ସିଡବ୍ଲ୍ୟୁସି ବୈଠକ : କଂଗ୍ରେସ ଲୋକଙ୍କ ପାଖକୁ ନେବ ରାଫେଲ ଦୁର୍ନୀତି
ନୂଆଦିଲ୍ଲୀ : ନବଗଠିତ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)ର ଦ୍ୱିତୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତି ସହିତ ରାଫେଲ ଯୁଦ୍ଧ ବିମାନ ବୁଝାମଣା, ଆସାମର ଜାତୀୟ ନାଗରିକ ପଞ୍ଜିକା (ଏନଆରସି), ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ଦ୍ୱାରା ହୋଇଥିବା ପିଏନବି ବ୍ୟାଙ୍କ ଠକେଇ ଆଦି ପ୍ରମୁଖ ବିଷୟ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏନଡିଏ ସରକାରକୁ ଘେରିବା ଲାଗି ବୈଠକରେ ସିଡବ୍ଲ୍ୟୁସି ସଦସ୍ୟମାନେ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଶେଷକରି ରାଫେଲ ଯୁଦ୍ଧବିମାନ ରାଜିନାମାରେ ହୋଇଥିବା ଅନିୟମିତତାକୁ କଂଗ୍ରେସ ଆଗାମୀ ଦିନରେ ମୁଖ୍ୟ ଅସ୍ତ୍ର କରି ସରକାରଙ୍କୁ ଘେରିବ ବୋଲି ନିଷ୍ପତ୍ତି ହୋଇଛି। ତେବେ ଏହାର ସବିଶେଷ ଯୋଜନା ଆଗାମୀ ଦିନରେ ଦଳ ପ୍ରକାଶ କରିବ।
ସିଡବ୍ଲ୍ୟୁସି କହିଛି ଯେ କଂଗ୍ରେସ ଆସାମ ଏନଆରସିକୁ ବିରୋଧ କରେ ନାହିଁ। ମାତ୍ର ଏହା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦ୍ୱାରା ହୋଇଥିବା ବୁଝାମଣା ଅନୁଯାୟୀ ହେବା ଦରକାର। ଏନଆରସି ପରିକଳ୍ପନା ପ୍ରଥମେ କଂଗ୍ରେସ କରିଥିଲା; ମାତ୍ର ବିଜେପି ଏହାର ରାଜନୈତିକ ଫାଇଦା ନେଉଛି। ସିଡବ୍ଲ୍ୟୁସି ବୈଠକରେ ମୋଦୀ ସରକାରଙ୍କ ମୁଖ୍ୟ ସ୍ଲୋଗାନ ‘ସବକା ସାଥ, ସବକା ବିକାଶ’ ସ୍ଲୋଗାନକୁ ବିଦ୍ରୁପ କରାଯାଇଥିଲା। ନିରବ ମୋଦୀ ଓ ମେହୁଲ ଚୋକସିଙ୍କ ଭଳି ଠକଙ୍କୁ ଦେଶ ବାହାରକୁ ପଠାଇ ସରକାର ସେମାନଙ୍କ ବିକାଶ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ କୋଟି ଟଙ୍କା ଠକି ନେଇଥିବା ନିରବ ଓ ମେହୁଲଙ୍କୁ ବିଦେଶ ପଠାଇବାରେ ସରକାର ସହଯୋଗ କରିଛନ୍ତି। ଚଳିବର୍ଷ ଶେଷ ଆଡକୁ ହେବାକୁ ଯାଉଥିବା ୪ଟି ରାଜ୍ୟ ବିଧାନସଭା ନିର୍ବାଚନ ବାବଦରେ ଦଳ ବୈଠକରେ ଆଲୋଚନା କରିଥିବା ଦଳର ମୁଖପାତ୍ର ରଣଦୀପ ସୂରଯୱାଲା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦୁର୍ନୀତି, ଯୁବକଙ୍କୁ ନିଯୁକ୍ତି ସୁଯୋଗ ଦେବାରେ ବିଫଳତାକୁ ଆଗାମୀ ଦିନରେ ଲୋକଙ୍କ ନିକଟରେ ପହଞ୍ଚାଯିବ। ଏହା ସହିତ କୃଷକଙ୍କ ସମସ୍ୟା, ଦଳିତ ଓ ଆଦିବାସୀଙ୍କ ଉପରେ ଅତ୍ୟାଚାର, ମହିଳାଙ୍କ ବିରୋଧୀ ହିଂସା ବୃଦ୍ଧି, ବିଦେଶ ନୀତି, ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିପନ୍ନ, ସାମ୍ବିଧାନିକ ଅନୁଷ୍ଠାନର ସ୍ୱାଧୀନତା ବଜାୟ ରଖିବା ଆଦି ବିଷୟକୁ କଂଗ୍ରେସ ଆଗାମୀ ଦିନରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ କଂଗ୍ରେସର ସମସ୍ତ ନେତା, କାର୍ଯ୍ୟକର୍ତ୍ତା ଓ କର୍ମୀ ଜାଗ୍ରତ କରାଯିବ। ଏହା ପୂର୍ବରୁ ଜୁଲାଇ ୨୨ରେ ନବଗଠିତ ସିଡବ୍ଲ୍ୟୁସିର ପ୍ରଥମ ବୈଠକ ହୋଇଥିଲା। ଏଥିରେ ୨୦୧୯ ଲୋକସଭା ନିର୍ବାଚନ ପାଇଁ ଦଳ ତାର ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲା। ଆଜିର ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଶୋକ ଗେହଲଟ, ଏକେ ଆଣ୍ଟୋନୀ, ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ, ଅମ୍ବିକା ସୋନି, ମୁକୁଲ ୱାଜନିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ତେବେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକରେ ଯୋଗ ଦେଇ ନଥିଲେ।