ପାରାଦୀପରେ ସମୁଦ୍ର ଅଶାନ୍ତ, ତଳିଆ ଅଞ୍ଚଳ ବୁଡିଲା

ଜଗତସିଂହପୁର : ଜଗତସିଂହପୁର ଜିଲାରେ ସମ୍ଭାବ୍ୟ ବାତ୍ୟା ଦାନାର ପ୍ରଭାବ ଆଜି ଦେଖିବାକୁ ମିଳିଛି। ପାରାଦୀପଠାରେ ପ୍ରବଳ ବର୍ଷା ସାଙ୍ଗକୁ ଉଚ୍ଚ ଜୁଆର କୂଳ ଲଙ୍ଘୁଥିବା ଦେଖିବାକୁ ମିଳିଛି। ବାତ୍ୟାର ପ୍ରଭାବରେ ପାରାଦୀପ ସମୁଦ୍ର ଅଶାନ୍ତ ରହିଥିବାରୁ ୧୦ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। ସମୁଦ୍ର କୂଳରେ ଜିଲା ପ୍ରଶାସନ ପକ୍ଷରୁ ନାଲି ପତାକା ଲଗାଯିବା ସହିତ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯିବା ସହିତ ସମୁଦ୍ର ମିତ୍ର ଓ ପୁଲିସ ମୁତୟନ କରାଯାଇଛି। ସେହିପରି ଜଗତସିଂହପୁର ଜିଲାର ଏରସମା ବ୍ଲକ ଅନ୍ତର୍ଗତ ଶିଆଳି, ଜାପା, ଦହିବାର, ଆଦି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳରେ ପାଣି ପଶିଛି। ଜଗତସିଂହପୁର ଜିଲ୍ଲାରେ ସକାଳୁ ସକାଳୁ ହାଲକା ପବନ ସାଙ୍ଗକୁ ଝିପିଝିପି ବର୍ଷା ହୋଇଥିଲା। ଦିନ ବଢିବା ସାଙ୍ଗକୁ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇଛି। ପାରାଦୀପ ମଧୁବନ ଅଞ୍ଚଳରେ  ପ୍ରବଳ ପବନ ଯୋଗୁଁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିବାବେଳେ ବାଲିକୁଦା, ନାଉଗାଁ, ଏରସମା, କୁଜଙ୍ଗ ଆଦି ଅଞ୍ଚଳର ତଳି ଅଞ୍ଚଳରେ ପାଣି ପଶିଥିବା ଖବର ମିଳିଛି।

Comments are closed.