ଲଘୁଚାପର ରୂପ ନେଲା ଘୁର୍ଣ୍ଣିବଳୟ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ

ଭୁବନେଶ୍ବର : ପୂର୍ବ କେନ୍ଦ୍ରୀୟ ବଙ୍ଗୋବ ସାଗରରେ ସୃଷ୍ଟି ହେଲା ଲଘୁଚାପ। ସୃଷ୍ଟ ଘୁର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ଜଣାପଡ଼ିଛି।ଆଗାମୀ ୨୪ ଘଣ୍ଟା ମଧ୍ୟରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ। ଆସନ୍ତା ୨୪ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ଗତିପଥ କେଉଁ ଆଡ଼େ ରହିବ, କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ, ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି କେତେ ରହିବ, କେତେ ପରିମାଣର ବର୍ଷା ହେବ ସେ ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।
ତେବେ ଇସିଏମଡବ୍ଲ୍ୟୁଏଫ, ଜିଏଫଏସ, ଏନସିୟୁଏମ ମଡେଲର ଆକଳନ ଅନୁସାରେ ୨୫ ତାରିଖ ବେଳଳୁ ବାତ୍ୟା ପଶ୍ଚିମବଙ୍ଗର ଦୀଘା କିମ୍ବା ବାଂଲାଦେଶର ପଥରଘାଟରେ ଲ୍ୟାଣ୍ଡଫଲ କରିପାରେ। ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଝଡ ବର୍ଷା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ଏବଂ ଝଟକା ପବନର ବେଗ ୬୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ। ଲଘୁଚାପ ଘନୀଭୂତ ହୋଇ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ।

kalyan agarbati

Comments are closed.