ଜୟପୁର : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ବର୍ଷ ବିଭିନ୍ନ ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣା ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟସ୍ତରର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏକକ ପ୍ରବେଶିକା ପରୀକ୍ଷା (ସିୟୁସିଇଟି) କନସୋର୍ଟିୟମରେ ଅଂଶଗ୍ରହଣ କରିବ। ସିୟୁସିଇଟି ଏକ ଜାତୀୟସ୍ତରର ପ୍ରବେଶିକା ପରୀକ୍ଷା ଯାହା ଯୁଗ୍ମ ଭାବେ ୧୧ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ସାରା ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସ୍ନାତକ, ସ୍ନାତକୋତ୍ତର, ଏମ.ଫିଲ ଓ ପିଏଚ.ଡି ପାଠ୍ୟକ୍ରମ ପାଇଁ ଏଥିରେ ଏକକ ପ୍ରବେଶିକା ପରୀକ୍ଷାର ଆୟୋଜନ କରାଯାଏ। ଏଥିପାଇଁ ଥରେ ଆବେଦନ କଲେ ଛାତ୍ରଛାତ୍ରୀଙ୍କୁ ଯେକୌଣସି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମଲେଖାର
ସୁଯୋଗ ମିଳିବ।
ଛାତ୍ରଛାତ୍ରୀଙ୍କୁ ବ୍ୟାପକ ସୁଯୋଗ ଏବଂ ଅବସର ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ଥର ଏହି କନସୋର୍ଟିଅମରେ ଯୋଗ ଦେଇଛି। ଏହି ମଞ୍ଚରେ ଯୋଗ ଦେବା ଫଳରେ ସାରା ଦେଶରୁ ଛାତ୍ରଛାତ୍ରୀ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖା ପାଇଁ ଆବେଦନ କରିପାରିବେ। ଫଳରେ ଏହି ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଗୁରୁତ୍ୱ ବଜାୟ ରହିବ। ଏହି ପ୍ରବେଶିକା ପରୀକ୍ଷା ଦେଶର ବିଭିନ୍ନ ସହରରେ ଅନୁଷ୍ଠିତ ହେବ। ମାର୍ଚ୍ଚ ୨୦୨୦ରୁ ସିୟୁସିଇଟି ପାଇଁ ପଞ୍ଜିକରଣ ଆରମ୍ଭ ହେବ। ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଦୁଇ ଘଂଟାର ଅବଧି ବିଶିଷ୍ଟ ଏହି ପରୀକ୍ଷା ଅଫଲାଇନରେ ହେବ। ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚଳିତ ଥର ଏହି ପରୀକ୍ଷା ଆୟୋଜନ କରୁଛି।
ଏଥର ଓଡ଼ିଶା କେନ୍ଦ୍ର ବିଶ୍ୱବିଦ୍ୟାଳୟ ପକ୍ଷରୁ ୩୦ଟି ପାଠ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରାଯିବ। ପ୍ରବେଶିକା ପରୀକ୍ଷା ପାଇଁ ଯୋଗ୍ୟତା ମାନଦଣ୍ଡ ଓ ପାଠ୍ୟକ୍ରମର ସିଟ ସଂଖ୍ୟା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୱେବସାଇଟ http://cuo.ac.in/ ଏବଂ ସିୟୁସିଇଟିର ୱେବସାଇଟ
https://www.cucetexam.in/ ରେ ଖୁବଶୀଘ୍ର ଅପଲୋଡ କରାଯିବ।
ସିୟୁସିଇଟିରେ ଅଂଶଗ୍ରହଣ କରିବ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
Popular Categories



