ରବିବାରରେ ରାଜ୍ୟବ୍ୟାପୀ ତର୍କ ପ୍ରତିଯୋଗିତା
କଟକ : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧବାର୍ଷିକୀ ପାଳନର ଅବ୍ୟବହିତ ପୂର୍ବରୁ ରବିବାରରେ ରାଜ୍ୟବ୍ୟାପୀ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତର୍କ ପ୍ରତିଯୋଗିତା ଆୟୋଜିତ ହେଉଛି। ତରୁଣ ପିଢ଼ି ବିଦ୍ୟାର୍ଥୀଙ୍କ ଚିନ୍ତା ଓ ଚେତନାର ଅନନ୍ୟ ଉଦ୍ଗିରଣ ପାଇଁ ‘ଓଜସ୍ୱିନୀ ଓଡିଶା’ ନାମରେ ହେଉଥିବା ଏହି ପ୍ରତିଯୋଗିତା ରାଜ୍ୟର ୩୦ଟି ଜିଲା ମୁଖ୍ୟାଳୟ ସମେତ ଭୁବନେଶ୍ୱରରେ ମଧ୍ୟ ଅନୁଷ୍ଠିତ ହେଉଛି। ୮ମରୁ ୧୦ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ କନିଷ୍ଠ ଏବଂ +୨ ଓ +୩ର ଛାତ୍ରଛାତ୍ରୀଙ୍କ ପାଇଁ ବରିଷ୍ଠ ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । କନିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତିଯୋଗିତାର ବିଷୟ ବସ୍ତୁ ‘ଗୋପବନ୍ଧୁ ,ପ୍ରାଚୀନତା ଓ ଆଧୁନିକତାର ଅପୂର୍ବ ସମନ୍ବୟ’ ରଖାଯାଇଥିଲା ବେଳେ ବରିଷ୍ଠ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ‘ଗାନ୍ଧିବାଦରେ ଗଣତନ୍ତ୍ରର ସ୍ବରୂପ’ ବିଷୟ ବସ୍ତୁ ରଖାଯାଇଛି ।
ରବିବାର ସକାଳ ୯ଟାରୁ ରାଜ୍ୟର ସମସ୍ତ କେନ୍ଦ୍ରରେ ପ୍ରତିଯୋଗିତା ଏକ ସମୟରେ ଆରମ୍ଭ ହେବ। ଜିଲାସ୍ତରରେ ଆୟୋଜିତ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗ ପ୍ରତିଯୋଗିତାର ପ୍ରଥମ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୫,୦୦୦ଟଙ୍କା, ଦ୍ୱିତୀୟ ୩୦୦୦ ଟଙ୍କା ଓ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୨୦୦୦ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଜିଲାସ୍ତରୀୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରତିଯୋଗୀ ଆସନ୍ତା ୧୨ତାରିଖରେ ଗୋପବନ୍ଧୁ ଭବନରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ।
କୃତୀ ପ୍ରତିଯୋଗୀଙ୍କୁ ୧୩ତାରିଖରେ ବିଜୁ ପଟ୍ଟନାୟକ ଛକ ସାରଳା ଭବନରେ ହେବାକୁ ଥିବା ଶ୍ରାଦ୍ଧୋତ୍ସବରେ ପୁରସ୍କୃତ କରାଯିବ। ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୨୦,୦୦୦, ଦ୍ୱିତୀୟ ୧୫,୦୦୦ ଏବଂ ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୧୦ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ।