ନୂଆଦିଲ୍ଲୀ: ଆଜି ଆନ୍ଧ୍ରପ୍ରଦେଶର କାକିନାଡାରେ ସ୍ଥଳଭାଗ ଛୁଇଁବ ବାତ୍ୟା ମନ୍ଥା । ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେଉଛି । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୯୦ରୁ ୧୧୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହି ସାମୁଦ୍ରିକ ଝଡ ସ୍ଥଳଭାଗ ଛୁଇଁବା ବେଳେ ଲୋକମାନେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତିନୋଟି ରାଜ୍ୟକୁ ରେଡ ଆଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟରେ ବିଭିନ୍ନ ଜିଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖାଯାଇଛି । ଦକ୍ଷିଣ ଓଡ଼ିଶାରେ ହାଇ ଆଲର୍ଟ ଜାରି କରିବା ସହ ୧୨୩ଟି ଅଗ୍ନିଶମ ଦଳ ନିୟୋଜିତ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସାମୁଦ୍ରିକ ଝଡକୁ ନେଇ ଫୋନରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ କଥା ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନାଇଡୁ ବର୍ଷା ଏବଂ ବାତ୍ୟା ସମ୍ପର୍କରେ ସମସ୍ତ ପ୍ରସ୍ତୁତି ନେଇ ମୋଦୀଙ୍କୁ ଅବଗତ କରାଇଛନ୍ତି । ବିପଦପୂର୍ଣ୍ଣ ସ୍ଥାନରେ ଆଗୁଆ ପଦକ୍ଷେପ ନିଆଯାଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।



