଖବର ପାଇ ଦରଭଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଚୋରି ପାଇଁ ଏଭଳି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଜଣାପଡୁଛି ଯେ ଚୋରମାନେ ଚୋରି କରିବା ଉଦ୍ଦେଶ୍ୟରେ ଘରେ ପ୍ରବେଶ କରିଥାଇପାରନ୍ତି । ଜୀତନ ବିରୋଧ କରିବାରୁ ଏହି ସମୟରେ ସେମାନେ ହୁଏତ ଜୀତନ ସାହାଣୀଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ଏକ ବିବୃତ୍ତିରେ କହିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଏସଆଇଟି ଟିମ୍‍ ଗଠିତ ହୋଇଛି ।
ଏହି ଘଟଣାକୁ ନିନ୍ଦା କରିଛନ୍ତି ବିକାଶଶୀଳ ଇନସାନ ପାର୍ଟିର ନେତା । ତୁରନ୍ତ ଦୋଷଙ୍କୁ ଗିରଫ କରାଯିବା କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେପଟେ ଆରଜେଡି ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ୨୪ଘଣ୍ଟାରେ ହତ୍ୟାକରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ବିହାରରେ ଲୋକେ କିପରି ସୁରକ୍ଷିତ ନୁହଁନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଲଗାତାର ଅପରାଧ ବଢି ଚାଲିଥିବା ବେଳେ ନେତାଙ୍କ ବାପାଙ୍କୁ ଘରେ ପଶି ହତ୍ୟା କରାଯାଉଛି । ଯଦି ଅପରାଧୀଙ୍କୁ ଗିରଫ କରାନଯାଏ ତେବେ ରାସ୍ତାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟପଟେ ଶାସକ ଦଳ ଘଟଣାକୁ ନିନ୍ଦା କରିଛି । ପୁଲିସ ସମସ୍ତ ଘଟଣାର ଯାଞ୍ଚ କରୁଛି, ଅପରାଧୀମାନେ ଯେଉଁଠି ବି ଲୁଚିଥିଲେ ତାଙ୍କୁ ଖୋଜି ଖୁବଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଛି ।

 

Comments are closed.